ଭୁବନେଶ୍ୱର ୨୭।୦୯ : ଓରାଙ୍ଗଉଟାନଙ୍କ ଡିଏନଏ ଟେଷ୍ଟ କରାଯିବ । ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କ ପ୍ରଜାତି ଓ ମୂଳ ଉତ୍ସ ସମ୍ପର୍କରେ ସଠିକ୍ ତଥ୍ୟ ପାଇବା ପାଇଁ ସମସ୍ତଙ୍କର ଡିଏନ୍ଏ ଟେଷ୍ଟ କରାଯିବ ବୋଲି PCCF କହିଛନ୍ତି।

ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଓରାଙ୍ଗଉଟାନଗୁଡ଼ିକର ଯତ୍ନ ନିଆଯାଉଛି। ବୈଷୟିକ କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କର ସମ୍ପୂର୍ଣ୍ଣ ଶରୀର ଯାଞ୍ଚ କରାଯିବା ସହ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେପଟେ ଚୋରାଚାଲାଣ ମାମଲାରେ ବନ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର ଚାଲିଛି। ଏହି ରାକେଟ୍ ପଛରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ବନବିଭାଗ ଏବଂ ପୋଲିସ ମିଳିତ ଭାବେ ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

Also Read:-୧୦ ଦିନ ପରେ ବି STFର ହାତ ଖାଲି, ଓରାଙ୍ଗଉଟାନ ଠାବ ଘଟଣା ଏବେବି ରହସ୍ୟ ଘେରରେ…

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଠାବ ହୋଇଥିଲା । ଏହାପରେ ସେମାନଙ୍କ ୮ ତାରିଖ ରାତିରେ ନନ୍ଦନକାନନକୁ ଅଣାଯାଇଥିଲା। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ଲାଳନପାଳନ କେନ୍ଦ୍ର ସଙ୍ଗରୋଧ ଗୃହରେ ସେମାନଙ୍କୁ ରଖାଯାଇଛି । ପିସିସିଏଫଙ୍କ ଦ୍ୱାରା ଗଠିତ ବୈଷୟିକ କମିଟି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତାଙ୍କ ପରାମର୍ଶରେ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି ।