ଟୋକିଓ: ବିଶ୍ୱର ସବୁଠୁ ପ୍ରାଚୀନ ରାଜ ପରିବାରଙ୍କ ମଧ୍ୟରେ ଜାପାନ ରାଜ ପରିବାର ଅନ୍ୟତମ। ତେବେ ଜାପାନ ରାଜପରିବାର ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ତାହା ହେଉଛି ପରିବାରର ଯୋଗ୍ୟ ସଦସ୍ୟ ଓ ଉତ୍ତରାଧିକାରୀଙ୍କ ସଂଖ୍ୟା ହ୍ରାସ ହୋଇ ଚାଲିଛି। ଦେଶ ଏହାକୁ ନଜରରେ ରଖି ରାଜ ପରିବାରକୁ ଏକ ପ୍ରସ୍ତାବ ଦେଇଛି। ଜାପାନ ସଂସଦ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ରାଜ ପରିବାର ଚାହିଁଲେ ଦୂର ସମ୍ପର୍କୀୟ ପୁରୁଷଙ୍କୁ ପୌଷ୍ୟ ଗ୍ରହଣ କରିପାରିବ ବୋଲି କୁହାଯାଇଛି। ତେବେ ସଂସଦର ଏହି ପ୍ରସ୍ତାବରେ ଜାପାନର କିଛି ଅଧିକାରୀ ଓ ଆକ୍ଟିଭିଷ୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଧିକାରୀ ଓ ଆକ୍ଟିଭିଷ୍ଟମାନେ ଏଥି ପାଇଁ ଏକ ସରଳ ସମାଧାନ ପରାମର୍ଶ ଦେଇଛନ୍ତି। ତାହା ହେଉଛି ଦେଶରେ ମହିଳାଙ୍କୁ ସମ୍ରାଟ ହେବା ଲାଗି ଅନୁମତି ଦିଆଯାଉ। ଦେଶରେ ଜନତାଙ୍କ ଏକ ବିଶାଳ ବର୍ଗ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଏବେ ଜାପାନ ରାଜ ପରିବାରର ମୋଟ ସଦସ୍ୟଙ୍କ ସଂଖ୍ୟା ୧୬ ଜଣ। ଏଥିରେ ୫ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି। ପରିବାର ସଦସ୍ୟଙ୍କ ସଂଖ୍ୟା କମିବା ଯୋଗୁ ବିଦେଶ ଯାତ୍ରା ଓ ରାଜକୀୟ ଉତ୍ସବ ଭଳି ସାର୍ବଜନିକ କର୍ତ୍ତବ୍ୟ ପୁରା କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସବୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ ପରିବାର ସଦସ୍ୟଙ୍କ ସଂଖ୍ୟା ପର୍ଯ୍ୟାପ୍ତ ହେଉ ନାହିଁ।

ଜାପାନ ରାଜ ପରିବାର ପରମ୍ପରା ଅନୁଯାୟୀ କେବଳ ପୁରୁଷ ହିଁ କ୍ରିସେନଥେମମ ଥ୍ରୋନ (ଜାପାନ ରାଜ ସିଂହାସନ) ବସି ପାରିବେ। ଏଥିରେ ଜାପାନର ଏବେକା ସମ୍ରାଟ ନାଋ ହିତୋଙ୍କର ଉତ୍ତରାଧିକାରୀ ତାଙ୍କର ଏକମାତ୍ର କନ୍ୟା ରାଜକୁମାରୀ ଆଇକୋ ଅଟନ୍ତି। ଜାପାନ ରାଜ ସିଂହାସନ ଲାଗି ଉତ୍ତରାଧିକାରୀ ତାଲିକାରେ ଏବେମାତ୍ର ୩ ଜଣ ଅଛନ୍ତି। ଏଥିରେ ଜଣେ ହେଉଛନ୍ତି ପ୍ରିନ୍ସ ହିତାଚୀ ( ନାଋ ହିତୋଙ୍କୁ ୯୦ ବର୍ଷ ବୟଷ୍କ କାକା), କ୍ରାଉନ ପ୍ରିନ୍ସ ଅକିଶିନୋ (ସମ୍ରାଟଙ୍କ ୬୦ ବର୍ଷ ବୟଷ୍କ ଭାଇ) ଓ ପ୍ରିନ୍ସ ହିସା ହିତୋ (ସମ୍ରାଟଙ୍କ ୧୯ ବର୍ଷ ବୟସ୍କ ପୁତୁରା)। ଯେହେତୁ ପ୍ରିନ୍ସ ହିସା ହିତୋ ରାଜର ପରିବାରର ସବୁଠୁ ଯୁବ ସଦସ୍ୟ ଏଣୁ ରାଜ ପରିବାରର ଭବିଷ୍ୟତ ତାଙ୍କ ଉପରେ ନିର୍ଭର କରୁଛି।

ଜାପାନ ରାଜ ପରିବାର ନିୟମ ଅନୁସାରେ ପରିବାରର ମହିଳାଙ୍କୁ ରାଜା ହେବାର ଅଧିକାର ନଥିବା ବେଳେ ସେମାନେ ଯଦି ସାଧାରଣ ନାଗରିକଙ୍କୁ ବିବାହ କରନ୍ତି ସେମାନଙ୍କ ରାଜକୀୟ ମାନ୍ୟତା ହଟି ଯିବ। ଏହି ନିୟମ ରାଜକୁମାରୀ ଆଇକୋଙ୍କ ପାଇଁ ମଧ୍ୟ ଲାଗୁ। ବିଚାରାଧୀନ ନୂଆ ଆଇନରେ ରାଜ ପରିବାର ପୁରୁଷ ଉତ୍ତରାଧିକାରୀଙ୍କୁ ପୌଷ୍ୟ ଗ୍ରହଣ କରିପାରିବେ। ଏହା ସହିତ ପରିବାରର ମହିଳା ସଦସ୍ୟ ରାଜ ପରିବାରରେ ରହି ପାରିବେ ଓ ରାଜ ପରିବାର ବାହାରେ ବିବାହ କଲେ ମଧ୍ୟ ସେମାନଙ୍କ ରାଜକୀୟ ମାନ୍ୟତା ହଟିବ ନାହିଁ।