ନ୍ୟୁୟର୍କ, ୨୭/୦୮ : ଟେକ୍ନୋଲୋଜି କମ୍ପାନି ମେଟାକୁ ଏହାର ଫେସବୁକ ଏବଂ ଇନ୍ଷ୍ଟାଗ୍ରାମର ଓ୍ୱାଚ୍ ଟାଇମ୍ କମ୍ କରିବା ଲାଗି ଦୈନିକ ବ୍ୟବହାର ସୀମା ଏବଂ ରାତ୍ରି ବ୍ୟବହାର ବ୍ଳକ ଭଳି ଫିଚର୍ ଆଣିବାକୁ ହେବ। ଫଳରେ ଛୋଟପିଲାଙ୍କୁ ରାତିରେ ଏଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରୁ ଦୂରେଇ ରଖିବାରେ ଅଭିଭାବକଙ୍କୁ ଏକ ବିକଳ୍ପ ମିଳିବ। ଆମେରିକାର କାଲିଫର୍ଣ୍ଣିଆ ଫେଡେରାଲ କୋର୍ଟ ୨୯ଟି ରାଜ୍ୟ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଶିଶୁଙ୍କର ସୋସିଆଲ ମିଡିଆ ଆସକ୍ତି, ସୁରକ୍ଷା ବିପନ୍ନତା ଏବଂ ବିନା ସହମତିରେ ଡାଟା ସଂଗ୍ରହ ନେଇ କମ୍ପାନି ବିରୋଧରେ ଅଭିଯୋଗ ରହିଥିଲା। ଶିଶୁଙ୍କ ସୁରକ୍ଷାକୁ ଅଣଦେଖା କରୁଥିବା ଅଭିଯୋଗରେ କମ୍ପାନିକୁ ୧.୫୯ ଲକ୍ଷ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଆମେରିକାର ବିଭିନ୍ନ ରାଜ୍ୟ, ସ୍କୁଲ ଏବଂ ଅଭିଭାବକମାନେ ଯୁବବର୍ଗଙ୍କ ମାନସିକ ଚାପ ବଢ଼ାଉଥିବା ନେଇ ମେଟା ବିରୋଧରେ ଅଭିଯୋଗ ଆଣି ମାମଲା କରିଥିଲେ।

ଅଭିଭାବକଙ୍କୁ ନ ଜଣାଇ କିମ୍ବା ଅନୁମତି ନ ନେଇ କମ୍ପାନି ଶିଶୁଙ୍କ ଡାଟା ସଂଗ୍ରହ କରିଥିବା ଏବଂ ଏହାକୁ ମେଶିନ ଲର୍ଣ୍ଣିଂ ଓ ଜେନେରେଟିଭ ଏଆଇକୁ ତାଲିମ ଦେବାରେ ମଧ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ମେଟା ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିଭିହୀନ ବୋଲି କହିଛି। କମ୍ପାନି କହିଛି, ଶିଶୁଙ୍କ ସୁରକ୍ଷା ଲାଗି କଡ଼ା ପଦ ଗ୍ରହଣ କରାଯାଇଛି। ଟିନ୍ ଆକାଉଣ୍ଟ ଭଳି ସୁବିଧା ରହିଛି। ନୂଆ ସୁବିଧା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରାଯାଉଛି। ସୋସିଆଲ ମିଡିଆ ଆସକ୍ତି କୌଣସି ମାନ୍ୟତା ପ୍ରାପ୍ତ ମାନସିକ ରୋଗନୁହେଁ। ଅନ୍ୟପଟେ ଏହି ରାୟକୁ ନେଇ କମ୍ପାନି ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି।

ଏହି ମାମଲାରେ ମେଟାଠାରୁ ବଡ଼ ପରିମାଣରେ ଜରିମାନା ଆଦାୟ କରାଯାଉ ବୋଲି ଆମେରିକାର ବିଭିନ୍ନ ରାଜ୍ୟ ଦାବି କରୁଥିଲେ । କୋର୍ଟ ଫାଇଲିଂ ମୁତାବକ, କାଲିଫର୍ଣ୍ଣିଆ ଏବଂ କଲରାଡୋ ଭଳି ରାଜ୍ୟ ମେଟା ବିରୋଧରେ ୧୩୩.୪୮ ଲକ୍ଷ କୋଟିର ଜରିମାନା ଦାବି କରୁଥିଲେ। ପରେ ଏହାକୁ ୧୯.୦୭ ଲକ୍ଷ କୋଟିକୁ ହ୍ରାସ କରାଯାଇଥିଲା। ଜରିମାନା ବାଦ ରାଜ୍ୟ ଗୁଡିକୁ କ୍ଷତିପୂରଣ, ନୂଆ ଆକାଉଣ୍ଟ ବନାଇବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବା ପାଇଁ ଆବେଦନରେ କହିଥିଲେ ରାଜ୍ୟ ।

Also Read :- ଓଡ଼ିଶାରେ ବାତିଲ ହେଲା ୨୦ ଲକ୍ଷ ଗାଡ଼ିର ରେଜିଷ୍ଟ୍ରେସନ୍ : ଆହୁରି ହଟିବ ୩୦ ଲକ୍ଷ ଗାଡି ! ଆପଣ ବି କରନ୍ତୁ ଚେକ୍

ମେଟା ବାଦ ସ୍ନାପ୍ଚାଟ, ୟୁଟ୍ୟୁବ, ଟିକଟକ୍ ଭଳି ଭଳି କମ୍ପାନି ଗୁଡ଼ିକ ଏବେ ଅଦାଲତରେ ବିଭିନ୍ନ ମାମଲାର ସାମ୍ନା କରୁଛନ୍ତି। ଆପ୍ଲିକେସନ ଗୁଡ଼ିକ ଜାଣତରେ ସେମାନଙ୍କ ପ୍ଲାଟଫର୍ମ ଗୁଡ଼ିକୁ ଯୁବବର୍ଗ ଏବଂ ଛୋଟପିଲାଙ୍କୁ ଆସକ୍ତ କରିବା ଭଳି ବନାଉଥିବା ଅଭିଯୋଗ ରହିଛି। ଏଭଳି ଘଟଣା ସୋସିଆଲ ମିଡିଆ କମ୍ପାନି ଗୁଡ଼ିକ ଲାଗି ବଡ଼ ଚେତାବନୀ। ଆଗାମୀ ଦିନରେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଡିଜାଇନ ଏବଂ ନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏହା ଡିଜିଟାଲ ଦୁନିଆରେ ନୂଆ ପରିବର୍ତ୍ତନର ସୂତ୍ରପାତ କରିବ।