ୱାସିଂଟନ ୨୨।୩: ଆମେରିକାରେ ଜାରି ହେବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର୍ଣ୍ଣମୁ୍ଦ୍ରା। ଏହା ଦେଶର ୨୦୫୦ତମ ସ୍ୱାଧୀନତା ଦିବସ ଅବସରେ ରାଷ୍ଟ୍ରକୁ ସମର୍ପିତ ହେବ। ତେବେ ଏହି ପଦକ୍ଷେପର ବୈଧତାକୁ ନେଇ ଏବେ ଦେଶରେ ପ୍ରଶ୍ନ ଉଠୁଛି। ଏହି ୨୪ କ୍ୟାରେଟ ସ୍ୱର୍ଣ୍ଣ ମୁଦ୍ରାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହାତ ମୁଠା କରି ରେଜଲ୍ୟୁଟ ଡେସ୍କ ଉପରେ ନଇଁଥିବାର ଦେଖାଯିବ। ଆମେରିକାରେ କୌଣସି ଜୀବିତ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ମୁଦ୍ରା ଜାରି କରାଯିବାର ଏହା ଦ୍ୱିତୀୟ ଘଟଣା ହେବ।

ପୂର୍ବରୁ ବି ଜାରି ହୋଇଥିଲା କଏନ
ଏହା ପୂର୍ବରୁ ୧୯୨୬ ମସିହାରେ ଆମେରିକାର ୧୫୦ତମ ସ୍ୱାଧୀନତା ଦିବସ ଅବସରରେ ୩୦ତମ ରାଷ୍ଟ୍ରପତି କେଲଭିନ କୁଲିଜଙ୍କ ଚିତ୍ର ଜର୍ଜ ୱାସିଂଟନଙ୍କ ସହିତ ଏକ ସ୍ମାରକ ମୁଦ୍ରାରେ ଜାରି କରାଯାଇଥିଲା। ୟୁଏସ୍ କମିଶନ ଅଫ ଫାଇନଆର୍ଟସ୍ ୧୯ ମାର୍ଚ୍ଚ ବୈଠକରେ ଏହି ଟ୍ରମ୍ପଙ୍କ ଚିତ୍ରଥିବା ସ୍ୱର୍ଣ୍ଣମୁଦ୍ରା ଡିଜାଇନକୁ ମଞ୍ଜୁର କରିଛି। ୟୁଏସ୍ ଟ୍ରେଜରର ବ୍ରେଣ୍ଡନ ବିଚ୍ ‘ଫୋକ୍ସ ବିଜନେସ୍’ କୁ ଦେଇଥିବା ବୟାନରେ କହିଛନ୍ତି ଯେ ଆମେ ଆମର ୨୫୦ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଏପରି ମୁଦ୍ରା ପ୍ରସ୍ତୁତ କରୁଥିବାରୁ ବେଶ୍ ଖୁସି। ଏହା ଆମ ଦେଶ ଓ ଗଣତନ୍ତ୍ରର ସ୍ଥାୟୀ ଭାବନାକୁ ପ୍ରତିନିଧିତ୍ୱ କରିବ।

ଅନୁମତି ଦିଏନି ଆମେରିକା ଆଇନ
ଏହି ମୁଦ୍ରାର ଗୋଟିଏ ପଟେ ଆମର ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୋଫାଇଲଠାରୁ ଅଧିକ କିଛି ପ୍ରତିକାତ୍ମକ ହୋଇ ନପାରେ। ତେବେ ଆମେରିକା ସଂଘୀୟ ଆଇନରେ କୌଣସି ଜୀବିତ ରାଷ୍ଟ୍ରପତିଙ୍କୁ ଆମେରିକୀୟ ମୁଦ୍ରାରେ ଦେଖାଯାଇ ପାରିବନି। ତେବେ ପ୍ରସ୍ତାବିତ ସ୍ମାରକ ପ୍ରଚଳନରେ ଥିବା ମୁଦ୍ରା ଠାରୁ ଭିନ୍ନ ହେବ। ଏଣୁ ଏହାର ଚୂଡ଼ାନ୍ତ ଡିଜାଇନ ଓ ଢଳେଇ କରିବା ଅନୁମତି ଅଧିକାର କେବଳ ଟ୍ରେଜରୀ ସଚିବଙ୍କ ରହିଛି। ତେବେ ବିରୋଧୀ ଡେମୋକ୍ରାଟ ଟ୍ରମ୍ପ ଥିମର ଏହି ମୁଦ୍ରାକୁ ବିରୋଧ କରୁଛନ୍ତି।

ଟ୍ରମ୍ପଙ୍କୁ କରାଯାଉଛି ସମାଲୋଚନା
ସିନେଟର ଜେଫ ମାର୍କଲେ କହିଛନ୍ତି ଯେ ଲୋକତନ୍ତ୍ର ର ନେତା ନୁହେଁ ଡିଟେକ୍ଟର (ଏକଛତ୍ରବାଦୀ) ମୁ୍ଦ୍ରାରେ ତାଙ୍କ ଛବି ରଖନ୍ତି। ଏହି ମୁ୍ଦ୍ରାକୁ ଟ୍ରେଜରୀ ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ଜାରି କରିବ, ଯାହାକୁ ବିଶେଷ ସଂସ୍କରଣ ମୁଦ୍ରା ଓ ପଦକ ସୂଚୀରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। ତେବେ ସମାଲୋଚକଙ୍କ କହିବା କଥା ହେଉଛି ଏହି ମୁ୍ଦ୍ରା ଟ୍ରମ୍ପଙ୍କ ଦ୍ୱାରା ୱାସିଂଟନ ପରିଦୃଶ୍ୟରେ ଛାପ ଛାଡିବାର ନବୀନତମ ପ୍ରୟାସ। ଏହା ପୂର୍ବରୁ କେନେଡି ସେଣ୍ଟର ଫର ପରଫର୍ମିଂ ଆର୍ଟର ନାମ ବଦଳାଇ ଟ୍ରମ୍ପ କେନେଡି ସେଣ୍ଟର କରାଯାଇଥିଲା। ସେହିପରି ୟୁଏସ ଇନିଷ୍ଟିଚ୍ୟୁଟ୍ ଅଫ ପିସ୍ ବିଲ୍ଡିଂ ନାମରେ ରାଷ୍ଟ୍ରପତିଙ୍କ ନାମ ଯୋଡା ଯାଇଥିଲା।

ହ୍ୱାଇଟ ହାଉସର କାୟାକଳ୍ପ ଚାହାନ୍ତି ଟ୍ରମ୍ପ
କେବଳ ଏତିକି ନୁହେଁ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ପରିସରକୁ ପୁଣି ଥରେ ନିର୍ମାଣ କରିବାକୁ ମଧ୍ୟ ଦାବି କରିଛନ୍ତି। ଏଥିରେ ଆଗନ୍ତୁକଙ୍କ ସ୍କ୍ରିନିଂ ସେଣ୍ଟର ପ୍ରସ୍ତାବ ଦେଇଥିବା ବେଳେ ହ୍ୱାଇଟ୍ ହାଉସ୍ ର ଇଷ୍ଟ ୱିଙ୍ଗକୁ ଭାଙ୍ଗି ବଲ ରୁମ କରିବାକୁ ମଧ୍ୟ ତାଙ୍କର ଦୀର୍ଘ ଦିନର ଇଛା। ତେବେ ଏ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।