ତେହେରାନ: ଯେଉଁଦିନ ଶାନ୍ତିବାର୍ତ୍ତା ବିଫଳ ହୋଇଛି ଠିକ୍ ସେହିଦିନ ଇରାନ ସୋସିଆଲ ମିଡିଆରେ ଏକ ଫୁଟେଜ ଜାରି କରିଛି। ଏହାଦ୍ୱାରା ଆମେରିକା ସହ ଇରାନର ଉତ୍ତେଜନା ଆହୁରି ଗୁରୁତର ରୂପ ଧାରଣ କରିଛି। ଏହି ଫୁଟେଜକୁ ଦିନକ ପୂର୍ବର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଏଇଭଳି ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ଏଥିରେ ଇରାନ ନୌସେନା ଆମେରିକୀୟ ଯୁଦ୍ଧପୋତକୁ ହର୍ମୁଜରୁ ଦୂରରେ ରହିବାକୁ ଚେତାବନୀ ଦେଉଛି, ଏହା ସହିତ ଆମେରିକାକୁ ପଛକୁ ହଟିବାକୁ ବାଧ୍ୟ କରୁଛି। ଇରାନର କେତେକ ଦୂତାବାସ ଏହି ଫୁଟେଜକୁ ଜାରି କରିଛନ୍ତି। ତେବେ ଏହି ଫୁଟେଜ ନେଇ ଆମେରିକାର କୌଣସି ପ୍ରତିକ୍ରିୟା ଆସି ନାହିଁ।

ଏହାଛଡା ଦାବି କରାଯାଇଛି ଯେ ଆମେରିକାର ଏହି ଦୁଇ ଯୁଦ୍ଧପୋତ ହର୍ମୁଜରୁ ସି ମାଇନ ହଟାଇବାକୁ ଅପରେସନ ଆରମ୍ଭ କରିଥିଲେ। ହେଲେ ଏବେ ଆମେରିକା ରାଷ୍ଟ୍ରପତି ଏହି ମାର୍ଗରେ କୌଣସି ଦେଶର ଜାହାଜକୁ ପ୍ରବେଶ କି ପ୍ରସ୍ଥାନ ଅନୁମତି ଦେବେନି ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଇରାନ କଥିତ ରୂପେ ଏହି ରାସ୍ତାରେ ଯାଉଥିବା ଜାହାଜଙ୍କ ଠାରୁ ୨ ମିଲିୟନ ଡଲାର ଅସୁଲି ବଦଳେ ଯିବାକୁ ଅନୁମତି ଦେବା ନିମନ୍ତେ ଯୋଜନା କରୁଛି।

୬୦ ସେକେଣ୍ଡର ଭିଡିଓ ଜାରି କରିଛି ଇରାନ
ଇରାନ ଗଣମାଧ୍ୟମ ଏହି ଭିଡିଓର ୬୦ ସେକେଣ୍ଡ ଅଂଶକୁ ଜାରି କରିଛି। ଯେଉଁଥିରେ ଆଇଆରଜିସିର କମାଣ୍ଡର ଆମେରିକୀୟ ଯୁଦ୍ଧପୋତକୁ ଦିଗ ବଦଳାଇବାକୁ ବାଧ୍ୟ କରୁଥିବାର ଦେଖା ଯାଉଛି। ଏହାର ଜବାବରେ ଆମେରିକୀୟ ଯୁଦ୍ଧପୋତରୁ ଏହା ସାମରିକ ମେଣ୍ଟର ଯୁଦ୍ଧପୋତ ୧୨୧ ଓ ଅନ୍ତର୍ଜାତୀୟ ଆଇନ ଅନୁସାରେ ଏହି ମାର୍ଗରେ ଯାଉଥିବା ସୂଚିତ କରିଥିଲା। ଏଥିରେ ଆମେରିକୀୟ ଯୁଦ୍ଧପୋତ ଆମ ଆଡୁ ତୁମ ପାଇଁ କୌଣସି ଚେତାବନୀ ନଥିବା କହୁଥିବା ବେଳେ ଇରାନ ଚୂଡ଼ାନ୍ତ ଚେତାବନୀ ଦୋହରାଇଥିଲା।

ଏହା ପରେ ଇରାନ ନୌସେନା ଓମାନ ସାଗରରେ ଥିବା ସବୁ ଜାହାଜଙ୍କ ଧ୍ୟାନ ଆକର୍ଷଣ କରୁଥିବା ଓ ଆଖପାଖରେ କୌଣସି ଯୁଦ୍ଧପୋତକୁ ଦେଖୁଥିଲେ ତାଠାରୁ ୧୦ କିଲୋମିଟର ଦୂରରେ ରହିବାକୁ ଚେତାବନୀ ଦେଉଥିବା ଦେଖା ଯାଉଛି। ଏଛଡା ଇରାନ ନୌସେନା କୌଣସି ଚେତାବନୀ ବିନା ଆକ୍ରମଣ ଲାଗି ପ୍ରସ୍ତୁତ ବୋଲି ଜଣାଉଛି।

ହର୍ମୁଜକୁ ରଣନୈତିକ ନିୟନ୍ତ୍ରଣ କରିବାକୁ ଚାହୁଁଛି ଆମେରିକା
ଆମେରିକା ପକ୍ଷରୁ ଟ୍ରମ୍ପ ରଣନୈତିକ ଉପାୟରେ ହର୍ମୁଜ କୁ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ବୈଠକ ଉଲ୍ଲେଖନୀୟ ଥିଲା, ଅଧିକାଂଶ ପଏଣ୍ଟରେ ସହମତି ହୋଇଛି। ତେବେ ବାସ୍ତବରେ ଯାହା ଉପରେ (ପରମାଣୁ) ସହମତି ହେବାର ଥିଲା ସେ ନେଇ କୌଣସି ସହମତି ହୋଇ ନାହିଁ। ଟ୍ରମ୍ପ ଲେଖିଛନ୍ତି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନୌସେନା ୟୁଏସ୍ ନେଭି ଏହି ମାର୍ଗରେ କୌଣସି ଜାହାଜକୁ ଯାତାୟାତ ଅନୁମତି ଦେବ ନାହିଁ।

ସେହିପରି ଇରାନ ଦ୍ୱାରା ଏହି ରାସ୍ତାରେ ଯାତାୟାତ ନିମନ୍ତେ କରାଯାଉଥିବା ଟୋଲ ଅସୁଲିକୁ ଟ୍ରମ୍ପ ବିରୋଧ କରିଛନ୍ତି। କହିଛନ୍ତି ଏହି ରାସ୍ତାରେ ଯିବା ପାଇଁ ଯିଏ ବି ଟୋଲ ଦେବ ତାକୁ ଖୋଲା ସମୁଦ୍ରକୁ ଯିବାକୁ ଅନୁମତି ମିଳିବ ନାହିଁ। ଏହା ଛଡା ଆମେରିକା ଏବେ ଇରାନକୁ ସମାପ୍ତ କରିବାକୁ ପ୍ରସ୍ତୁତ ଓ ଇରାନ ଏହି ମାର୍ଗକୁ ପ୍ରଭାବୀ ରୂପେ ବନ୍ଦ କରି ରଖିଛି ବୋଲି ଉଲ୍ଳଖ କରିଛନ୍ତି।