ଭୁବନେଶ୍ୱର ୨୭।୦୯ : ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି ୱାଇଲ୍ଡଲାଇଫ୍ ପିସିସିଏଫ୍ ପ୍ରେମ କୁମାର ଝା। ଜଙ୍ଗଲ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଅବଗତ କରିଛନ୍ତି। ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଗ୍ରାମାଞ୍ଚଳରେ ହାତୀ-ମଣିଷ ଲଢ଼େଇ ରୋକିବା ପାଇଁ ‘ଗଜ ସାଥୀ’ ମୁତୟନ କରାଯାଉଛି। ହାତୀଙ୍କ ସୁରକ୍ଷା ଓ ଗତିବିଧି ନଜର ରଖିବା ପାଇଁ AI ଚାଳିତ ଟାୱାର, ଥର୍ମାଲ ଡ୍ରୋନ୍ ଏବଂ ରେଡିଓ କଲାର ଭଳି ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। AI ଟାୱାର ଜଙ୍ଗଲ ନିଆଁ ସମ୍ପର୍କରେ ପୂର୍ବସୂଚନା ଦେବାରେ ସହାୟକ ହେବ। ଶିକାରୀ ଓ ମାଫିଆଙ୍କୁ ଧରିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଥିବା ବେଳେ ଖଣି ଅଞ୍ଚଳରେ ହାତୀ କରିଡର୍ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ତାମିଲନାଡୁରୁ ୫ଟି କୁଙ୍କି ହାତୀ ଅଣାଯାଇ ଚନ୍ଦକାର କୁମାରଖୁଣ୍ଟିରେ ପ୍ରଶିକ୍ଷଣ ଦିଆଯିବ।

Also Read:-ପୁଣି ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା, ୨୪ରୁ ୪୮ ଘଣ୍ଟା ଜଳବନ୍ଦୀ ଆଶଙ୍କା

ସେହିପରି ଆସନ୍ତା ବର୍ଷ ସୁଦ୍ଧା ଚନ୍ଦକାରେ ହାତୀ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଅନ୍ୟପଟେ ବନ ବିଭାଗ ପକ୍ଷରୁ ଚନ୍ଦକା, ଶିମିଳିପାଳ ଓ ସାତକୋଶିଆରେ ଆଡଭେଞ୍ଚର ଟୁରିଜିମକୁ ଗୁରୁତ୍ୱ ଦିଆଯାଉଛି। ସବୁ କିଛି ଠିକ୍ ରହିଲେ ସାତକୋଶିଆରେ ପୁନର୍ବାର ବାଘ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ରହିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି।