ନୂଆଦିଲ୍ଲୀ ୨୨।୦୬; ନିର୍ମାଣଧୀନ ମୁମ୍ବାଇ-ଦିଲ୍ଲୀ ଏକ୍ସପ୍ରେସ ୱେର ବଦଲାପୁର ନିକଟରେ ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ BMW କାର ଏକ ଡିଭାଇଡରରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା

ରବିବାର ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରଟି ଟିଟୱାଲାରୁ ବଦଲାପୁର ଅଭିମୁଖେ ଯାଉଥିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଯାହା ଫଳରେ ଗାଡିଟି ଡିଭାଇଡରରେ ପିଟି ହୋଇ ଓଲଟିପଡିଥିଲା। ଦୁର୍ଘଟଣାରେ ୨ ଯୁବକ ମୃତ, ଜଣେ ଗୁରତର । ଦୁର୍ଘଟଣାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା । ଏହାର ଇଞ୍ଜିନ୍ ଦୁର୍ଘଟଣା ସ୍ଥଳରୁ ପ୍ରାୟ ୩୦ ମିଟର୍ ଦୂରକୁ ଛିଟିକି ପଡ଼ିଥିଲା । ଏକ ମୃତଦେହ ବିଖଣ୍ଡିତ ହୋଇଯାଇଥିବାବେଳେ, ଆଉ ଜଣେ ମହିଳାଙ୍କୁ ଗାଡ଼ିରୁ ପ୍ରାୟ ୩୦ ମିଟର୍ ଦୂରରେ ଫୋପାଡି ଦେଇଥିଲା ।

ସେ ପରେ ମୃତ୍ୟୁବରଣ କରିଥିଲେ । ଜନ୍ମଦିନ ଥିବା ୨୬ ବର୍ଷିୟ ଯୋଗେଶ ନେଗି ଏବଂ ୨୪ ବର୍ଷିୟ ରେବେକା ଜେକବଙ୍କ ମୃତ୍ୟୁ ହୋଇଛି । BMW ମାଲିକ୍ ଓ ଡ୍ରାଇଭର୍ ଅଙ୍ଗଦ୍ ଗୁରୁତର ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି । ତିନିଜଣ ଯୋଗେଶଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇ ଏକ୍ସପ୍ରେସୱେ ଆଡକୁ ଯାଇଥିଲେ କିନ୍ତୁ ଅଧନିର୍ମିତ ଏକ୍ସପ୍ରେସ ୱେରେ ଯାନବାହନ ପ୍ରବେଶ ରୋକିବା ପାଇଁ ରାସ୍ତାରେ ମଝିରେ ମଝିରେ ସିମେଣ୍ଟ୍ ବ୍ୟାରିକେଡ୍ ଲଗାଯାଇଥିଲା । ଦ୍ରୁତ ଗତିରେ ଯାଉଥିବା ସମୟରେ ଡ୍ରାଇଭର୍ ଏକ ବ୍ୟାରିକେଡ୍ ଏଡ଼ାଇବାକୁ ଚେଷ୍ଟା କରିବାରୁ ନିୟନ୍ତ୍ରଣ ହରାଇ ଡିଭାଇଡକୁ ପିଟିଥିବା କିମ୍ବା ମଦ୍ୟପାନ କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଫୋରେନସିକ୍ ଦଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିଛି। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।