ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ଓ ଐତିହାସିକ ବିଜୟ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୂଅ ସୁଟୁଛି। ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ଵାଇଟ ଉସ୍ ପକ୍ଷରୁ ଏହି ବିଜୟକୁ 'ଐତିହାସିକ ଏବଂ ନିର୍ଣ୍ଣାୟକ' ବୋଲି ବର୍ଣ୍ଣନା କରାଯାଇଛି।

ହ୍ଵାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇଙ୍କ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ଫୋନ୍ ଯୋଗେ କଥା ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, "ଭାରତ ସୌଭାଗ୍ୟଶାଳୀ ଯେ ମୋଦୀଙ୍କ ଭଳି ନେତା ପାଇଛି।"ଏହି ବିଜୟ ସହିତ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟିଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୨୦୭ଟି ଆସନ ଜିତି ଇତିହାସ ରଚିଥିବା ବେଳେ ଟିଏମସି ମାତ୍ର ୮୦ଟି ଆସନରେ ସୀମିତ ରହିଯାଇଛି।

Also Read: 'ସବୁ କିଛି ଫେକ୍, ମୋ ବିରୋଧରେ ଅପପ୍ରଚାର' : ସର୍ଭେରେ ଯୁଦ୍ଧକୁ ବିରୋଧ କଲେ ଆମେରିକୀୟ, କିନ୍ତୁ ମିଛ ବୋଲି କହିଲେ ଟ୍ରମ୍ପ୍

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ଉଭୟ ଆସନରେ ବିଜୟୀ ହୋଇଛନ୍ତି। ଭବାନୀପୁର ଆସନରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟରେ ପରାଜିତ କରିଛନ୍ତି। ଏହି ନିର୍ବାଚନରେ ସ୍ୱାଧୀନତା ପରଠାରୁ ସବୁଠାରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୨.୮% ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୧.୪୭% ଭୋଟ୍ ପଡ଼ିଥିଲା।

ବଡ଼ ରାଜନୈତିକ ପରିବର୍ତ୍ତନ

ବଙ୍ଗଳାର ଏହି ଫଳାଫଳ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏକ ବଡ଼ ରାଜନୈତିକ ପରିବର୍ତ୍ତନ। ଦଶନ୍ଧିରୁ ଅଧିକ ସମୟ ଧରି ଶାସନ କରିଥିବା ଟିଏମସିକୁ ହରାଇ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି। ଆଉ ମମତାଙ୍କୁ ଶେଷରେ ମାଟି କାମୁଡ଼ିବାକୁ ପଡ଼ିଛି।