ବୌଦ୍ଧ ୩୧।୧୨: ଭାରସାମ୍ୟ ହରାଇଲା, ଗଛରେ ପିଟିହେଲା । ରାସ୍ତାରୁ ତଳକୁ ଖସିପଡ଼ିଲା ଟୁରିଷ୍ଟ ବସ୍ । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଏନ୍‌ଏଚ୍ ୫୭ରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୧୫ ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ପ୍ରାୟ ୧୮ ଜଣ ପର୍ଯ୍ୟଟକଙ୍କୁ ନେଇ ବସ୍‌ଟି ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ରଇଠାଣୀ-ସରସରା ରାସ୍ତାରେ ଟୁରିଷ୍ଟ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ଗଛରେ ପିଟି ହୋଇ ରାସ୍ତା ତଳକୁ ଖସିପଡ଼ିଲା ଟୁରିଷ୍ଟ ବସ୍ । ପର୍ଯ୍ୟଟକ ମାନେ ସମ୍ବଲପୁରର ମା’ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିବା ଜଣାପଡିଛି ।

ଏହି ଦୁର୍ଘଟଣାରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୧୫ ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ପରେ ସମସ୍ତେ ନିଜ ଅଞ୍ଚଳକୁ ଅନ୍ୟ ଏକ ଗାଡ଼ିରେ ଫେରିଯାଇଥିବା ଜଣାପଡିଛି ।

​​​​​​​

ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।