ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକରେ ରହିଛି ମାଳମାଳ ଭୁଲ । ଶବ୍ଦର ବନାନଠାରୁ ଆରମ୍ଭ କରି ମହାପୁରୁଷଙ୍କ ନାମ ସବୁଥିରେ ତ୍ରୁଟି ଦେଖିବାକୁ ମିଳିଛି । ଏପରି ୧୬୭୮ଟି ଭୁଲ୍ ଚିହ୍ନଟ ହୋଇଛି । ସର୍ବାଧିକ ୭୦୫ଟି ଭୁଲ୍ ଅଷ୍ଟମ ଶ୍ରେଣୀରେ ବହିରେ ରହିଛି । ସେହିପରି ସପ୍ତମ ଶ୍ରେଣୀ ବହିରେ ୩୮୭ଟି ଭୁଲ୍ ଚିହ୍ନଟ କରାଯାଇଛି । ଷଷ୍ଠ ଶ୍ରେଣୀ ବହିରେ ୨୮୯ଟି ଭୁଲ୍ ରହିଛି । ପଞ୍ଚମ ଶ୍ରେଣୀରେ ୭୫ଟି ଭୁଲ୍, ଚତୁର୍ଥ ଶ୍ରେଣୀରେ ୧୩୧ଟି ଭୁଲ୍, ତୃତୀୟ ଶ୍ରେଣୀ ବହିରେ ୭୫ଟି ଭୁଲ୍, ଦ୍ୱିତୀୟ ଶ୍ରେଣୀରେ ମାତ୍ର ୨ଟି ବହି ରହିଥିବା ବେଳେ ସେଥିରେ ବି ୧୨ଟି ଭୁଲ୍ ରହିଛି । ଏହି ସମସ୍ତ ଭୁଲକୁ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱୀକାର କରିଛି ।

ସେପଟେ ଆଉ ଏକ ସୂଚନା ଅନୁସାରେ, ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଯେତିକି ସମୟ ଆବଶ୍ୟକ ତାଠୁ ଢେର କମ୍ ସମୟରେ ପ୍ରସ୍ତୁତ ହେଲା । ଜାତୀୟ ସ୍ତରରେ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ୩ରୁ ୪ ବର୍ଷ ଲାଗୁଛି । ଓଡ଼ିଶାରେ ଏସ୍‌ସିଇଆର୍‌ଟି ମାତ୍ର ୬ ମାସରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଛାପିବା ପାଇଁ ପଠାଇଦେଲେ । କେବଳ ସେତିକି ନୁହେଁ, ଚୂଡ଼ାନ୍ତ ସମୀକ୍ଷା ପାଇଁ କମିଟିର ସଦସ୍ୟମାନେ ପାଠ୍ୟପୁସ୍ତକକୁ ଆଦୌ ଦେଖିନାହାନ୍ତି । ଯେଉଁମାନେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ପାଇଁ ନିୟୋଜିତ ହୋଇଥିଲେ ସେମାନଙ୍କୁ ଚାପ ଦିଆଯାଇ ତରତର କରି ବହି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଗଲା ।

ରିପୋର୍ଟ ଅନୁସାରେ, ୨ କୋଟି ୯୮ ଲକ୍ଷ ବହି ପ୍ରସ୍ତୁତିରେ ପାଖାପାଖି ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବହି ଛାପିବା ପାଇଁ ଆହୁରି ୪୫ରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରମେୟ ରିପୋର୍ଟ ଅନୁସାରେ, ପ୍ରଥମତଃ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତି କରିବା ପାଇଁ ଏନ୍ସିଇଆର୍ଟି ବହିକୁ ସଂପୂର୍ଣ ଭାବେ ୮୫ରୁ ୯୦ ପ୍ରତିଶତ ଅନୁବାଦ କରାଯାଇଛି । ବାକି ୧୦ରୁ ୧୫ ପ୍ରତିଶତ କମିଟିରେ ଥିବା ବିଶେଷଜ୍ଞମାନେ ଯୋଡ଼ିଛନ୍ତି। ପ୍ରଥମେ ପାଠ୍ୟପୁସ୍ତକ ବିକାଶ ପାଇଁ ୨ଟି କର୍ମଶାଳା ହୋଇଛି । ଏଥିରେ କ'ଣ ସବୁ ବିଷୟ ରହିବ ତାକୁ ଆଲୋଚନା ହୋଇଛି । ପ୍ରଥମେ ଅନୁବାଦ ହୋଇଛି । ପରେ ଏହାକୁ ସମୀକ୍ଷା କରାଯାଇଛି । କିଛି ବିଶେଷଜ୍ଞ ସଂଶୋଧନ କରି ଦେବା ପରେ ଡିଟିପି ପାଇଁ ଗଲା । ଡିଟିପି ହୋଇ ଆସିବା ପରେ ଏହାକୁ ପ୍ରୁଫ୍ ରିଡିଂ କରାଗଲା । ଏହାପରେ ଏକ୍ସପର୍ଟ ରିଭ୍ୟୁ ହୋଇଛି । ଶେଷରେ କୋର କମିଟି ରିଭ୍ୟୁ କରାଗଲା । କୋର କମିଟି ଅନୁମୋଦନ କରିବା ପରେ ବହି ଛପା ହେବାକୁ ଗଲା ।

ସୂଚନା ଅନୁସାରେ, ପ୍ରଥମେ ଏକ କମିଟି ବହିରେ କ'ଣ ରହିବ ଓ କ'ଣ ଯୋଡ଼ାଯିବ ତାହା ଚୂଡ଼ାନ୍ତ କରିବା କଥା । ମାତ୍ର ସେପରି କିଛି ହୋଇନି । ଡିଟିପି ହୋଇ ଆସିବା ପରେ ସମୀକ୍ଷା କରାଯିବା କଥା । ମାତ୍ର ଏଠାରେ ଆଗ ସମୀକ୍ଷା ହୋଇ ଡିଟିପି କରିବାକୁ ଦିଆଗଲା । ପ୍ରୁଫ୍ ରିଡିଂ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଗଲାନି । ସୀମିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଲେ। ବିଶେଷଜ୍ଞମାନଙ୍କୁ ଗୋଟିଏ ଦିନରେ ଗୋଟିଏ ବହି ସମୀକ୍ଷା କରିବାକୁ କୁହାଗଲା । ଅଭିଯୋଗ ଏହା ମଧ୍ୟ ହୋଇଛି ଏସ୍ସିଇଆର୍ଟିର ବରିଷ୍ଠ ଅଧିକାରୀ ଚାପ ଦେଇ ତରତର କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରିଛନ୍ତି। ଏପରିକି ଓସେପା ବହି ଛପା ହେବା ପୂର୍ବରୁ ଏସ୍ ସିଇଆରଟି ପ୍ରସ୍ତୁତ କରିଥିବା ପାଠ୍ୟପୁସ୍ତକକୁ ସମୀକ୍ଷା ନକରି ପ୍ରକାଶନ ପାଇଁ ପଠାଇ ଦେଇଥିଲା ବୋଲି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି।