ଭୁବନେଶ୍ୱର ୩୧।୦୫ : ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ୪ ଡିଗ୍ରୀ ଖସିପାରେ । ମଙ୍ଗଳବାର (୨ ତାରିଖ) ଯାଏ ତାତି କମ୍ ରହିବ। କିନ୍ତୁ ୩ ତାରିଖଠାରୁ ତାତି ପୁଣି ବଢ଼ିବ । ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢ଼ି ଯାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ରବିବାର ନୟାଗଡ଼ ଓ ଗଞ୍ଜାମରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ବି ଅଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

୧ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫ ତାରିଖ ଯାଏ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

ରାଜ୍ୟର ଦୁଇଟି ସ୍ଥାନକୁ ଛାଡ଼ିଲେ ବାକି ସବୁ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ୍ ଥିଲା । ସମ୍ବଲପୁରରେ ୪୧.୪ ଡିଗ୍ରୀ, ବୌଦ୍ଧରେ ୪୧.୨ ଓ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ବଲାଙ୍ଗିରରେ ୩୯.୭, ନୟାଗଡ଼ରେ ୩୯.୬, ସୋନପୁର ଓ ଖୋର୍ଦ୍ଧାରେ ୩୯.୫, ନବରଙ୍ଗପୁରରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଥିଲା ।

Also Read:-Horoscope Today : ମେ' ୩୧ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ସେପଟେ ବିଳମ୍ବିତ ଓ ଅନିୟମିତ ମୌସୁମୀ ପାଇଁ ପ୍ରସ୍ତୁତ ରହିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ଜଳବାୟୁ ଜନିତ ବିପଦକୁ କମାଇବାକୁ ଫସଲ ବିବିଧକରଣ ଏକ ପ୍ରଭାବଶାଳୀ ରଣନୀତି ଅଟେ । ରାଜ୍ୟରେ ଧାନ ଚାଷର ପ୍ରାଧାନ୍ୟ ରହିବ । କିନ୍ତୁ ଡିହ ଜମି ଓ ଜଳାଭାବ ଥିବା ପରିସ୍ଥିତିରେ ଚାଷୀମାନେ କମ୍ ଅବଧି ବିଶିଷ୍ଟ କିସମ, ଉପଯୁକ୍ତ ସ୍ଥାନରେ ସିଧାସଳଖ ବିହନ ବୁଣା ଧାନ ଚାଷ ବା ପରିବର୍ତ୍ତିତ ରୁଆ ସୂଚୀ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଅନିଶ୍ଚିତ ବର୍ଷା ସ୍ଥିତିରେ ହରଡ଼, ମୁଗ ଓ ବିରି ଭଳି ଡାଲି ଜାତୀୟ ଫସଲ ସହିତ ରାଶି ଚାଷ ଭଲ ବିକଳ୍ପ । ମାଣ୍ଡିଆ ଓ ଅନ୍ୟ କ୍ଷୁଦ୍ର ଶସ୍ୟ ଉପରେ ପୁଣି ଥରେ ଧ୍ୟାନ ଦେବା ଜରୁରୀ। ଏଥିରେ କମ୍ ପାଣି ଦରକାର ହୁଏ । ମରୁଡ଼ି ପ୍ରବଣ ଅଞ୍ଚଳରେ ପର୍ଯ୍ୟାପ୍ତ ମାଟିର ଆର୍ଦ୍ରତା ବା ପରିପୂରକ ଜଳସେଚନ ସୁବିଧା ନଥିଲେ ମକା ଓ କପା ଚାଷକୁ ପ୍ରୋତ୍ସାହନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଜଳବାୟୁ ଜନିତ ବିପଦ କେବଳ ଫସଲ ନୁହେଁ, ଗୋପାଳନକୁ ମଧ୍ୟ ପ୍ରଭାବିତ କରେ । କମ୍ ବର୍ଷା ଯୋଗୁ ଗୋଖାଦ୍ୟ ଉତ୍ପାଦନ କମିପାରେ । ପିଇବା ପାଣିର ଉତ୍ସ ଉପରେ ଚାପ ବଢ଼ିପାରେ । ଅତ୍ୟଧିକ ଗରମ ଯୋଗୁ କ୍ଷୀର ଉତ୍ପାଦନ ଓ ପ୍ରାଣୀଙ୍କ ସାମଗ୍ରିକ ଦକ୍ଷତା କମେ । ମରୁଡ଼ି ପ୍ରବଣ ଅଞ୍ଚଳରେ ଗୋରୁଗାଈଙ୍କ ପାଇଁ ପର୍ଯ୍ୟାପ୍ତ ପିଇବା ପାଣି ବ୍ୟବସ୍ଥା କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।