• ୧୯୮୦ ଦଶକ ଶେଷ ଆଡକୁ କଂଗ୍ରେସ ଛାତ୍ର ସଂଗଠନ ‘ଛାତ୍ର ପରିଷଦ’ ସଦସ୍ୟ ରୂପେ ରାଜନୀତିରେ ପାଦ ଥାପିଥିଲେ
  • ୧୯୯୫ରେ ସେ ପ୍ରଥମ ଥର ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ
  • ଶୁଭେନ୍ଦୁଙ୍କ ସବୁଠୁ ବଡ଼ ରାଜନୈତିକ ବାଜି ୨୦୨୧ରେ ନନ୍ଦିଗ୍ରାମରେ ମମତାଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା
  • ୧୯୯୯ ମସିହାରେ ତାଙ୍କ ପିତାଙ୍କ ସହ ଟିଏମସିରେ ଯୋଗ ଦେଇଥିଲେ।
  • ମମତା ୨୦୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଅଧିକାଂଶ ଶୁଭେନ୍ଦୁଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଦେଖିଥିଲେ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ର ଏକଦା ପୋଷ୍ଟର ବୟ ତଥା ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନର ମୁଖ୍ୟ ଚେହେରା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗରେ ବିଜେପିର ନାମ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁରରୁ ବିଜୟୀ ହୋଇଛନ୍ତି। ତାଙ୍କପାଇଁ ଭବାନୀପୁର ସିଟ୍ ଏଥି ପାଇଁ ବିଶେଷ ଯେ ସେ ଏଠାରେ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି।

ତେବେ ଏଥିରେ ଦ୍ୱିମତ ନାହିଁ ଯେ ଶୁଭେନ୍ଦୁଙ୍କ ଏହି ଦୋହରା ସଫଳତା ଓ ନିଜ ଗଡ଼ ପୂର୍ବ ମେଦିନପୁରରେ ସମସ୍ତ ୧୬ଟି ଆସନରେ ଟିଏମସିକୁ ପରାସ୍ତ କରିବା ଓ ବିଜେପିର ବିଜୟ ସୁନିଶ୍ଚିତ କରିବା ତାଙ୍କୁ ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗଧାଡିରେ ଛିଡା କରିଥିଲା। ଏଣୁ ଅମିତ ଶାହଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଉପରେ ସର୍ବ ସମ୍ମତି ହୋଇଛି ଓ ତାଙ୍କୁ ବିଧାୟକ ଦଳ ନେତା ବଛା ଯାଇଛି।

ମମତାଙ୍କ ଚିର ପ୍ରତିଦ୍ୱନ୍ଦ୍ୱୀ ହେଲେ ଶୁଭେନ୍ଦୁ
ଏକ ସମୟରେ ମମତାଙ୍କ ସବୁଠୁ ନିକଟତମ ସହଯୋଗୀଙ୍କ ମଧ୍ୟରେ ଗଣ୍ୟ ହେଉଥିବା ଶୁଭେନ୍ଦୁ ଅଧିକାରୀ ଆଜି ମମତାଙ୍କ ଲାଗି ସମ୍ଭବତଃ ଦୁର୍ଜୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଏହି ପ୍ରକ୍ରିୟାରେ ଶୁଭେନ୍ଦୁ ନା କେବଳ ନିଜ ରାଜନୈତିକ ଭବିଷ୍ୟତକୁ ନୂଆ ଆକାର ଦେଇଛନ୍ତି ବରଂ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଜେପି ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସ ଭାଜନ ମଧ୍ୟ ହୋଇଛନ୍ତି। ଶୁଭେନ୍ଦୁଙ୍କ ପ୍ରାରମ୍ଭିକ ରାଜନୈତିକ ଜୀବନର ଅଧିକାଂଶ ସମୟ କୃଷି ପ୍ରଧାନ ପୂର୍ବ ମେଦିନିପୁର ଜିଲ୍ଲାର ଉପକୂଳ ଓ ଔଦ୍ୟୋଗିକ କ୍ଷେତ୍ର ନିଜର ଦବଦବା କାୟମ କରିବାରେ ବିତିଥିଲା। ତେବେ ୨୦୨୦ରେ ସେ ତୃଣମୂଳ କଂଗ୍ରେସରୁ ଅଲଗା ହୋଇଯାଇଥିଲେ।

୨୦୨୧ ନିର୍ବାଚନରେ ପକାଇଥିଲେ ବିଜେପି ବିଜୟର ନିଅଁ
ଶୁଭେନ୍ଦୁ ବିଜେପିରେ ଯୋଗଦେବା ବେଙ୍ଗଲ ରାଜନୀତିରେ ଏକ ବଡ଼ ମୋଡ଼ ସାବ୍ୟସ୍ତ ହୋଇଛି। ସେ ଖୁବ୍ ଶୀଘ୍ର ରାଜ୍ୟର ପ୍ରମୁଖ ନେତାଙ୍କ ମଧ୍ୟରେ ନିଜକୁ ଜଣେ ରୂପେ ସ୍ଥାପିତ କରିପାରିଛନ୍ତି। ଶୁଭେନ୍ଦୁଙ୍କ ସବୁଠୁ ବଡ଼ ରାଜନୈତିକ ବାଜି ୨୦୨୧ରେ ନନ୍ଦିଗ୍ରାମରେ ମମତାଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଥିଲା। ଏଥିରେ ତାଙ୍କର ବିଜୟ ସାରା ରାଜ୍ୟରେ ତାଙ୍କୁ ଲୋକପ୍ରିୟ କରିଥିଲା। ଯେଉଁ ଲୋକପ୍ରିୟତା ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପିର ନେତୃତ୍ୱ ନେବାରେ ସହାୟକ ସାବ୍ୟସ୍ତ ହୋଇଛି।

୧୯୮୦ରେ ଛାତ୍ରନେତା ୧୯୯୯ରେ ଧରିଥିଲେ ଟିଏମସିର ହାତ
ଶୁଭେନ୍ଦୁ ୧୯୮୦ ଦଶକ ଶେଷ ଆଡକୁ କଂଗ୍ରେସ ଛାତ୍ର ସଂଗଠନ ‘ଛାତ୍ର ପରିଷଦ’ ସଦସ୍ୟ ରୂପେ ରାଜନୀତିରେ ପାଦ ଥାପିଥିଲେ। ୧୯୯୫ରେ ସେ ପ୍ରଥମ ଥର ନିର୍ବାଚନ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ ଓ କାନ୍ଥୀ ନଗରପାଳିକା କାଉନସିଲର ନିର୍ବାଚିତ ହୋଇଥିଲେ। ୧୯୯୯ ମସିହାରେ ତାଙ୍କ ପିତାଙ୍କ ସହ ଟିଏମସିରେ ଯୋଗ ଦେଇଥିଲେ। ଏହା ପରେ ଶୁଭେନ୍ଦୁ ଦୁଇ ଥର ନିର୍ବାଚନ ଲଢିଥିଲେ। ଥରେ ବିଧାନସଭା ଓ ଆଉ ଥରେ ଲୋକସଭା ହେଲେ ଦୁଇଥର ପରାଜିତ ହୋଇଥିଲେ। ତେବେ ୨୦୦୬ ମସିହାରେ କୋଣ୍ଟାଇ ବିଧାନସଭା ସିଟ୍ ରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ନନ୍ଦିଗ୍ରାମ ଜମି ଆନ୍ଦୋଳନ ବଦଳାଇଦେଲା ମୋଡ଼
୨୦୦୭ରେ ନନ୍ଦିଗ୍ରାମରେ ହୋଇଥିବା କୃଷିଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ବେଙ୍ଗଲ ରାଜନୈତିକ ପରିଦୃଶ୍ୟକୁ ବଦଳାଇ ଦେଇଥିଲା। ଏଥିରେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସର ଅଗ୍ରଣୀ ପଙକ୍ତିରେ ଛିଡା ହୋଇଥିଲେ। ଖୁବ୍ ଶୀଘ୍ର ଶୁଭେନ୍ଦୁ ଟିଏମସି କୋର ଗ୍ରୁପ ସଦସ୍ୟ ପାଲଟି ଯାଇଥିଲେ ଓ ପାର୍ଟିର ଯୁବ ଶାଖା ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ୨୦୦୯ରେ ସେ ତାମଲୁକ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ରାଜନୀତିକୁ ଅଭିଷେକଙ୍କ ଏଣ୍ଟ୍ରିଯୋଗୁ ଭାଙ୍ଗିଥିଲା ଶୁଭେନ୍ଦୁଙ୍କ ମନ
ମମତା ୨୦୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଅଧିକାଂଶ ଶୁଭେନ୍ଦୁଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଦେଖିଥିଲେ। ତେବେ ଦୁଇ ନେତାଙ୍କ ମଧ୍ୟରେ ସେତେବେଳେ ଅବିଶ୍ୱାସ ସୃଷ୍ଟି ହେଲା ଯେତେବେଳେ ମମତା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ରାଜନୀତି ପ୍ରବେଶ ଘୋଷଣା କଲେ। ସେତେବେଳେ ମାତ୍ର ୨୪ ବର୍ଷର ଅଭିଷେକଙ୍କୁ ତୃଣମୂଳ ଯୁବ ଶାଖାର ଅଧ୍ୟକ୍ଷ କରାଯାଇଥିଲା। ମମତାଙ୍କ ଏହି ନିଷ୍ପତ୍ତି ଶୁଭେନ୍ଦୁଙ୍କୁ ଅସନ୍ତୁଷ୍ଟ କରିଥିଲା। କାରଣ ପାର୍ଟିରେ ୨ଟି ଯୁବ ସଙ୍ଗଠନର ବ୍ୟବସ୍ଥା ନଥିଲା। ଏଣୁ ୨୦୧୪ ମସିହାରେ ଶୁଭେନ୍ଦୁଙ୍କୁ ଯୁବ ଶାଖା ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା।

Also Read..ଶୁଭେନ୍ଦୁ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ