ନୂଆଦିଲ୍ଲୀ: ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ବୃଦ୍ଧି ଘଟିଛି। ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୦.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅବଶ୍ୟ ମୁଦ୍ରାସ୍ଫୀତି ଏବେବି RBIର ଧାର୍ଯ୍ୟ ସୀମା ବା ଟଲରାନ୍ସ ଲେବୁଲ ସ୍ତର ୪ ପ୍ରତିଶତ ତଳେ ରହିଛି। ତେବେ ବଡ଼ କଥା ହେଲା ଅକ୍ଟୋବରଠାରୁ ମୁଦ୍ରାସ୍ଫୀତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ମତରେ ଯଦି ମଧ୍ୟପ୍ରାଚ୍ୟ ସଙ୍କଟ ଦୀର୍ଘ ସମୟ ଧରି ଜାରି ରହେ, ତେବେ ଆଗାମୀ ଦିନରେ ମୁଦ୍ରାସ୍ଫୀତିରେ ବଡ଼ ବୃଦ୍ଧି ଦେଖିବାକୁ ମିଳିବ।

ଏପ୍ରିଲରେ କେତେ ବଢ଼ିଲା ମୁଦ୍ରାସ୍ଫୀତି ?

ସରକାରୀ ତଥ୍ୟ ଅନୁସାରେ, ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ମାସରେ  ୩.୪୮% ସ୍ତରରେ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ଏହା ୩.୪୦% ରହିଥିଲା। ବଡ଼ କଥା ହେଲା ୨୦୨୫ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତରେ ପହଞ୍ଚିଥିଲା। ହେଲେ ଏହା ପରଠାରୁ କିନ୍ତୁ ଲଗାତାର ବଢ଼ିବାରେ ଲାଗିଛି। ନଭେମ୍ବରରେ ଏହା ୦.୭୧ ପ୍ରତିଶତ, ଡିସେମ୍ବରରେ ୧.୩୩ ପ୍ରତିଶତ, ଜାନୁଆରୀରେ ୨.୭୪ ପ୍ରତିଶତ, ଫେବୃଆରୀରେ ୩.୨୧ ପ୍ରତିଶତରେ ପହଞ୍ଚିଥିଲା।

Also Read: ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ନିର୍ଦ୍ଦେଶ, ଲିମିଟ୍ ଠାରୁ ପକାଇ ପାରିବେନି ଅଧିକ ତେଲ​​​​​​​

ଖାଦ୍ୟ ମୁଦ୍ରାସ୍ଫୀତିରେ ବି ବୃଦ୍ଧି ପାଇଛି

ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଖାଦ୍ୟ ପଦାର୍ଥର ଦାମ୍ ବୃଦ୍ଧି। ୨୦୨୫ ଏପ୍ରିଲ ତୁଳନାରେ ୨୦୨୬ ଏପ୍ରିଲରେ ସର୍ବଭାରତୀୟ ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI), ୪.୨୦ ପ୍ରତିଶତ ରହିଛି। ସେହିଭଳି ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ଅନୁରୂପ ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୪.୨୬ ପ୍ରତିଶତ ଏବଂ ୪.୧୦ ପ୍ରତିଶତ ରହିଛି। ଏହାର ଅର୍ଥ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୮୭ ପ୍ରତିଶତ ଥିଲା।