ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ମୁକଦାହାନ ପ୍ରଦେଶରେ ଏକ ଛାତିଥରା ସଡ଼କ ଦୁର୍ଘଟଣା ସମଗ୍ର ଦେଶକୁ ଚକିତ କରିଦେଇଛି । ଜଣେ ୧୧ ବର୍ଷୀୟ ବାଳକ ପିକଅପ୍ ଟ୍ରକ୍ ବୌଦ୍ଧ ଭିକ୍ଷୁଙ୍କ ଏକ ଧାର୍ମିକ ଶୋଭାଯାତ୍ରା ଉପରେ ଚଢ଼ାଇ ଦେଇଛି । ଏହି ଦୁର୍ଘଟଣାରେ ଦଶ ଜଣ ବୌଦ୍ଧ ଭିକ୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଏବେ ବି ଗୁରୁତର । ପୋଲିସ ଅନୁଯାୟୀ, ଦୁର୍ଘଟଣା ସମୟରେ ୩୫ ଜଣ ବୌଦ୍ଧ ଭିକ୍ଷୁ ଏବଂ ପାଞ୍ଚ ଜଣ ତୀର୍ଥଯାତ୍ରୀ ଧାର୍ମିକ ଯାତ୍ରାରେ ଥିଲେ । ସେମାନେ ରାସ୍ତା କଡ଼ରେ ଚାଲି ଚାଲି ଯାଉଥିଲେ ବେଳେ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଟ୍ରକ୍ ନିୟନ୍ତ୍ରଣ ହରାଇ ସିଧା ସେମାନଙ୍କ ଉପରେ ଚଢ଼ି ଯାଇଥିଲା ।

ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ବୌଦ୍ଧ ଭିକ୍ଷୁଙ୍କ ପିନ୍ଧା ପୋଷାକ, ଜିନିଷପତ୍ର ଏବଂ ରାସ୍ତା କଡ଼ରେ ବିଛାଡ଼ି ପଡ଼ିଥିବା ଦୃଶ୍ୟ ନଜର ଆସୁଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାଞ୍ଚ ଜଣ ଭିକ୍ଷୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଅନ୍ୟ ପାଞ୍ଚ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

 

ପୋଲିସର ପ୍ରଥାମିକ ତଦନ୍ତରେ ଜଣାପଡିଛି ଯେ ୧୧ ବର୍ଷୀୟ ବାଳକ ବିନା ଅନୁମତିରେ ପିକଅପ୍ ଟ୍ରକକୁ ଧରି ଘରୁ ବାହାରି ଯାଇଥିଲା । ମାତ୍ର କିଛି ସମୟ ପରେ, ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବୌଦ୍ଧ ଭିକ୍ଷୁଙ୍କ ଉପରେ ଚଢାଇ ଦେଇଥିଲା । ପିଲାଟିର ବାପାମାଆ ଗାଡ଼ି ଚୋରି ହୋଇଥିବା ସନ୍ଦେହରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ପିଲାଟିର ବୟସ ଯାଞ୍ଚ କରାଯାଉଛି । ତଦନ୍ତ ସମାପ୍ତ ହେବା ପରେ ପିଲାଟି ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଥାଇଲ୍ୟାଣ୍ଡରେ, ୧୨ ବର୍ଷରୁ କମ୍ ବୟସର ପିଲାମାନେ ଅପରାଧିକ ଭାବରେ ଦାୟୀ ନୁହନ୍ତି । ସେପଟେ ପୋଲିସ ତଦନ୍ତରେ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଭିକ୍ଷୁମାନଙ୍କଠାରୁ ମଧ୍ୟ ସାକ୍ଷ୍ୟ ନେଉଛି । ଗାଡିଟିକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି ।

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁମାନେ କାହିଁକି ସ୍ୱତନ୍ତ୍ର ?

ଥାଇଲ୍ୟାଣ୍ଡ ହେଉଛି ଏକ ବୌଦ୍ଧ ଧର୍ମାବଲମ୍ବୀ ଦେଶ । ଏଠାରେ ଭିକ୍ଷୁମାନଙ୍କୁ ବହୁତ ସମ୍ମାନ କରାଯାଏ । ସେମାନେ ବୁଦ୍ଧଙ୍କ ଶିକ୍ଷାକୁ ସଂରକ୍ଷଣ ଏବଂ ଆଗକୁ ନେବା ପାଇଁ କାର୍ଯ୍ୟ କରନ୍ତି । ସେମାନେ ପ୍ରାୟତଃ ସାର୍ବଜନୀନ ଶୋଭାଯାତ୍ରା କରନ୍ତି ଏବଂ ଥାଇ ଲୋକଙ୍କଠାରୁ ଭିକ୍ଷା ମାଗି ଚଳନ୍ତି । ଲୋକମାନେ ମଧ୍ୟ ଭକ୍ତିର ସହିତ ସନ୍ନ୍ୟାସୀମାନଙ୍କୁ ଖାଦ୍ୟ ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷ ଦାନ କରନ୍ତି ।