ନୂଆଦିଲ୍ଲୀ ୦୫।୧୧; ତେଲେଙ୍ଗାନାର ଖମ୍ମାମ୍ ଜିଲ୍ଲାରେ ବନ୍ୟାଜଳ ଉଦ୍ଧାର କାର୍ଯ୍ୟ ବେଳେ ବଡ଼ ଅଘଟଣ। ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଯାଇ ଓଲଟି ପଡ଼ିଲା ଦୁଇଟି ଡଙ୍ଗା। ଫଳରେ ଏସଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗର ୧୧ ଜଣ କର୍ମଚାରୀ ନିଖୋଜ ହୋଇପଡ଼ିଛନ୍ତି। ବେଥୁପଲ୍ଲୀ ହ୍ରଦରେ ପ୍ରବଳ ଜଳସ୍ରୋତ ଓ ଉଛୁଳା ପାଣି ଯୋଗୁଁ ବୁଧବାର ସନ୍ଧ୍ୟାରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁସାରେ, ହ୍ରଦ ମଧ୍ୟରେ ୫ ଜଣ ମତ୍ସ୍ୟଜୀବୀ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲା ଉଦ୍ଧାରକାରୀ ଟିମ୍। ପ୍ରଥମେ ତିନି ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ମତ୍ସ୍ୟଜୀବୀଙ୍କ ନିକଟକୁ ଯାଉଥିବା ଦୁଇଟି ଡଙ୍ଗା ପ୍ରବଳ ସ୍ରୋତରେ ଓଲଟି ପଡ଼ିଥିଲା। ଏହାପରେ ୧୧ ଜଣ ଉଦ୍ଧାରକାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ତେବେ ହ୍ରଦରେ ଫସିଥିବା ପାଞ୍ଚ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ପ୍ରାଥମିକ ସୂଚନା ମିଳିଛି।

ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଖୋଜାଖୋଜି। କୋଥାଗୁଡ଼େମରୁ ଅତିରିକ୍ତ ଏସଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହ ଭଦ୍ରାଚଲମରୁ ଏନଡିଆରଏଫ୍ ଟିମକୁ ମଧ୍ୟ ଡକାଯାଇଛି। ଡଙ୍ଗା ସହାୟତାରେ ହ୍ରଦ ମଧ୍ୟରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ପାଣିରେ ଫସିଥିବା ଲୋକଙ୍କ ନିକଟକୁ ଲାଇଫ୍ ଜ୍ୟାକେଟ୍ ପହଞ୍ଚାଇବା ପାଇଁ ଡ୍ରୋନ୍ର ମଧ୍ୟ ସହାୟତା ନିଆଯାଉଛି।

ଅନ୍ୟପଟେ ଖମ୍ମାମ୍ ଜିଲ୍ଲାପାଳ ଦିୱାକର ଟି.ଏସ୍. ଏବଂ ସ୍ଥାନୀୟ ବିଧାୟିକା ମାଟ୍ଟା ରାଗମାୟୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ସୋସିଆଲ ମିଡିଆରେ ନିଖୋଜ ଏସଡିଆରଏଫ୍ କର୍ମଚାରୀଙ୍କ ସମ୍ଭାବ୍ୟ ଅବସ୍ଥିତି ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ଏ. ରେୱନ୍ତ ରେଡ୍ଡୀ ମଧ୍ୟ ଘଟଣା ସମ୍ପର୍କରେ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ତେବେ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଯାଇଥିବା ଉଦ୍ଧାରକାରୀଙ୍କ ସନ୍ଧାନ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ନିଖୋଜ କର୍ମଚାରୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଛି ଅଭିଯାନ।