କେନ୍ଦୁଝର: ନିସ୍ତବ୍ଦ ହୋଇଯାଇଛି ପୂରା ଗାଁ। ସବୁଆଡ଼େ ଛାଇଯାଇଛି ଅଜବ ଏକ ନୀରବତା। ସମସ୍ତଙ୍କ ଆଖିରେ ଲୁହ। କାରଣ ଅନ୍ତରୁ ଜନ୍ମ କରିଥିବା ପିଲା ଆଜି ଆଉ ନାହାଁନ୍ତି। ଗାଁର ଅନେକ ପରିବାର ଆଜି ହୋଇପଡ଼ିଛନ୍ତି ବେସାହାରା। ଏସବୁ ଭିତରେ ସେମାନଙ୍କ ଦଶାହ କର୍ମ ପାଇଁ ଚାଲିଛି ପ୍ରସ୍ତୁତି। ତାମିଲନାଡୁ ଗ୍ୟାସ ଦୁର୍ଘଟଣାରେ ପ୍ରାୟ ହରାଇଥବା କେନ୍ଦୁଝର ଜିଲ୍ଲାର ୧୩ ଆଦିବାସୀ ଜୁଆଙ୍କ ସମ୍ପ୍ରଦାୟର ଯୁବତୀଙ୍କ ଗାଁରେ ଦେଖିବାକୁ ମିଳିଛି କିଛି ଭାବବିହ୍ବଳ କରିଦେବା ଭଳି ଦୃଶ୍ୟ।

ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାର ୧୩ ଜଣ ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁକୁ ପୂରିଛି ଦଶ ଦିନ। ଆଉ କୋହଭରା ହୃଦୟରେ ଚାଲିଛି ଦଶାହ ପ୍ରସ୍ତୁତି। ସମସ୍ତଙ୍କ ଆଖିରେ ଲୁହ। ପିଲାମାନଙ୍କୁ ହରାଇ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା ପେଟର ଭୋକ ମେଣ୍ଟାଇବାକୁ ଦାଦନ ଖଟିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ହେଲେ ଶବ ହୋଇ ଫେରିଲେ । ସେପଟେ ୧୩ ଜଣକ ଅକାଳ ବିୟୋଗରେ ଝୁରୁଛି ଗାଁ, କାନ୍ଦୁଛି ମାଆ, ଗୁମୁରୀ କାନ୍ଦୁଛନ୍ତି ବନ୍ଧୁ , ସହୋଦର। କେନ୍ଦୁଝର କୋଡ଼ିପଶା ଗାଁର ଏ ଦୁଃଖ ଦେଖିଲେ ଆଖିରେ ଆସିଯିବ ଲୁହ।

Also Read: ଏମିତି ବି ଆସେ ମୃତ୍ୟୁ: ବରଯାତ୍ରୀ ଉପରେ ବଜ୍ରପାତ; ଜଣେ ମୃତ, ଦୁଇଜଣ ଗୁରୁତର

କୋଡ଼ିପଶା ଗାଁର ଫୁଲମଣି ଜୁଆଙ୍ଗ ଓ ସୁଜନୀ ଜୁଆଙ୍ଗଙ୍କର ମୃତ୍ୟୁକୁ ଆଜି ୧୦ ଦିନ। ଘର ଲିପାପୋଛା ଚାଲିଛି... ଶୁଦ୍ଧିକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ଏହି ପ୍ରସ୍ତୁତି ଭିତରେ ଲୁଚି ରହିଛି ଅସହ୍ୟ ବେଦନା ଯନ୍ତ୍ରଣା । ଦଶ ଦିନ ବିତିଯାଇଥିଲେ ମଧ୍ୟ ମା'ର ଆଖିରୁ ଲୁହ ଶୁଖୁନି। ଝିଅର ଫଟୋକୁ ଛାତିରେ ଜାବୁଡ଼ି ଧରି ବାରମ୍ବାର ମନେ ପକାଉଛନ୍ତି ତା'ର ସ୍ମୃତି। କିଏ ତାକୁ ଖାଇବାକୁ ଦେବ, କିଏ ତା'ର ବିଛଣା ପାରିଦେବ, ଏମିତି ଅନେକ ସ୍ମୃତି ମା'ର ମନକୁ ଆଜି ବି ଆନ୍ଦୋଳିତ କରୁଛି। କେବଳ ମାଆ ନୁହେଁ, ସମଗ୍ର ପରିବାର ଏବେ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ। ଘରର ରୋଜଗାରିଆ ଝିଅ ଚାଲିଯିବା ପରେ ଘର କେମିତି ଚଳିବ, ପରିବାରର ପେଟ କେମିତି ପୋଷିବେ, ତାହାକୁ ନେଇ ବଢ଼ିଛି ଦୁଶ୍ଚିନ୍ତା। ଏହି ଘଟଣା ପରେ ସମଗ୍ର ଗାଁରେ ସୃଷ୍ଟି ହୋଇଛି ଭୟର ପରିବେଶ ।ଏବେ ଆଉ ନିଜ ପିଲାଙ୍କୁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ପଠାଇବେ ନାହିଁ ବୋଲି ଗାଁଲୋକେ ନିଷ୍ପତ୍ତି ନେଇଥିବା କହିଛନ୍ତି ଗ୍ରାମବାସୀ ।

ସେପଟେ ଗାଁଲୋକ ଅଭିଯୋଗ କରିଛନ୍ତି ଯେ, ଶ୍ରୀକାନ୍ତ ଜୁଆଙ୍ଗ ନାମକ ଜଣେ ଦଲାଲ ଏହି ଝିଅମାନଙ୍କୁ କାମର ପ୍ରଲୋଭନ ଦେଖାଇ ତାମିଲନାଡୁ ନେଇଥିଲେ। ଏଠାରେ ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସି ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଭଳି ଦୁଇ ଦୁଇଟି ସଂସ୍ଥା କାମ କରୁଥିଲେ ସୁଦ୍ଧା, ଆଜି ବି ଗାଁରେ ଲୋକଙ୍କୁ କାମ ମିଳୁନି। ସେଥିପାଇଁ ସେମାନେ ଭୋକ ବିକଳରେ ନିରୀହ ଆଦିବାସୀ ପିଲାମାନେ ଗାଁରୁ ବାହାରକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇ ଶବ ହୋଇ ଗାଁକୁ ଫେରୁଛନ୍ତି ।