ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଜିମ୍ କର୍ବେଟ୍ ନ୍ୟାସନାଲ ପାର୍କରୁ ଏକ ଅତି ରୋଚକ ତଥା ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ବନ ବିଭାଗର ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିବା ଦୁଇଟି ପୋଷା ମାଈ ହାତୀ ରାତି ଅନ୍ଧାରରେ ଏକ ବନ୍ୟ ହାତୀ ପଲ ସହିତ ଜଙ୍ଗଲକୁ ପଳାଇଛନ୍ତି ।

'କପିଳା' ଏବଂ 'ଟୁଙ୍ଗା' ନାମକ ଏହି ଦୁଇଟି ହାତୀ ଅତ୍ୟନ୍ତ ଚତୁର ଏବଂ ତାଲିମପ୍ରାପ୍ତ 'କୁମକି' ହାତୀ । ଦୁହିଁଙ୍କୁ ବନ ବିଭାଗ ଜଙ୍ଗଲ ସୁରକ୍ଷା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ବ୍ୟବହାର କରିଥାଏ । ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ରାତି ସମୟରେ ଜଙ୍ଗଲ ଦେଇ ଏକ ବନ୍ୟ ହାତୀଙ୍କ ପଲ ଗତି କରୁଥିଲେ । ସେମାନଙ୍କ ଡାକ ଶୁଣି ଏହି ଦୁଇ ପୋଷା ମାଈ ହାତୀ ନିଜ କ୍ୟାମ୍ପରୁ ବାହାରି ହାତୀ ପଲ ସହିତ ମିଶି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି ଏବଂ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପାର୍କ ପ୍ରଶାସନର କହିବା କଥା ଯେ, ହାତୀମାନଙ୍କ କ୍ଷେତ୍ରରେ ଏଭଳି ଆଚରଣ କୌଣସି ନୂଆ କଥା ନୁହେଁ; ପୂର୍ବରୁ ମଧ୍ୟ ଅନେକ ସମୟରେ ପୋଷା ମାଈ ହାତୀମାନେ ଜଙ୍ଗଲୀ ହାତୀଙ୍କ ଆକର୍ଷଣରେ କିଛି ଦିନ ପାଇଁ ବନ୍ୟ ପଲ ସହ ଚାଲିଯାଆନ୍ତି ଏବଂ ପରେ ପୁଣି ନିଜ କ୍ୟାମ୍ପକୁ ଫେରିଆସନ୍ତି । ସେଥିପାଇଁ ବିଭାଗ ଆଶାବାଦୀ ଅଛି ଯେ କପିଳା ଓ ଟୁଙ୍ଗା ଖୁବଶୀଘ୍ର ନିଜ କ୍ୟାମ୍ପକୁ ଫେରିଆସିବେ ।

ଅନ୍ୟପଟେ, ସରକାରୀ ଦାୟିତ୍ୱରେ ଥିବା ହାତୀ ଦୁଇଟି ନିଜର ମୁକ୍ତ ଜୀବନ ପାଇଁ ବନ୍ୟ ପଲ ସହ ଫେରାର ହୋଇଯିବା ଖବରଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ନେଇ ଅନେକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।