ନୂଆଦିଲ୍ଲୀ: ଅତିରିକ୍ତ ଶୁଳ୍କ ଯୋଗୁ ଭାରତ- ଆମେରିକାର ମଧ୍ୟରେ ବ୍ୟବସାୟ ବେଶ୍ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ବାଣିଜ୍ୟିକ ଡିଲ୍ ଚୂଡ଼ାନ୍ତ ହୋଇପାରିନାହିଁ। ହେଲେ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଟାରିଫ୍ ବଢ଼ାଇବା ନେଇ ଏକ ସଙ୍କେତ ଦେଇଛନ୍ତି। ଏହି ଟାରିଫ୍ ବୃଦ୍ଧି ଆମେରିକାକୁ ଆସୁଥିବା ଚାଉଳ ଉପରେ ଲାଗିପାରେ।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମଦାନୀ ହେଉଥିବା କୃଷି ଉତ୍ପାଦ ଉପରେ ନୂଆ ଟାରିଫ୍ ଲଗାଯାଇପାରେ। ବିଶେଷକରି ଭାରତରୁ ଆସୁଥିବା ଚାଉଳ ଏବଂ କାନାଡାରୁ ଆମଦାନୀ ହେଉଥିବା ସାର ଉପରେ। ଟ୍ରମ୍ପ କହିଛନ୍ତି ଏହି ଆମଦାନୀ ଯୋଗୁ ଆମେରିକା ଚାଷୀଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି ହେଉଛି। ତେଣୁ ଏହାର ସମାଧାନ ପାଇଁ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ।

କାନାଡାରୁ ଆସୁଥିବା ସାର ଉପରେ ନୂଆ ଶୁଳ୍କ ଲାଗିପାରେ

କାନାଡାରୁ ଆମଦାନୀ ହେଉଥିବା ସାର ଉପରେ ଟ୍ରମ୍ପ ନୂଆ ଶୁଳ୍କ ଲାଗୁ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘‘ଅନେକ ସାର କାନାଡାରୁ ଆସିଥାଏ। ଆବଶ୍ୟକ ହେଲେ, ସ୍ଥାନୀୟ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଆମେ ସେମାନଙ୍କ ଉପରେ କଠୋର ଶୁଳ୍କ ଲାଗୁ କରିବୁ।’’

ଆମେରିକାର ଅର୍ଥନୀତି ଉପରେ ଚାପ

ଟ୍ରମ୍ପଙ୍କ ମନ୍ତବ୍ୟ ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକାର ଅର୍ଥନୀତି ମନ୍ଥର ହେଉଛି ଏବଂ ଚାଷୀମାନେ ଅଧିକ ଉତ୍ପାଦନ ଖର୍ଚ୍ଚ ଏବଂ କଠିନ ବଜାର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ପୂର୍ବ ଶୁଳ୍କ ନିଷ୍ପତ୍ତି ଦ୍ୱାରା ଚାପ ବୃଦ୍ଧି ପାଇଛି।

ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ସୂଚନାଥାଉକି, ଚଳିତ ବର୍ଷ ଆରମ୍ଭରେ ଟ୍ରମ୍ପ, ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଭାରତ ରୁଷରୁ ଅଶୋଧିତ ତେଲ କିଣି ଯୁଦ୍ଧକୁ ବଢ଼ାଉଛି। ତଥାପି, ଉଭୟ ଦେଶ ସେବେଠାରୁ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।

ଆମେରିକୀୟ ପ୍ରତିନିଧି ଦଳ ଡିସେମ୍ବର ୭ ତାରିଖରେ ଭାରତ ପହଞ୍ଚିଥିଲେ ଏବଂ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିଥିଲେ। ଆମେରିକାର ଉପ-ବିଦେଶ ସଚିବ ଆଲିସନ ହୁକର ଦ୍ୱିପାକ୍ଷିକ ରଣନୈତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୫ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତେବେ ଏଥର ମଧ୍ୟ ଏଥର କୌଣସି ବଡ଼ ଚୁକ୍ତି ନହେବା ନେଇ ଅନୁମାନ କରାଯାଉଛି।