ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଯାଇଛି । ଏହା ପରେ ଇରାନ ଯୁଦ୍ଧର ତୀବ୍ରତା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏହାରି ମଧ୍ୟରେ ତୁର୍କୀଏ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି କୂଟନୈତିକ ଆଲୋଚନାରେ ସମସ୍ୟାର ସମାଧାନ ନହୁଏ, ତେବେ ତୁର୍କୀଏ ଆକ୍ରମଣ କରିବାକୁ ପଛାଇବ ନାହିଁ । ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି କରିବା ଏବଂ ମାନବିକ ମୂଲ୍ୟବୋଧକୁ ଅଣଦେଖା କରି ଆକ୍ରମଣ କରିବା ନେଇ ଇସ୍ରାଏଲ ବିରୋଧରେ ଅଭିଯୋଗ କରିଛନ୍ତି ଏର୍ଦୋଗାନ ।

ତୁର୍କୀଏ ରାଷ୍ଟ୍ରପତି ଇସ୍ରାଏଲକୁ ତୀବ୍ର ସମାଲୋଚନା କରିଛନ୍ତି । ସେ ଯୁଦ୍ଧବିରତି ଦିନ ଲେବାନନରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି । ଇସ୍ରାଏଲର ଏଭଳି କାର୍ଯ୍ୟକୁ ନରସଂହାର ସୁହ ତୁଳନା କରିଛନ୍ତି ଏର୍ଦୋଗାନ ।

ଇରାନକୁ ଶେଷ ପ୍ରସ୍ତାବ

ଇସଲାମାବାଦରେ ଆଲୋଚନା ବିଫଳ ହେବା ପରେ ଆମେରିକା ଇରାନ ସହିତ କୂଟନୈତିକ ଆଲୋଚନା ପୁଣି ଥରେ ଆରମ୍ଭ କରିବାକୁ ଚେଷ୍ଟା କରୁଛି। ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ‘ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବ’ ଦେବା ସପକ୍ଷରେ ଅଛନ୍ତି ।ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ଏହି ପ୍ରସ୍ତାବ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ୱାଶିଂଟନର ଶେଷ ପ୍ରୟାସ। ରାଷ୍ଟ୍ରପତି ଟ୍ରମ୍ପ ୨୧ ଘଣ୍ଟାର ଆଲୋଚନାରେ ସିଧାସଳଖ ଜଡିତ ଥିଲେ ଏବଂ ଟିମ ସହିତ ନିରନ୍ତର ଯୋଗାଯୋଗ ରଖିଥିଲେ।

କୌଣସି ଶୀଘ୍ରତା ନାହିଁ: ଇରାନ

ଇରାନ ସ୍ପଷ୍ଟ ଭାବରେ ସୂଚନା ଦେଇଛି, କୌଣସି ନିଷ୍ପତ୍ତି ତରବରିଆ ଭାବରେ ନିଆଯିବା ଉଚିତ ନୁହେଁ । ଏହାର ପ୍ରସ୍ତାବଗୁଡ଼ିକ ଉପରେ ବିଚାର କରିବା ଏବେ ଓ୍ବାଶିଂଟନ ଉପରେ ନ୍ୟସ୍ତ । ଏହା କୂଟନୈତିକ ପ୍ରକ୍ରିୟାକୁ ଆହୁରି ଜଟିଳ କରୁଛି। ଆମେରିକା ଏକ ନିରପେକ୍ଷ ଚୁକ୍ତିରେ ପହଞ୍ଚିବା ପର୍ଯ୍ୟନ୍ତ ବିଶ୍ୱ ତୈଳ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଜଳପଥରେ କୌଣସି ପରିବର୍ତ୍ତନ କରିବାକୁ ଇରାନ ଅନୁମତି ଦେବ ନାହିଁ ବୋଲି ଚେତାବନୀ ଦେଇଛି । ଏବା ପରେ ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି।