ନୂଆଦିଲ୍ଲୀ: ତେଲେଙ୍ଗାନାର ମହବୁବନଗରରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଜଣେ କାର୍ ଚାଳକଙ୍କ ଚରମ ଅବହେଳା ଯୋଗୁଁ ଜିଲ୍ଲା ସରକାରୀ ମାତୃତ୍ୱ ମଙ୍ଗଳ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ ଅଫିସର ପ୍ରିସିଲାଙ୍କର ଅକାଳ ବିୟୋଗ ଘଟିଛି।

ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ କାର୍ର କବାଟ (ଡୋର୍) ହଠାତ୍ ଖୋଲିଦେଲେ ଡ୍ରାଇଭର । ଫଳରେ ଫଚରୁ ଆସୁଥିବା ପ୍ରିସିଲାଙ୍କ ସ୍କୁଟି ସେଥିରେ ପିଟି ହୋଇଯାଇଥିଲା। ପ୍ରିସିଲା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା, ହେଲେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପ୍ରିସିଲାଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ସହକର୍ମୀମାନେ ତାଙ୍କୁ ଜଣେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ୱବାନ ଅଧିକାରୀ ବୋଲି କହିଛନ୍ତି । ଚଳିତ ମାସ ଶେଷରେ ଅନେକ କର୍ମଚାରୀଙ୍କ ସ୍ଥାନାନ୍ତର ସ୍ଥିର ହୋଇଥିଲା ଏବଂ ରବିବାର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଜନା କରାଯାଉଥିଲା । କିନ୍ତୁ ଏହା ପୂର୍ବରୁ ନର୍ସିଂ ଅଫିସର ପ୍ରିସିଲାଙ୍କ ମୃତ୍ୟୁ ଘଟିଛି ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଦ୍ୱାର ଖୋଲିବା ପୂର୍ବରୁ ପଛରୁ କିମ୍ବା ଆଗରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ଜରୁରୀ । ଟିକିଏ ସତର୍କତା ଏକ ବଡ଼ ଦୁର୍ଘଟଣାକୁ ରୋକିପାରିବ। ସଡ଼କ ସୁରକ୍ଷା କେବଳ ଗାଡ଼ି ଚଳାଇବା ପର୍ଯ୍ୟନ୍ତ ସୀମିତ ନୁହେଁ, ଛୋଟ ସତର୍କତା ମଧ୍ୟ ଜୀବନ ରକ୍ଷା କରିପାରିବ।