ନୂଆଦିଲ୍ଲୀ: ଇରାନ ସହ କୂଟନୈତିକ ଆଲୋଚନା ପାଇଁ ରାସ୍ତା ଖୋଲିବା ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୩ ଦିନର କ୍ରମାଗତ ବିମାନ ଆକ୍ରମଣ ପରେ ନୂଆ ସାମରିକ କାର୍ଯ୍ୟାନୁଷ୍ଠାନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ସିଓସ୍ (Axios) ର ରିପୋର୍ଟ ଅନୁସାରେ, ଓମାନର ଏକ ପ୍ରତିନିଧି ଦଳ ତେହେରାନରେ ପହଞ୍ଚି ଇରାନ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିବାର କିଛି ଘଣ୍ଟା ପରେ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱ ବାଣିଜ୍ୟର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' (Strait of Hormuz) କୁ ପୁନର୍ବାର ଖୋଲିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

କୂଟନୈତିକ ଆଲୋଚନାରେ ସକାରାତ୍ମକ ପ୍ରଗତି ହେଉଥିବା ଜଣାପଡ଼ିଛି। ଓମାନ୍ ଓ ଇରାନ ମଧ୍ୟରେ ଏକ ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ, ଯାହାକୁ ଟ୍ରମ୍ପ ଗ୍ରହଣ କରିବେ କି ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ଆକ୍ରମଣ ସାମୟିକ ବନ୍ଦ ରହିଥିଲେ ବି ଆମେରିକା ସେନା ସମ୍ପୂର୍ଣ୍ଣ ସଜାଗ  ରହିଛି। ସେନାକୁ କୌଣସି ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ, କିନ୍ତୁ ରାଷ୍ଟ୍ରପତିଙ୍କ ଆଦେଶ ମିଳିଲେ ଅଳ୍ପ ସମୟ ମଧ୍ୟରେ ପୁନର୍ବାର ଆକ୍ରମଣ କରିବାକୁ ସେନା ପ୍ରସ୍ତୁତ ରହିଛି।

ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଚାହିଁଲେ ଇରାନ ଉପରେ ସାମରିକ ଚାପ ବଢ଼ାଇ ସବୁକିଛି ଧ୍ୱଂସ କରିପାରିବ। ତେବେ ଯୁଦ୍ଧ ବଦଳରେ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବା ବୁଦ୍ଧିମାନର କାମ। ସେ କହିଛନ୍ତି, ‘ଆମେ ବର୍ତ୍ତମାନ ଇରାନ ସହ ଆଲୋଚନା କରୁଛୁ। ଦିନ ବିତିବା ସହ ସେମାନେ ଅଧିକ ଗମ୍ଭୀର ହେଉଛନ୍ତି।’ଆମେରିକାର ଏହି ହଠାତ୍ ନିଷ୍ପତ୍ତି ମିତ୍ର ଦେଶ ଇସ୍ରାଏଲକୁ ଆଶ୍ଚର୍ଯ୍ୟ କରିଛି। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଏବଂ ପ୍ରତିରକ୍ଷା ବାହିନୀ (IDF) ଆମେରିକାର ଆଉ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲେ। ଆମେରିକାର ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ହାଇ-ଆଲର୍ଟରେ ରହିଛି ।