ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ସେହିଭଳି ଅନ୍ୟ ଜଣେ ଭାଇ ଗୁରୁତର ହୋଇପଡ଼ିଛନ୍ତି। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଆନନ୍ଦପୁର- ଭଦ୍ରକ ରାସ୍ତାର ବଞ୍ଚୋ ଛକ ନିକଟରେ।

ସୂଚନା ଅନୁସାରେ, ସୋମବାର ହାଟ ସାରି ଗୋଟିଏ ବାଇକରେ ଫେରୁଥିଲେ ଭଦ୍ରକ ଜିଲ୍ଲା ଅଗରପଡ଼ା ଅଞ୍ଚଳର ତିନି ଭାଇ ଶିବ କୁମାର ଜେନା, କେଶବ ଜେନା ଓ ଲକ୍ଷ୍ମଣ ଜେନା। ହେଲେ ବଞ୍ଚୋ ଛକ ନିକଟରେ ବିପରୀତ ଦିଗରୁ ବାଇକରେ ଆସୁଥିବା ସ୍ଥାନୀୟ ଏକରୁଆ ଗାଁର ରାଜଗୋବିନ୍ଦ ଜେନା ଓ କୃଷ୍ଣଚନ୍ଦ୍ର ଜେନାଙ୍କ ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇ ବାଇକ୍ ଦ୍ରୁତଗତିରେ ଆସୁଥିଲେ।

ଏଥିରେ ଘଟଣାସ୍ଥଳରେ କେଶବ ଜେନାଙ୍କ ମୃତ୍ୟୁ ଘଟିଥିବାବେଳେ ଡାକ୍ତଖାନାରେ ଶିବ କୁମାର ଜେନାଙ୍କୁ ମୃତ ଘୋଷଣ କରିଛନ୍ତି ଡାକ୍ତର। ସେହିଭଳି ଲକ୍ଷ୍ମଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ରାଜଗୋବିନ୍ଦ ଜେନା ଓ କୃଷ୍ଣଚନ୍ଦ୍ର ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ତେବେ ୩ ଆହତଙ୍କୁ ସ୍ଥାନୀୟଲୋକେ ପୋଲିସ୍ ସହାୟତାରେ ଡାକ୍ତରଖାନା ପଠାଇଥିଲେ। ହେଲେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ୍ ପହଁଞ୍ଚି ପରିସ୍ଥିତିର ଯାଞ୍ଚ ଆରମ୍ଭ କରିଛି। ଆନନ୍ଦପୁର ଏସଡିପିଓ ଆନନ୍ଦପୁର ମେଡିକାଲରେ ପହଁଞ୍ଚି ଆହତଙ୍କୁ ଚିକିତ୍ସାରେ ସହାୟତା ପାଇଁ ଉଦ୍ୟମ ଚଳାଇଛନ୍ତି।