କଣାସ: ବନ୍ୟା ଯୋଗୁ କଣାସ ବ୍ଲକର ଅନେକ ସ୍ଥାନରେ ସ୍ଥିତି ଖରାପ ରହିଛି । ଏମିତି ସ୍ଥିତିରେ କଣାସ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମୁଖ୍ୟ କାର୍ଯ୍ୟାଳୟ ଭିତରେ ଠିକାଦାରଙ୍କ ଭୋଜି ଭାତ ସହ ମଦର ଆସର ଜମିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ସେଠାରେ ସ୍ଥାନୀୟ ଲୋକ ଏବଂ ଠିକାଦାରଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ବର୍ଷ ବର୍ଷ ଧରି ତାଲା ପଡୁଥିବା କାର୍ଯ୍ୟାଳୟ ବୁଧବାର ଖୋଲାଯାଇଥିଲା । ଫଳରେ ଲୋକେ ସମସ୍ୟା ଜଣାଇବାକୁ ସେଠାକୁ ଆସିଥିଲେ । କିନ୍ତୁ ଭିତରେ ଚାଲିଥିବା ବଡ଼ ବଡ଼ ଠିକାଦାରଙ୍କର ଭୋଜିଭାତ । ଖାଲି ଭୋଜିଭାତ ନୁହେଁ ସାଥିରେ ମଦର ବି ଆସର ଜମିଥିଲା । ଯାହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗ୍ରାମବାସୀ।

ହେଲେ ଏହାପରେ ଉତ୍ୟକ୍ତ ହୋଇଉଠିଥିଲେ ଗ୍ରାମବାସୀ । ବ୍ଲକରେ ଅନେକ କାମ ଅଧାପନ୍ତରିଆ ପଡ଼ିଥିବା ବେଳେ, ଗାଁ ଗାଁରେ ରାସ୍ତା ଖୋଳା ହୋଇ ପଡ଼ିଛି । ଏସବୁ କାମ ସରୁନଥିବା ବେଳେ ଠିକାଦାରମାନେ କିଭଳି କାର୍ଯ୍ୟାଳୟରେ ଭୋଜିଭାତ କରୁଛନ୍ତି ତା’କୁ ନେଇ ଘେରିଥିଲେ ଗ୍ରାମବାସୀ। ଫଳରେ ଦୀର୍ଘ ସମୟ ଧରି ସେଠାରେ ଲାଗି ରହିଥିଲା ଉତ୍ତେଜନା। ତେବେ ଉତ୍ତେଜନା ବଢ଼ିବା ଦେଖି ଧୀରେ ଧୀରେ ଛତ୍ରଭଙ୍ଗ ଦେଇଥିଲେ ଠିକାଦାରମାନେ।

Also Read: ତ୍ରିକୋଣୀୟ ପ୍ରେମ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, CCTV ଫୁଟେଜ୍ରୁ ଚିହ୍ନଟ ୨ ଅଭିଯୁକ୍ତ ଗିରଫ

ଗ୍ରାମବାସୀଙ୍କ ଅଭିଯୋଗ, ଠିକାଦାରଙ୍କ ମଦ ଆସର ଓ ହୋହାଲ୍ଲା ଯୋଗୁ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟର କୋମଳିମତି ପିଲାଙ୍କ ଉପରେ ପ୍ରଭାବ ପଡ଼ିଥିଲା। ଫଳରେ ସ୍କୁଲ ଛୁଟି କରିବାକୁ ପଡ଼ିଥିଲା । ସବୁଠାରୁ ଚିନ୍ତା ଜନକ କଥା ହେଲା କଣାସରେ ଏବେବ ବି ଏକାଧିକ ବ୍ରିଜ୍ ୫ବର୍ଷରୁ ଉର୍ଦ୍ଧ୍ବ ହେବ ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଅନେକ ଜାଗାରେ ଗମନା ଗମନ ସୁବିଧା ନାହିଁ। ହେଲେ ବାବୁ ଏଠି ଭୋଜି ଭାତ କରି ମସଗୁଲ ହେଉଛନ୍ତି ପୁଣି ଘରେଇ ଠିକାଦାରଙ୍କୁ ଡାକି ବଡ଼ ଆୟାଜନ ହୋଇଥବା ଅଭିଯୋଗ ହୋଇଛି।