ନୂଆଦିଲ୍ଲୀ: ମୃତ୍ୟୁର କୁଣ୍ଡ ପାଲଟିଲା ପଞ୍ଚତାରକା ହୋଟେଲର ସୁଇମିଂ ପୁଲ୍‌  । କରେଣ୍ଟ ଲାଗି ଦୁଇ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁର ଏକ ୫-ଷ୍ଟାର୍ ହୋଟେଲ୍‌ରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ହୋଟେଲ୍‌ର ସୁଇମିଂ ପୁଲ୍‌ରେ ବିଦ୍ୟୁତ୍ ଆଘାତ ଲାଗିବାରୁ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୨ ଜଣ ଗୁରୁତର  ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଦୁଇ ବିଦେଶୀ ନାଗରିକ ମୃତ
ବେଙ୍ଗାଲୁରୁ ସହରରେ ଥିବା ଏକ ନାମୀ ପଞ୍ଚତାରକା ହୋଟେଲ୍‌ରେ ଏହି ଘଟଣା ଘଟିଛି। ୨ ମୃତକ ଜର୍ମାନୀ ଓ ସ୍ଲୋଭାକିଆର ନାଗରିକ ବୋଲି ଜଣାପଡ଼ିଛି । ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ହୋଟେଲ୍‌ରେ ରହୁଥିବା ଜଣେ ଆମେରିକୀୟ ନାଗରିକ ଏବଂ ଜଣେ ହୋଟେଲ୍‌ କର୍ମଚାରୀ ଆହାତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲ୍‌ରେ ଭୂର୍ତ୍ତି କରାଯାଇଛି ।  ମୃତ୍ୟୁବରଣ କରିଥିବା ଜର୍ମାନ ନାଗରିକ ୫୭ ବର୍ଷୀୟ ଆଲେକଜାଣ୍ଡର୍ ମାକ୍ସିମିଲିଆନ୍ ଥିସ୍ । ସେ ଲୁଫ୍‌ଥାନ୍‌ସା ଏୟାରଲାଇନ୍ସର ଜଣେ କ୍ରୁ ମେମ୍ବର ଥିଲେ। ଅନ୍ୟପଟେ, ଜୀବନ ହରାଇଥିବା ୪୫ ବର୍ଷୀୟ ସ୍ଲୋଭାକିଆ ନାଗରିକ ଜୁରାଜ୍ ହୋର୍‌ଭାଟ୍ ଆଇଟି କମ୍ପାନୀ IBM-ରେ ପ୍ରୋଜେକ୍ଟ ମ୍ୟାନେଜର ଥିଲେ।

ବଞ୍ଚାଇପାରିଲେନି ଡାକ୍ତର !
ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫:୧୦ ରେ ୪ ଜଣଙ୍କୁ ହସ୍ପିଟାଲ୍ ଆଣାଯାଇଥିଲା। ହସ୍ପିଟାଲ ପହଞ୍ଚିବା ବେଳକୁ ଜର୍ମାନ ନାଗରିକଙ୍କ ମୃତ୍ୟୁ ହୋଇସାରିଥିଲା । ସେହିଭଳି ସ୍ଲୋଭାକିଆ ନାଗରିକଙ୍କୁ ସିପିଆର୍ ଦେଇ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ, ୪୧ ବର୍ଷୀୟ ଆମେରିକୀୟ ନାଗରିକ ମାଥ୍ୟୁ ଡିସାଣ୍ଟିସ୍ ଏବଂ ୨୮ ବର୍ଷୀୟ ହୋଟେଲ୍ ଆଟେଣ୍ଡାଣ୍ଟ ରାହୁଲ ତିୱାରୀ ଆହାତ ହୋଇଥିଲେ। ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତର କହିଛନ୍ତି ।

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ
ହୋଟେଲ୍‌ର ତୃତୀୟ ମହଲାରେ ଥିବା ସୁଇମିଂ ପୁଲ୍‌ରେ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା। ଜର୍ମାନ ନାଗରିକଙ୍କ ସ୍ତ୍ରୀ ସିଲଭିଆ ପୁଲିସରେ ଏନେଇ ଅଭିଯୋଗ ଦାୟର କରିଛନ୍ତି। ଏହି ଅଭିଯୋଗ ଅନୁଯାୟୀ, ପୁଲ୍‌ରୁ ବାହାରିବାକୁ ଚେଷ୍ଟା କରୁଥିବା ସମୟରେ ଉଭୟ ବିଦ୍ୟୁତ୍ ଆଘାତର ଶିକାର ହୋଇ ପାଣିରେ ବୁଡ଼ିଯାଇଥିଲେ। ହୋଟେଲ୍ କର୍ତ୍ତୃପକ୍ଷଙ୍କ ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ଦର୍ଶାଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦୁଃଖ ପ୍ରକାଶ କଲେ ହୋଟେଲ୍‌ କର୍ତ୍ତୃପକ୍ଷ
​​​​​​​ସେପଟେ ଏହି ଦୁଃଖଦ ଘଟଣା ପରେ ହୋଟେଲ୍ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ହୋଟେଲ କର୍ତ୍ତୃପକ୍ଷ । ତେବେ ୨୪-ମହଲା ବିଶିଷ୍ଟ ଏହି ଅତି-ବିଳାସପୂର୍ଣ୍ଣ ହୋଟେଲ୍‌ରେ ଗୋଟିଏ ରାତି ରହିବା ପାଇଁ ଅତିକମ୍‌ରେ ୨୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଭଳି ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ୍‌ରେ ଦୁଇ ବିଦେଶୀ ନାଗରିକଙ୍କ ଜୀବନ ଚାଲିଯାଇଛି ।