ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆରବିଜି ଲ୍ୟାବ୍ସ, ଆଇଆଇଟି ମାଡ୍ରାସ ସହଯୋଗରେ ରୋଡ୍ ଇଞ୍ଜିନିୟରିଂ ପାଇଁ ତିନି ଦିନିଆ ତ୍ୱତନ୍ତ୍ର ତାଲିମ ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଇଞ୍ଜିନିୟର ଯୋଗ ଦେଇଥିଲେ। ସଡ଼କ ସୁରକ୍ଷାର ତଥ୍ୟ ଓ ବର୍ତ୍ତମାନ ସ୍ଥିତିକୁ ଆଧାର କରି କିଭଳି ରାଜ୍ୟ ଓ ଜାତୀୟ ରାଜପଥର ଡିଜାଇନ୍ ପଦ୍ଧତିରେ ଇଞ୍ଜିନିୟରମାନେ ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେନେଇ ଏହି କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରଥମ ଦିନ ଆଇଆଇଟି ମାଡ୍ରାସ, ଆରବିଜି ଲ୍ୟାବ୍ସର ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣିଅନ୍ ବର୍ତ୍ତମାନ ସଡ଼କ ଦୁର୍ଘଟଣାର ସ୍ଥିତି, ସଡ଼କ ସୁରକ୍ଷାର ପ୍ରମୁଖ ଆହ୍ୱାନ ଓ ସୁରକ୍ଷିତ ସଡ଼କର ଡିଜାଇନ୍ ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଉପସ୍ଥିତ ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରିଥିଲେ। ଇଞ୍ଜିନିୟରମାନେ ଭୁବନେଶ୍ୱରର ଟ୍ରାଫିକ ପୋଷ୍ଟ ଓ କିଛି ଜଙ୍କସନକୁ ଯାଇ ସେଠାରେ କଣ ସମସ୍ୟା ରହିଛି, କେଉଁ ସବୁ ଇଞ୍ଜିନିୟରିଂ ପଦ୍ଧତିର ପରିବର୍ତ୍ତନ ଆବଶ୍ୟକ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ।

ଦ୍ୱିତୀୟ ଦିନ ବିକଶିତ ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ଲାଇଭ୍ ଡେମୋ ଦିଆଯାଇଥିଲା। ଏଥିସହ ସଡ଼କ ସୁରକ୍ଷା ଅଡିଟ୍, ଅଡିଟ୍ ଟ୍ରିଗର ପଏଣ୍ଟ ଏବଂ ଡିଜାଇନ୍ ସମ୍ବନ୍ଧୀୟ ବିଚାର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଂଶଗ୍ରହଣକାରୀମାନେ ସାଟେଲାଇଟ୍ ଚିତ୍ର ଏବଂ ତଥ୍ୟ ବ୍ୟବହାର କରି ଭର୍ଚୁଆଲ୍ ଏବଂ ଅନ- ସାଇଟ୍ ସୁରକ୍ଷା ଅଡିଟ୍ ମଧ୍ୟ କରିଥିଲେ। ଆରଟିଓ-୨ର ଏମଭିଆଇ ରବୀନ୍ଦ୍ର ଜେନା ସଡ଼କ ସଂକେତ ଓ ବିଭିନ୍ନ ଦୁର୍ଘଟଣା ସମ୍ପର୍କିତ ଭିଡିଓ ମାଧ୍ୟମରେ କିଭଳି ଦୁର୍ଘଟଣା ଘଟୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଶେଷ ଦିନରେ, ଇଞ୍ଜିନିୟରମାନେ କ୍ଷେତ୍ର-ଭିତ୍ତିକ ବିଶ୍ଳେଷଣ ଏବଂ ପ୍ରାରମ୍ଭିକ ସୁରକ୍ଷା ପଦକ୍ଷେପ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କମ ଖର୍ଚ୍ଚରେ କିଭଳି ସଡ଼କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିବ, ସେମାନଙ୍କର ଯୋଜନା, ପ୍ରଭାବ, ମୂଲ୍ୟାଙ୍କନ ଓ ସଡ଼କ ସୁରକ୍ଷା ପ୍ରବର୍ତ୍ତନ ରଣନୀତି ଉପରେ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଲୋଚନାରେ ଟ୍ରାଫିକ୍ ଉଲ୍ଲଂଘନ, ମୋଟର ଯାନ ଆଇନ, CMVRର ପ୍ରମୁଖ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଶିକ୍ଷା, ଜରୁରୀକାଳୀନ ପ୍ରତିକ୍ରିୟା ଓ ଗାଡ଼ି ଚାଳକର ବ୍ୟବହାରର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଅନୁଭୂତି ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ପଦକ୍ଷେପ ଓଡ଼ିଶାରେ ସଡ଼କ ସୁରକ୍ଷା ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ, ଯାହା ସୁରକ୍ଷିତ ସଡ଼କ ଡିଜାଇନ, ତଥ୍ୟ ଆଧାରିତ ଯୋଜନା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ବିକଶିତ ଓଡ଼ିଶା–୨୦୩୬ ଲକ୍ଷ୍ୟ ପ୍ରାପ୍ତିରେ ସାହାଯ୍ୟ କରିବ।