କେନ୍ଦୁଝର ୨୫।୭: ବିଶ୍ଵ ର ସର୍ବ ବୃହତ୍ ରଥ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ନିଆରା ସୁନା ବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି । ଆଜି ପାଗ ମେଘୁଆ ସହ ପ୍ରବଳ ବର୍ଷା ସତ୍ତ୍ବେ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Also Read:- ବ୍ରାଉନସୁଗାର ମାମଲାରେ ପୁଣି ୨ ଗିରଫ, ୧୭ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

ବିଶ୍ଵର ସର୍ବବୃହତ ରଥ ତଥା ବିଶ୍ବ ପ୍ରସିଦ୍ଧ କେନ୍ଦୁଝର ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡ ଠାକୁର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର ଜଗତର ନାଥ ଜଗନ୍ନାଥଙ୍କର ଏକ ସଙ୍ଗେ ସୁନାବେଶକୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ୍ ନିଆରା । କେନ୍ଦୁଝରର ଏହି ସୁନାବେଶରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି. ଓଜନର ସୁନା ଓ ୬୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । ପୂର୍ବାହ୍ନ ୧୨ଟା ସମୟରେ ଉପଜିଲ୍ଲାପାଳଙ୍କ ସହ ମାଜିଷ୍ଟ୍ରେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀ ଓ ଏସବିଆଇ ଲକରରୁ ତିନି ଠାକୁରଙ୍କର ସୁନା ରୂପା ଗହଣା ରଥ ଉପରକୁ ଅଣାଯାଇ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦିନ ୩ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କଙ୍କ ପାଇଁ ଖୋଲା ରହିବାର କାର୍ଯ୍ୟକ୍ରମ ରହିଛି । ଭକ୍ତ ମାନଙ୍କ ଭିଡକୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।