ୱାରଙ୍ଗଲ: ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ୮୦୦ ବର୍ଷ ପ୍ରାଚୀନ କାକତୀୟ କାଳର ଶିବ ମନ୍ଦିର ଭଙ୍ଗା ଯିବା ପରେ ବିବାଦ ଉପୁଜିଛି। ଏହି ମନ୍ଦିର ଖାନପୁର ମଣ୍ଡଳର ଅଶୋକ ନଗରରେ ଥିଲା। କୁହାଯାଉଛି ଏହା ତ୍ରୟୋଦଶ ଶତାବ୍ଦୀର କାକତୀୟ ଶାସକ ଗଣପତି ଦେବଙ୍କ ସମୟର ଥିଲା। ସ୍ଥାନୀୟ ଲୋକେ ଓ ଐତିହାସିକଙ୍କ କହିବା କଥା ହେଉଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଥିଲା। ଏଥିରେ ଏକ ୭ ଧାଡିର ତେଲଗୁ ଶିଳାଲେଖ ମଧ୍ୟ ଥିଲା, ଯେଉଁଥିରୁ ମନ୍ଦିରଟି ୧୨୩୧ବିସିର ବୋଲି ପ୍ରମାଣ ମିଳେ। ଏଥିରେ ରାଜାଙ୍କୁ ‘ମହାରାଜା’ ଓ ‘ରାଜାଧିରାଜୁଲୁ’ ସମ୍ମାନୀତ ଶବ୍ଦରେ ସମ୍ବୋଧିତ କରାଯାଇଥିଲା।

ସରକାରୀ ବିଦ୍ୟାଳୟ ନିର୍ମାଣ ପାଇଁ ଅଞ୍ଚଳ ସଫା କରାଯାଇଥିଲା
କୁହାଯାଉଛି ଏହି ସ୍ଥଳକୁ ସରକାରୀ ଇଣ୍ଟିଗ୍ରେଟେଡ ସ୍କୁଲ ନିର୍ମାଣ ପାଇଁ ବୁଲଡୋଜର ଲଗାଇ ସଫା କରାଯାଇଥିଲା। ଏହା ପୂର୍ବରୁ ଏହି ମନ୍ଦିରକୁ ୧୯୬୫ ମସିହାରେ ହେରିଟେଜ୍ ବିଭାଗ ଦ୍ୱାରା ରେକର୍ଡ କରାଯାଇଥିଲା। ଏହି ଘଟଣା ପରେ ଇତିହାସକାର ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନଙ୍କ କହିବା କଥା ହେଉଛି ଏହି ଐତିହାସିକ କିର୍ତ୍ତିକୁ ସୁରକ୍ଷିତ କରାଯାଇ ପାରିଥାନ୍ତା ଅଥବା ସ୍ଥାନାନ୍ତର ମଧ୍ୟ କରାଯାଇପାରିଥାନ୍ତା। ମାମଲା ସାମ୍ନାକୁ ଆସିବା ପରେ ତେଲେଙ୍ଗାନା ମାନବାଧିକାର ଓକିଲ ରାମାରାଓ ଇମ୍ମାନନୀ ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣ ନିକଟରେ ଅଭିଯୋଗ ରୁଜୁ କରିଛନ୍ତି।

ଘଟଣାରେ ସଂସ୍କୃତି ମନ୍ତ୍ରାଳୟ ଓ ପ୍ରତ୍ନତତ୍ୱ ବିଭାଗ ମଧ୍ୟ ମାମଲା ରୁଜୁ କରିଛନ୍ତି। ପ୍ରତ୍ନତତ୍ୱ ଓ ବନ୍ଦୋବସ୍ତ ବିଭାଗରୁ ଅନିବାର୍ଯ୍ୟ ମଞ୍ଜୁରୀ ନ ନେଇ କାମ ପାଇଁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ ତେଲେଙ୍ଗାନା ହେରିଟେଜ ଅଧିନିୟମର ଧାରା ୩୦ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବିରୋଧର ଜବାବରେ ୱାରଙ୍ଗଲ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ସ୍ପଷ୍ଟିକରଣ ଜାରି କରିଛି। ଏଥିରେ ପ୍ରଶାସନ ଜାଣି ଶୁଣି ଭଙ୍ଗା ରୁଜା କରିବା ଅଭିଯୋଗ କୁ ଅସ୍ୱୀକାର କରିଛି।

ପ୍ରଶାସନ କହିଛି ଯେ ୩୦ ଏକର ଜମିରୁ ଝାଟି ସଫା କରିବା କାଳରେ ଏକ ପୁରୁଣା ଜରାଜିର୍ଣ୍ଣ ସଂରଚନାର ଅବଶେଷ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ସଂରଚନାକୁ ଅଧିକାରୀକ ରୂପେ ସଂରକ୍ଷିତ ସ୍ମାରକ ରୂପେ ରେକର୍ଡ କରାଯାଇନଥିଲା। ତେବେ ଜନତାଙ୍କ ଅସନ୍ତୋଷକୁ ଶାନ୍ତ କରିବାକୁ ୱାରଙ୍ଗଲ କଲେକ୍ଟର ଡ.ସତ୍ୟସାରଦା ଓ ନରସାମପେଟ୍ ବିଧାୟକ ଡି.ମାଧବ ରେଡ୍ଡୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେହି ସ୍ଥାନରେ ମନ୍ଦିର ପୁନନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ କହିଛନ୍ତି ଯେ ପୁନନିର୍ମାଣ ଇତିହାସକାର, ସ୍ଥପତି (ପାରମ୍ପରିକ ବାସ୍ତୁକାର) ଓ ପ୍ରତ୍ନତତ୍ୱ ବିଭାଗ ପରାମର୍ଶରେ କରାଯିବ। ଏହା ଛଡା ସ୍ଥଳକୁ ଔପଚାରିକ ରୂପେ ସଂରକ୍ଷିତ କରିବାକୁ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।