ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ ଜାରି ଭୋଟର ଲିଷ୍ଟ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) କୁ ନେଇ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଦେଶର ପୂର୍ବତନ ନିର୍ବାଚନ ଆୟୁକ୍ତ ଏସ.ୱାଇ.କ୍ୟୁରେସୀ ନିର୍ବାଚନ ଆୟୋଗଙ୍କ ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଏସଆଇଆରରେ ଭୋଟର ଲିଷ୍ଟରୁ ବହୁ ସଂଖ୍ୟାରେ ନାମ ହଟିବା ଘଟଣାକୁ ସମାଲୋଚନା କରିଛନ୍ତି ଓ ଅବୈଧ ପ୍ରବାସୀଙ୍କ ଚିହ୍ନଟ ଲାଗି ଏହାର ମୂଳ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

କଟିଲାଣି ୧୫କୋଟି ଭୋଟରଙ୍କ ନାମ
କ୍ୟୁରେସୀ କହିଛନ୍ତି ଯେ ନିର୍ବାଚନ ଆୟୋଗ ଧନ୍ୟବାଦର ପାତ୍ର, ଯିଏ ଏହି କାର୍ଯ୍ୟକ୍ରମରେ ଦେଶର ୧୪ରୁ ୧୫କୋଟି ଜନସଂଖ୍ୟାର ନାମ ଭୋଟର ଲିଷ୍ଟରୁ ହଟାଇବାର ଜଟିଳ କାମ କରି ଦେଖାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଆୟୋଗଙ୍କୁ ଏହି କୌଶଳ ଦ୍ୱାରା କେତେ ଅବୈଧ ପ୍ରବାସୀ ଚିହ୍ନଟ ହୋଇଛନ୍ତି?

ତଥ୍ୟ ସାର୍ବଜନିକ କରାଯାଉ
କ୍ୟୁରେସୀ ନିର୍ବାଚନ ଆୟୋଗଙ୍କୁ ଏହି ତଥ୍ୟ ସାର୍ବଜନିକ କରନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ତାଙ୍କୁ ଏହି ତଥ୍ୟ ଦେଶ ଆଗରେ ରଖିବାକୁ ପଡିବ, ଯାହାଦ୍ୱାରା ତାଙ୍କ ଉପଲବ୍ଧି ଲୋକେ ଜାଣି ପାରିବେ। ଏହା ଏକ ଏପରି ସଫଳତା ଯାହାକୁ ଜାତୀୟ ଜନସଂଖ୍ୟା ଆୟୋଗ ମଧ୍ୟ ହାସଲ କରିପାରି ନାହାନ୍ତି। ଦେଶର ପାଖାପାଖି ୧୫ ପ୍ରତିଶତ ଜନସଂଖ୍ୟାକୁ ହଟାଇ ନିର୍ବାଚନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣରେ ବଡ଼ ଯୋଗଦାନ ଦେଇଛନ୍ତି।

ଭୋଟ ଦେବା ଆମର ସାମ୍ବିଧାନିକ ଅଧିକାର
କ୍ୟୁରେସୀ ଅଭିଯୋଗ କରିଛନ୍ତି ଯେ ପୁରା ଏସଆଇଆର ପ୍ରକ୍ରିୟାର ଉଦ୍ଦେଶ୍ୟ ହିଁ ଭୁଲ। ଯେଉଁଭଳି କୋଟି କୋଟି ନାଗରିକଙ୍କ ନାଁ ଭୋଟର ଲିଷ୍ଟରୁ କଟୁଛି ଏହା ଗଣତନ୍ତ୍ର ସହିତ ସିଧାସଳଖ ଖେଳ। ସେ ସମ୍ବିଧାନର ଧାରା ୩୨୬ର ଉଦାହରଣ ଦେଇ କହିଛନ୍ତି ଯେ ଭୋଟ ଦେବା ଭାରତର ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। ଏହା ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ୍ତ କୌଣସି ଅନୁଗ୍ରହ ନୁହେଁ।

ଏସଆଇଆର କ’ଣ?
ଭାରତର ମୁଖ୍ୟ ନିର୍ବାଚନ କମିଶନ (ଇସିଆଇ) ଜ୍ଞାନେଶ କୁମାର ୨୦୨୫ ଅକ୍ଟୋବର ମାସରେ ସାରା ଦେଶରେ ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ଘୋଷଣା କରିଥିଲେ। ଆୟୋଗଙ୍କ ତର୍କ ଏହି ଅଭିଯାନର ଉଦ୍ଦେଶ୍ୟ ଭାରତର ଭୋଟର ଲିଷ୍ଟକୁ ସମ୍ପୂର୍ଣ୍ଣ ଶୁଦ୍ଧ ଓ ପାରଦର୍ଶି କରିବା। ଏଣୁ ଜାଲି, ଡୁପ୍ଲିକେଟ, ମୃତ ବ୍ୟକ୍ତି ଓ ଅବୈଧ ରୂପେ ସାମିଲ ବିଦେଶୀ ନାଗରିକଙ୍କ ନାମ ସୂଚୀରୁ ହଟାଇବା। ନିକଟରେ ମହାରାଷ୍ଟ୍ରରେ ଜାରି ଡ୍ରାଫ୍ଟ ଭୋଟର ଲିଷ୍ଟରେ ଗତ ସୂଚୀ ତୁଳନାରେ ପାଖାପାଖି ୨ କୋଟି ଭୋଟର କଟିଛନ୍ତି। କଂଗ୍ରେସ ନେତା ପବନ ଖେଡାଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏହାକୁ ଭୋଟ ଚୋରି ବୋଲି କହିଥିବା ବେଳେ ବିଜେପି ଓ ନିର୍ବାଚନ ଆୟୋଗକୁ ଟାର୍ଗେଟ୍ କରିଛନ୍ତି।