ଭୁବନେଶ୍ୱର, ୧୬।୧୧ : ରୁମ୍ ଦରକାର କି? ସିଙ୍ଗଲ୍ ରୁମ୍ ଦରକାର ନା ଡବଲ୍ । ବ୍ୟାଚଲର୍ ରହିବେ ନା ଫ୍ୟାମିଲି I ମାଲିକ ଝିନଝଟ୍ ନଥିବା ରୁମ୍ ବି ଅଛି। ଯେମିତି ଚାହିଁବେ ସେଇ ହିସାବରେ ଆମେ ଯୋଗାଇଦେବୁ। ଘର ଦେଖାଇବା ପାଇଁ ହଜାରେ ଟଙ୍କା ଲାଗିବ। ଆଉ ଘର ମିଳିଗଲେ, ମାସକ ଘରଭଡ଼ା ଆମର । ରାଜଧାନୀରେ ଘରଭଡ଼ା ଦଲାଲଙ୍କ ଏହା ହେଉଛି ମୁଲଚାଲର ତରିକା। ଯଦି କାହାକୁ ଘର ନିହାତି ଦରକାର, ତ ଦଲାଲମାନଙ୍କ ଟଙ୍କା ସିଧା ଡବଲ ହୋଇଯିବ। ଖାଲି ସେତିକି ନୁହେଁ, କିଛି ଦଲାଲ୍ ମାନେ ଏମିତି ଧୂର୍ତ୍ତ ଯେ, ନୀରିହ ଲୋକଙ୍କଠାରୁ ଆଗୁଆ ଟଙ୍କା ରଖି ଧରାଛୁଆଁ ଦେଉନାହାନ୍ତି। ନା ମିଳୁଛି ଘର ନା ଟଙ୍କା ଫେରି ପାଉଛନ୍ତି। ଥାନାକୁ ଗଲେ, ପୁଲିସ ବି ନିରାଶ କରୁଛି। ଏମିତି ହଜାର ହଜାର ଲୋକ ଭଡ଼ାଘର ଖୋଜିବା ବେଳେ ଦଲାଲଙ୍କ ଠକେଇର ଶିକାର ହେଉଛନ୍ତି।

ରାଜଧାନୀରେ ଘର ପାଇବା କେତେ ଯେ କଷ୍ଟ, ଖୋଜୁଥିବା ଲୋକଙ୍କୁ ହିଁ ଭଲରେ ଜଣା। ଭଲ ଘର ଖଣ୍ଡେ ପାଇବାକୁ ନାକେଦମ୍ ହେବାକୁ ପଡୁଛି। ଯାହାର ଫାଇଦା ଉଠାଇବାକୁ ବସିଛତି କିଛି ଟୁ-ଲେଟ୍ ଦଲାଲ୍। ସହରର ଜନଗହଳିପୂର୍ଣ ସ୍ଥାନରେ ଥିବା ଟ୍ରାଫିକ୍ ପୋଷ୍ଟ, ପାନ ଦୋକାନ, ବିଦ୍ୟୁତ୍ ଖୁଣ୍ଟ, ବସ୍ ଷ୍ଟାଣ୍ଡ ଏବଂ କାନ୍ଥବାଡ଼ରେ ପୋଷ୍ଟରରେ ଫୋନ୍ ନମ୍ବର ପ୍ରିଣ୍ଟ କରି ଲଗାଇ ଦେଉଛନ୍ତି। ଭଡ଼ାଘର ପାଇଁ କିଏ ଯଦି ଫୋନ୍ କରୁଛି, ସେମାନେ ନିଜ ଅଫିସକୁ ଡକାଇଛନ୍ତି। ଅଫିସରେ ଚାଲୁଛି ମୁଲଚାଲ୍। କେବଳ ଘର ଦେଖାଇବାକୁ ପ୍ରଥମେ ୧୦୦୦ ଟଙ୍କା ନେବୁ, ଘର ଯଦି ପସନ୍ଦ ଆସିଲା ମାସକର ଭଡ଼ା ଟଙ୍କା ଦେବ।

ତେବେ ଏହି ଦଲାଲି ଭିତରେ ବି ଜାଲିଆତି ହେଉଛି। ଅନେକ ସମୟରେ ଭଡା ଘରର ଚିକଣିଆ ଫଟୋ ପଠାଇ ଅଧା ଟଙ୍କା ଆଡଭାନ୍ସ ନେଇ ଯାଉଛି ଦଲାଲ । ପରେ ପ୍ରକୃତ ଘର ନିମ୍ନମାନର ହୋଇଥିବାରୁ ଗ୍ରାହକ ଭଡା ନେବାକୁ ପସନ୍ଦ କରୁନାହିଁ । ସେମାନଙ୍କୁ ଆଡଭାନ୍ସ ଟଙ୍କା ମାଗିଲେ ଓଲଟି ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରୁଛନ୍ତି। ୬ ମାସ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ଭଡ଼ାଟିଆଙ୍କୁ ମାଡ଼ ମାରି ଦଲାଲ୍ ଗିରଫ ହୋଇଥିଲା। ବିଶେଷ କରି ପାଠ ପଢିବାକୁ ବାହାର ରାଜ୍ୟରୁ ଆସୁଥିବା ଅଣଓଡ଼ିଆ ପୁଅ ଝିଅ ଅଧିକ ଠକାମୀର ଶିକାର ହେଉଛନ୍ତି ।

ନିକଟରେ ରାଜସ୍ଥାନରୁ ଆସିଥିବା ସୁମନ କୁମାର ନୟାପଲ୍ଲୀ ଅଞ୍ଚଳରେ ଘର ଖୋଜିବାକୁ ଯାଇ ଠକାମୀର ଶିକାର ହୋଇଥିଲେ। ଦଲାଲ ଜଣଙ୍କ ଏକ ୨ ବିଏଚକେ ଘର ଦେବାର ପ୍ରତିଶ୍ରୁତି ଦେଇ ଫୋନ୍ ପେ'ରେ ୬ ହଜାର ଟଙ୍କା ଅଗ୍ରୀମ ନେଇ ଯାଇଥିଲା। କିନ୍ତୁ ପରେ ଘର ନଦେଖାଇ ମୋବାଇଲ୍ ବନ୍ଦ କରି ଦେଇଥିଲେ। ସେ ଥାନାରେ ଅଭିଯୋଗ କରିଥିଲେ ବି କିଛି ଲାଭ ମିଳିନଥିଲା । ସବୁଠୁ ବଡ଼ କଥା ହେଲା ରାଜଧାନୀର ଅଧିକାଂଶ ଘର ଫାଙ୍କା ପଡିଛି। କିନ୍ତୁ କିଛି ମାଲିକ ନିଜ ଘର ଆଗରେ ଜାଣି ଜାଣି ଟୁ-ଲେଟ୍ ବୋର୍ଡ ଲଗାଉ ନାହାନ୍ତି।

Also Read :- ୟୁକ୍ରେନ୍ ଆଗରେ ଆମେରିକାର ଅଜବ ସର୍ତ୍ତ : 'ଡୋନବାସ୍ ଛାଡ଼ିଲେ ନାଟୋରେ ମିଶାଇବୁ'

ଅଧିକ ଭଡ଼ା ପାଇବାର ଲୋଭରେ ଦଲାଲଙ୍କ ସହ ସଲାସୁତରା କରୁଛନ୍ତି। ଟୁ-ଲେଟ୍ ଘର ବାହାରେ ଲାଗୁନଥିବାରୁ ଗ୍ରାହକଙ୍କୁ ଘର ମିଳୁନି । ଲୋକେ ବାଧ୍ୟ ହୋଇ ଦଲାଲଙ୍କ ସହ ଯୋଗାଯୋଗ କରି ଠକାମୀର ଶିକାର ହେଉଛନ୍ତି। ତେବେ ସବୁଠୁ ବଡ କଥା ହେଲା ଦଲାଲଙ୍କ ଏରିଆ ପରିସୀମା ରହୁଛି । କେବଳ ସେହି ଏରିଆର ଲୋକଙ୍କୁ ସେମାନେ ଯୋଗଯୋଗ କରୁଛନ୍ତି। ହେଲେ ସେମାନଙ୍କ ସଂଖ୍ୟା କେତେ, ତାଙ୍କ ଅଫିସ ପଞ୍ଜୀକରଣ ହୋଇଛି କି ନାହିଁ କାହା ପାଖରେ ଏ ତଥ୍ୟ ରହୁନି। ପ୍ରତିଦିନ ବିଭିନ୍ନ ଅଞ୍ଚଳରେ ନୂଆ ନୂଆ ଟୁଲେଟ୍ ଅଫିସ ଗଢି ଉଠୁଛି।

ପଟିଆରେ ଘର ଖୋଜୁଥିବା ଜୟନ୍ତ ସାହୁ କହିଛନ୍ତି ଯେ ଅଫିସ ରହୁଥିବାରୁ ଖୋଜିବା ପାଇଁ ସମୟ ହେଉନି। ଏତେ ବୁଲିବା ଅପେକ୍ଷା ଦଲାଲଙ୍କୁ ଧରି ଘର ଖୋଳୁଛୁ। ଅଧିକ ନେଉଛନ୍ତି। କିନ୍ତୁ ଆମ ପାଖରେ ଉପାୟ କିଛି ନାହିଁ । ସେହିପରି ଜଣେ ଘର ଦଲାଲ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଆମେ କଷ୍ଟ କରି ମଲିକଙ୍କଠୁ ଘର ରଖୁଛୁ। ବୁଲି ବୁଲି ଘର ଦେଖାଉଛୁ। ସେହି ଅନୁଯାୟୀ ନେଉଛୁ ଯାହା I ଅନେକ ସମୟରେ ଗ୍ରାହକ ମାଲିକଙ୍କ ସହ ସଲାସୁତୁରା ହୋଇ ଘର ନେଇ ଯାଉଛନ୍ତି। ଆମ ବେପାର ମାଡ ଖଉଛି ବୋଲି ସେମାନେ କହିଛନ୍ତି ।