ଖୈବର ପକ୍ତୁନଖ୍ୱା: ପାକିସ୍ତାନରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଖୈବର ପକ୍ତୁନଖ୍ୱା ର ବାଜୌର ଅଞ୍ଚଳରେ ଥିବା ପାକିସ୍ତାନ ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ଆତ୍ମଘାତୀ ଆକ୍ରମଣରେ ଅନୁନ୍ୟ ୧୫ ଜଣ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଛନ୍ତି। କୁହାଯାଇଛି ଏହି ଆକ୍ରମଣ ଅତ୍ୟନ୍ତ ସାବଧାନତାର ସହ ପ୍ଲାନିଂ କରାଯାଇଥିଲା। ଆତଙ୍କବାଦୀ କ୍ୟାମ୍ପର ଗୋଟିଏ ଅଂଶରେ ବଡ଼ ଧରଣର ବିସ୍ଫୋରଣ କରିଥିଲେ। ଫଳରେ କ୍ୟାମ୍ପରେ ଧାଁଧପଡା ହେବା ବେଳ ଆତଙ୍କବାଦୀ ଗୁଳିକରି ଅନେକ ସୈନିକଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟି କରିଛି।

ଏ ନେଇ ସଙ୍ଗଠନ ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ଏହି ଆକ୍ରମଣକୁ ସ୍ପେଶାଲ ଇସ୍ତ ଶାହାଦୀ ଫୋର୍ସେସ ଅର୍ଥାତ ସୁଇସାଇଡ ସ୍କ୍ୱାଡ କରିଥିବା ଦାବି କରିଛି। କୁହାଯାଉଛି ୨୦୨୫ କ୍ୱେଟା ଆକ୍ରମଣ ପରେ ଟିଟିପିର ଏହା ଦ୍ୱିତୀୟ ବଡ଼ ଧରଣର ଆକ୍ରମଣ। ବାଜୌର ଅଞ୍ଚଳ ଦୀର୍ଘ ସମୟରୁ ଆତଙ୍କବାଦ ଦ୍ୱାରା ପ୍ରଭାବିତ ରହିଛି। ଏଠାରେ ପ୍ରାୟ ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଆକ୍ରମଣ ପରେ ପୁରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସେନା ଓ ସୁରକ୍ଷା ଏଜେନ୍ସୀ ଲଗାତାର ସର୍ଚ୍ଚ ଅପରେସନ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାତ୍ର ୧ ସପ୍ତାହର ବ୍ୟବଧାନରେ ଖୈବର ପୁକ୍ତନଖ୍ୱା ଅଞ୍ଚଳରେ ଆତଙ୍କବାଦୀଙ୍କ ଏହା ଦ୍ୱିତୀୟ ବଡ଼ ଆକ୍ରମଣ।

ଏହା ପୂର୍ବରୁ ଲକ୍କି ମରୱତ ଜିଲ୍ଲାର ନୌରଙ୍ଗ ବଜାରରେ ବିସ୍ଫୋରକ ଭରା ଅଟୋ ରିକ୍ସାରେ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ଦୁଇ ଜଣ ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫେବୃଆରୀ ମାସରେ ମଧ୍ୟ ଏହି ଅଞ୍ଚଳରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଓ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଲଗାତାର ହେଉଥିବା ଏପରି ଆକ୍ରମଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଓ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।