କେନ୍ଦୁଝର ୨୯।୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ସ୍ଥିତ ସ୍ନାନ ମଣ୍ଡପରେ ପାଳିତ ହୋଇଛି ଜଗନ୍ନାଥଙ୍କର ନିଆରା ସ୍ନାନ ଉତ୍ସବ । ଏହି ମନ୍ଦିର ହେଉଛି ପୁରୀର ଜଗନ୍ନାଥ ମନ୍ଦିର ପରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବିଷ୍ଣୁ ମନ୍ଦିର । ସକାଳ ୭ଟା ସମୟରେ ଠାକୁରଙ୍କର ଅବକାଶ, ୮ଟା ସମୟରେ ଲୁଗାଲାଗି, ୯ ଟା ସମୟରେ ପୁଷ୍ପାଞ୍ଜଳି ହେବାପରେ ୧୦ଟା ସମୟରେ ସୁଦର୍ଶନ, ବଡଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉ, ଭଗୀନି ସୁଭଦ୍ରା ଓ ସାନଭାଇ ଜଗନ୍ନାଥଙ୍କ ସହ ଧାଡି ପହଣ୍ଡିରେ ଆସି ସ୍ନାନବେବୀରେ ବିଜେ ହୋଇଥିଲେ ।

ସ୍ନାନ ବେଦୀରେ ଯଥାବିଧି ପୂଜାର୍ଚ୍ଚନା ପରେ ସୁନା ପାତ୍ରରେ ସୁନା କୂଅରୁ ଆସିଥିବା ଜଳରେ ୩ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ବିଧି ଅନୁସାରେ ବଳଭଦ୍ରଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୩ ଓ ସୁଦର୍ଶନଙ୍କୁ ୧୮ ଗରା ଏହିପରି ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା । ଦେବସ୍ନାନ ନୀତି ଶେଷ ହେବାପରେ ଅପରାହ୍ନରେ ଶ୍ରୀ ବିଗ୍ରହ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ ।

Also Read:- ସ୍ନାନ ବେଦୀରେ ଅଭାବନୀୟ ଦୃଶ୍ୟ ! ପ୍ରଭୁ ଜଗନ୍ନାଥଙ୍କୁ ମହାରାଜା ଆଳତି କରିବା ବେଳେ ଲିଭିଗଲା ଦୀପ

ଏଠାରେ ଗଜାନନ ବେଶର ରହିଛି ଟିକେ ନିଆରା ପରମ୍ପରା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କୁ ଅଳା ପତ୍ରରେ ଜଗନ୍ନାଥଙ୍କୁ ତୁଳସୀ ପତ୍ରରେ ଗଜାନନ ବେଶ କରାଯାଉଥିବା ବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସଜ୍ଜିତ କରାଯାଇଥାଏ । ଏହାସହ ସବୁଠାରୁ ନିଆରା ପରମ୍ପରା ହେଲା ଶ୍ରୀଜିଉ ମାନଙ୍କୁ ଏଠାରେ ତାଳପତ୍ରରେ ତିଆରି ମୁକୁଟ ପିନ୍ଧା ଯାଇଥାଏ । ଏହି ବେଶକୁ ଭକ୍ତ ମାନେ ଦେଖି ସାରିବା ପରେ ରାତି ୯ଟା ରୁ ୧୧ଟା ମଧ୍ୟରେ ଗୋଟି ପହଣ୍ଡିରେ ଆଣି ଅଣସର ଘରେ ବିଜେ କରାଯିବ । ଅହୁରି ମଧ୍ୟ ବିଶ୍ଵର ସର୍ବ ବୃହତ୍ ରଥ କେନ୍ଦୁଝର ରଥ ପରମ୍ପରା ଅନୁଯାୟୀ ଶିଆଳି ଦଉଡିରେ ଟଣା ହୁଏ ଓ ଏହି ଦଉଡ଼ିକୁ ଭୂୟାଁ ଜୁଆଙ୍ଗ ମାନେ ଯୋଗାଇ ଦେଇଥାନ୍ତି । ନିୟମ ଅନୁସାରେ ଆଜିର ଦେବସ୍ନାନ ପୂର୍ଣ୍ଣିମା ଦିନରେ ଚାରି ଗାଁର ପିଢର ଭୂୟାଁ ସର୍ଦ୍ଧାର ଆସି ଠାକୁରଙ୍କ ଠାରୁ ଅଜ୍ଞା ମାଳା ନେଇ ଯାଇଛନ୍ତି ଓ ଦଉଡ଼ି ପ୍ରସ୍ତୁତ କାମରେ ଲାଗିବେ ।