ଆଣ୍ଟାର୍କଟିକା,୦୧|୦୭:ସବୁଆଡେ ଲାଲ୍ ଏବଂ ଲାଲ୍ । ବହି ଯାଉଛି ଧାର୍ ଧାର୍ ତରଳ ପଦାର୍ଥ । ପ୍ରଥମେ ଦେଖିଲେ ଲାଗିବ ରକ୍ତ । ସୃଷ୍ଟି ହେବ ଭ୍ରମ । କିନ୍ତୁ ସତ ଜାଣିଲେ ଉଡିଯିବ ହୋଶ୍ । ଯାହା ଦେଖିବାକୁ ମିଳିଛି ଆଣ୍ଟାର୍କଟିକାରେ । ଏଠାରେ ଏକ ଜଳପ୍ରପାର ସୃଷ୍ଟି କରୁଛି ରକ୍ତର ଭ୍ରମ । ରଙ୍ଗହୀନ ପାଣି ବଦଳରେ ବରଫର ପାହାଡ ଉପରୁ ପଡୁଛି ରକ୍ତିମ ଜଳ ।

ରିପୋର୍ଟ ଅନୁସାରେ, ଆଣ୍ଟର୍କଟିକାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳୁଛି ଏକ ସୁନ୍ଦର ଜଳ ପ୍ରପାତ । ହେଲେ ଏଥିରୁ ପାଣି ବଦଳରେ ପଡୁଛି ନାଲି ରଙ୍ଗର କିଛି ତରଳ ପଦାର୍ଥ । ଯାହା ରକ୍ତର ଭ୍ରମ ସୃଷ୍ଟି କରୁଛି । ଏପରିକି ରକ୍ତର ବନ୍ୟା ହେଲା ଭଳି ଲାଗୁଛି । କିନ୍ତୁ ଏହା କୌଣସି ରକ୍ତ ନୁହେଁ ବରଂ ଏହା ଆଣ୍ଟାର୍କଟିକାର ବିସ୍ମୟ । ଯାହା ଶହ ଶହ ବର୍ଷ ଧରି ଦର୍ଶକଙ୍କ ମନରେ ଉତ୍ସାହ ଏବଂ ଉଦ୍ଦୀପନା ଆଣିଦେଉଛି । ଯାହାକୁ ଲୋକେ ବ୍ଲଡ୍ ଫଲ୍ ବୋଲି କହୁଛନ୍ତି ।

କାହିଁକି ବ୍ଲଡ୍ ଫର ରଙ୍ଗ ଲାଲ୍ ?

ବୈଜ୍ଞାନିକଙ୍କ କହିବାନୁସାରେ, ବ୍ଲଡ୍ ଫଲରେ ରହିଛି ବିପୁଳି ପରିମାଣରେ ଆଇରନ୍ ବା ଲୌହର ମାତ୍ରା । ଏହାସହ ବରଫ ତଳେ ଥିବା କିଛି ଖଣିଜ ପତାର୍ଥ ଏବଂ ଲୁଣି ପାଣିରୁ ଏହାର ଉତ୍ପତି ହୋଇଛି । ଯେତେବେଳେ ପାଣି ବରଫ ତଳୁ ଉପରକୁ ଆସୁଛି ସେହି ସମୟରେ ଏଥିରେ ଥିବା ଲୌହ ଅମ୍ଳଜାନ ସହ ରସାୟନିକ ପ୍ରକ୍ରିୟା କରୁଛି । ଫଳରେ ରଷ୍ଟ୍ ବା କଳଙ୍କି ହୋଇଯାଉଛି । ଯାହା ଫଳରେ ପାଣିର ରଙ୍ଗ ଲାଲ୍ ହୋଇଯାଉଛି । ସବୁଠାରୁ ବଡ କଥା ହେଲା ଯେ, ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା ହେଉଥିଲେ ବି ପାଣି ତରଳ ଅବସ୍ଥାରେ ରହିଯାଉଛି । ଯାହାର କାରଣ ହେଉଛି ଏଥିରେ ଥିବା ଲବଣ ଅଂଶ ।

ବିଶେଷଜ୍ଞଙ୍କ କହିବାନୁସାରେ, ବ୍ଲଡ୍ ଫଲ୍ କୁ ଯେଉଁ ଉତ୍ସରୁ ପାଣି ମିଳୁଛି ତାହା ଟେଲର୍ ଗ୍ଲାସିୟରର ଭୂପୃଷ୍ଠରୁ ୪୦୦ ମିଟର୍ ତଳେ ରହିଛି । ଯାହାର ଇତିହାସ ୧.୫ ମିଲିୟନ ବର୍ଷ ପୁରୁଣା । ଏଠାରେ ଦିନେ ସମୁଦ୍ର ଥିଲା । ପରେ ଏହା ଉପରେ ବରଫ ଜମି ଯାଇଥିଲା । ତେଣୁ ସମୁଦ୍ର ଥିବାରୁ ବରଫ ପୃଷ୍ଠ ତଳେ ଥିବା ପାଣି ଏବେବି ଅଧିକ ମାତ୍ରାରେ ଲୁଣ ଧାରଣ କରିଛି ।

Also Read :- ଟ୍ରମ୍ପ୍ ହେଉଛନ୍ତି 'ଛୋଟା ବତକ', ଭାରତ ସହ ସମ୍ପର୍କ ଖରାପ କରୁଛନ୍ତି ; US ସାଂସଦଙ୍କ ଦାବି

ଶହେ ବର୍ଷର ରହସ୍ୟର ପର୍ଦ୍ଦାଫାସ

ପ୍ରଥମେ ୧୯୧୧ ମସିହାରେ ଅଷ୍ଟ୍ରେଲିଆର ଜିଓଲୋଜିଷ୍ଟ୍ ବା ଭୂବିଜ୍ଞାନୀ ଗ୍ରିଫିଥ୍ ଏହି ବ୍ଲଡ୍ ଫଲକୁ ଆବିଷ୍କାର କରିଥିଲେ । ସେହି ସମୟରେ ଏହି ନାଲି ରଙ୍ଗ କୌଣସି ଶୈବାଳ ପାଇଁ ହୋଇଥିବା ସେ ଭାବିଥିଲେ । ପରେ ଏହାର ଅଧିକ ପରୀକ୍ଷାନୀରିକ୍ଷା ପରେ ଏଥିରେ ଆଇରନ୍ ଥିବା ଜଣାପଡିଥିଲା । ତେବେ ବର୍ଷ ବର୍ଷ ଧରି କିପରି ବରଫ ତଳେ ଥିବା ପାଣି ଉପରକୁ ଆସିଛି ତାକୁ ନେଇ ଏବେବି ଗବେଷଣା ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି ବରଫର ତଳେ ଏବେବି କିଛି କ୍ଷୁଦ୍ର ଜୀବାଣୁ ଏବଂ ଗୁଳ୍ମ ରହିଛନ୍ତି । ସେମାନେ ବିନା ଅମ୍ଳଜାନ ଏବଂ ସୂର୍ଯ୍ୟାଲୋକରେ ବଞ୍ଚି ରହିଛନ୍ତି । ଯାହା ବୈଜ୍ଞାନିକଙ୍କୁ ଚକିତ କରିଛି ।