ନୂଆଦିଲ୍ଲୀ: ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏକ ତିନି ପୃଷ୍ଠାର ମେଡିକାଲ ରିପୋର୍ଟରେ ଦାବି କରାଯାଇଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାନସିକ ଓ ଶାରୀରିକ ଦକ୍ଷତା "ଚମତ୍କାର" ରହିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆସନ୍ତା ଜୁନ୍ ୧୪ ତାରିଖରେ ଟ୍ରମ୍ପଙ୍କୁ ୮୦ ବର୍ଷ ପୂରିବ । ଏହାସହ ସେ ଆମେରିକା ଇତିହାସରେ ସବୁଠାରୁ ଅଧିକ ବୟସ୍କ ରାଷ୍ଟ୍ରପତି ।

ରିପୋର୍ଟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦାବି ଥିଲା ଯେ, ଟ୍ରମ୍ପଙ୍କ ହାର୍ଟ ତାଙ୍କ ପ୍ରକୃତ ବୟସଠାରୁ ୧୪ ବର୍ଷ ସାନ ଜଣେ ବ୍ୟକ୍ତିଙ୍କ ଭଳି କାର୍ଯ୍ୟ କରୁଛି । ଟ୍ରମ୍ପଙ୍କ ସମର୍ଥକମାନେ ଏହି ଖବରକୁ ନେଉ ଉତ୍ସାହିତ ଥିବା ବେଳେ ସମାଲୋଚକମାନେ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।

ଟ୍ରମ୍ପଙ୍କ ବ୍ୟକ୍ତିଗତ ଚିକିତ୍ସକ ତଥା ନୌସେନାର କ୍ୟାପଟେନ ସନ୍ ବାର୍ବାବେଲାଙ୍କ ଅନୁସାରେ, ୱାଲ୍ଟର ରିଡ୍ ମେଡିକାଲ ସେଣ୍ଟରରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ହାର୍ଟ, ଫୁସଫୁସ, ସ୍ନାୟୁ ଓ ମାନସିକ ସ୍ଥିତିର ଯାଞ୍ଚ ସହ ୨୨ ଜଣ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କର ହାର୍ଟ ସ୍ୱାଭାବିକ କାମ କରୁଛି । ମାନସିକ ସ୍ଥିତି ସୁଦୃଢ଼ ରହିଛି ଏବଂ ସେ କୌଣସି ଅବସାଦ ବା ଚିନ୍ତାରେ ନାହାନ୍ତି ।

ତେବେ ଏହି ରିପୋର୍ଟ ଭିତରେ କିଛି ସାଧାରଣ ସମସ୍ୟା ମଧ୍ୟ ଉଲ୍ଲେଖ ରହିଛି । ତାଙ୍କ ଗୋଡ଼ର ତଳ ଅଂଶରେ ସାମାନ୍ୟ ଫୁଲା ରହିଛି ଏବଂ ଅଧିକ ହାତ ମିଳାଇବା ଓ ଆସପିରିନ ଔଷଧ ଖାଇବା ଯୋଗୁଁ ହାତ ପଛପଟେ କଳା ଦାଗ ପଡ଼ିଛି । ତାଙ୍କୁ କୋଲେଷ୍ଟ୍ରଲ କମାଇବା ପାଇଁ ଔଷଧ ଦିଆଯାଉଛି ଏବଂ ଶାରୀରିକ ପରିଶ୍ରମ ବଢ଼ାଇବା ସହ ଓଜନ କମାଇବାକୁ ପରାମର୍ଶ ଦିଆଯାଇଛି ।

ଟ୍ରମ୍ପଙ୍କ ବର୍ତ୍ତମାନ ଓଜନ ୨୩୮ ପାଉଣ୍ଡ ଯାହା ପୂର୍ବ ବର୍ଷ ଅପେକ୍ଷା ୧୪ ପାଉଣ୍ଡ ଅଧିକ । ଏତେ ଓଜନ ସତ୍ତ୍ୱେ ଡାକ୍ତର ତାଙ୍କୁ ସୁସ୍ଥ କହିବାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଟ୍ରମ୍ପଙ୍କ ଭଲ ଗୁଣ ହେଉଛି ସେ ଧୂମପାନ କରନ୍ତି ନାହିଁ କିମ୍ବା ମଦ୍ୟପାନ କରନ୍ତି ନାହିଁ । ଟ୍ରମ୍ପଙ୍କ ସମର୍ଥକମାନେ ତାଙ୍କୁ ଜଣେ 'ସୁପରମ୍ୟାନ' ଭାବେ ଦେଖୁଥିବା ବେଳେ, ବିରୋଧୀମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମାଲୋଚନା କରୁଛନ୍ତି ।