ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚାର ପୂର୍ବତନ ସଭାପତି ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି। ତେବେ କଂଗ୍ରେସ ତାଙ୍କର ଏହି ନିଯୁକ୍ତିକୁ ବିରୋଧ କରୁଛି। କଂଗ୍ରେସର ଅଭିଯୋଗ ହେଉଛି ଯେ ଉତ୍ତରାଖଣ୍ଡରେ ରିସର୍ଟ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ କଥିତ ହତ୍ୟା ମାମଲାରେ ଦୁଷ୍ୟନ୍ତ ଗୌତମଙ୍କ ନାମ ସାମ୍ନାକୁ ଆସିଥିଲା। ଅଙ୍କିତାଙ୍କ ଶବ ସେପ୍ଟେମ୍ବର ୨୦୨୨ରେ ଏକ କେନାଲରୁ ମିଳିଥିଲା। ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଦିୟାଲ ମଙ୍ଗଳବାର ନିଯୁକ୍ତି ବିରୋଧରେ ମୌନ ଧାରଣା ଦେଇଥିଲେ।

ଗୋଦିୟାଲ ଅଭିଯୋଗ କରିଛନ୍ତି ଯେ ଏହି ନିଯୁକ୍ତି ଗୌତମଙ୍କୁ ଆଇନ ହାତରୁ ରକ୍ଷା କରିବା ଲାଗି ଏକ ସିଧା ଉଦ୍ୟମ। କାରଣ ଗଭର୍ଣ୍ଣରଙ୍କ ବିରୋଧରେ କୌଣସି ମୋକଦ୍ଦମା ରୁଜୁ ହୋଇ ପାରିବନି। ସେ କହିଛନ୍ତି ଯେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡରେ ଅଙ୍କିତାଙ୍କ ମାତା-ପିତା ସ୍ପଷ୍ଟ ନାମ ନେଇଥିବା ଭିଆଇପିକୁ ଗଭର୍ଣ୍ଣର ନିଯୁକ୍ତ କରିବା ସାଧାରଣ ଲୋକଙ୍କ ଭାବନା ସାଙ୍ଗେ ଖେଳିବା ସହ ସମାନ। ତେବେ ଉତ୍ତରାଖଣ୍ଡ ବିଜେପି ମିଡିଆ ପ୍ରଭାରୀ ମନବୀର ସିଂହ ଚୌହାନ କଂଗ୍ରେସ ସାଂସଦ ଏ.ବିମଲ ଅକୋଇଜମଙ୍କୁ ନେଇ ନିରବତା ଅବଲମ୍ବନ କରାଯାଉଥିବାରୁ ପ୍ରଶ୍ନ ଉଠାଇଛନ୍ତି।