କୋଲାକାତା: ତୃଣମୂଳ କଂଗ୍ରେସ (TMC)ରେ ଚାଲିଥିବା ତୀବ୍ର ରାଜନୈତିକ ଅସ୍ଥିରତା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ କୋଲକାତା ବିମାନବନ୍ଦରରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମଙ୍ଗଳବାର ଦିନ ବିମାନବନ୍ଦରରୁ ବାହାରିବା ସମୟରେ କିଛି ଲୋକ ତାଙ୍କୁ ଘେରିଯାଇ ‘ଚୋର୍ ଚୋର୍’ ଏବଂ ‘ଜୟ ଶ୍ରୀ ରାମ’ ନାରା ଦେଇଥିଲେ । ଏହାକୁ ନେଇ ନିଜର କ୍ରୋଧ ସମ୍ଭାଳିପାରି ନଥିଲେ ଟିଏମସି ସାଂସଦ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଅଟକିଥିବା ସମୟରେ କଲ୍ୟାଣ ବାନାର୍ଜୀ ପ୍ରଦର୍ଶନକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ସେ ବିଜେପିକୁ ଟାର୍ଗେଟ କରିଛନ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ପିତା ହିଁ ପ୍ରକୃତ ଚୋର ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଏବେ ତା’ର ୨୮ ବର୍ଷର ଇତିହାସରେ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ଦଳ ଭିତରେ ଏକ ବଡ଼ ଧରଣର ବିଦ୍ରୋହ ଦେଖାଦେଇଛି । ଏହା ପଶ୍ଚିମବଙ୍ଗରେ ଟିଏମସିର ପ୍ରଭାବକୁ ହ୍ରାସ କରିବା ସହ ସଂସଦରେ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ର ସ୍ଥିତିକୁ ଅଧିକ ମଜଭୁତ କରିପାରେ।

ସୂଚନା ଅନୁଯାୟୀ, ଦଳର ପ୍ରାୟ ୨୦ ଜଣ ସାଂସଦ ଏନଡିଏ ସରକାର ସପକ୍ଷରେ ସମର୍ଥନ ଜଣାଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଲ୍ୟାଣ ବାନାର୍ଜୀ ଦଳରୁ ଅଲଗା ହେଉଥିବା ନେତାମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଲ୍ୟାଣ ବାନାର୍ଜୀ ବିଦ୍ରୋହୀମାନଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି ଏବଂ ସେମାନଙ୍କୁ ଦଳରୁ ଇସ୍ତଫା ଦେଇ ଜନସାଧାରଣଙ୍କ ପାଖକୁ ଯାଇ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ କରିଛନ୍ତି।

ବିଜେପିର ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବଙ୍କୁ ଭେଟିବା ପରେ ବିଦ୍ରୋହୀ ନେତାମାନଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଯାଇଛି ବୋଲି ସେ କହିଛନ୍ତି। ଏହି ନେତାମାନେ କେବଳ ପଦବୀର ସୁଖ ଭୋଗ କରୁଛନ୍ତି ଏବଂ ଦଳର ତୃଣମୂଳ ସ୍ତରର କର୍ମୀମାନଙ୍କୁ ପ୍ରତାରଣା କରିଛନ୍ତି।କଲ୍ୟାଣ ବାନାର୍ଜୀ ଦାବି କରିଛନ୍ତି ଯେ, ଦଳ ବଦଳ ବିରୋଧୀ ଆଇନରୁ ସୁରକ୍ଷିତ ରହିବା ପାଇଁ ବିଦ୍ରୋହୀ ଶିବିର ପାଖରେ ଏବେ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାକ ସାଂସଦ ନାହାନ୍ତି ।

କେନ୍ଦ୍ର ସରକାର ଏବଂ ବିଜେପିକୁ ଟାର୍ଗେଟ କରି ଟିଏମସି ସାଂସଦ କହିଛନ୍ତି ଯେ, ବିଜେପି ପାଖରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଶକ୍ତି ଥାଇପାରେ, କିନ୍ତୁ ଟିଏମସି ପାଖରେ ଜନସାଧାରଣଙ୍କ ସମର୍ଥନ ରହିଛି। ସେ କହିଛନ୍ତି ଯେ, ‘ଆପଣଙ୍କ (ବିଜେପି) ପାଖରେ ମୁଖ୍ୟମନ୍ତ୍ରୀ, ଇଡି (ED), ସିବିଆଇ (CBI) ଏବଂ ଅନ୍ୟାନ୍ୟ ପ୍ରଶାସନିକ କ୍ଷମତା ଥାଇପାରେ, କିନ୍ତୁ ମୋ ପାଖରେ 'ମା, ମାଟି, ମାନୁଷ' ର ଆଶୀର୍ବାଦ, ମୋ ଦଳ, ଆମ ଦଳର କର୍ମୀ ଏବଂ ପଶ୍ଚିମବଙ୍ଗର ଜନସାଧାରଣ ଅଛନ୍ତି।’