ନୂଆଦିଲ୍ଲୀ, ୨୩/୦୨: ସୁପର ୮ରେ ନିଜର ପ୍ରଥମ ମୁକାବିଲା ହାରିଛି ଭାରତ । ଶୋଚନୀୟ ଭାବେ ପରାସ୍ତ ହୋଇଛି ସୂର୍ଯ୍ୟ ସେନା । ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି । ଏପରିକି ସେମି ଖେଳିବା ଆଶା ଉପରେ ବିପଦ ଦେଖାଦେଲାଣି । ଆଉ ଦୁଇଟି ମ୍ୟାଚ୍ ଖେଳିବ ଭାରତ । କିନ୍ତୁ ସହଜ ନୁହେଁ ସେମି ରେସ୍ । ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ଜିମ୍ବାଓ୍ୱେ ଦମଦାର ଫର୍ମରେ ଅଛନ୍ତି ।

ଏହି ଖବରଟି ପଢନ୍ତୁ...  ଦ. ଆଫ୍ରିକାଠୁ ହାରିବା ପରେ ଚିନ୍ତାରେ ଟିମ୍ ଇଣ୍ଡିଆ : ସହଜରେ ଖେଳିପାରିବନି ସେମି ଫାଇନାଲ !

ଭାରତ ସେମି ପାଇନାଲ ଖେଳିବ ନାହିଁ । ଏମିତି ଅନେକ ପ୍ରଶ୍ନ । ହାରିବା ପରେ ଭାଙ୍ଗିଛି ମନୋବଳ । ବିଜୟ ଧାରାରେ ଲାଗିଛି ବ୍ରେକ୍ । ଦକ୍ଷିଣ ଆଫ୍ରିକା ଆଗରେ ଆଣ୍ଠେଇ ପଡିଛି ଭାରତର ବ୍ୟାଟିଂ ଲାଇନ୍ । ମୁକାବିଲା ହାରିବା ସହ ଭାରତର ନେଟ୍ ରନ୍ ରେଟ୍ ପୁରା ତଳକୁ ଖସି ଆସିଛି । ତେବେ ଭାରତ ସେମି କେମିତି ଖେଳିବ ତାକୁ ନେଇ ସାମ୍ନାକୁ ଆସୁଛି ଅନେକ ଗଣିତ ।

କେମିତି ଖେଳିବ ସେମି ଫାଇନାଲ ?

ପ୍ରଥମ ବିକଳ୍ପ- ଦକ୍ଷିଣ ଆଫ୍ରିକାଠୁ ପରାଜୟ ପରେ ଭାରତ ପାଇଁ ବଳକା ଦୁଇଟି ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଦଳକୁ ବଳକା ସବୁ ମ୍ୟାଚ୍ ଭଲ ରନ୍ ରେଟରେ ଜିତିବାକୁ ହେବ । ସୂର୍ଯ୍ୟ ସେନା ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ଜିମ୍ବାଓ୍ୱେକୁ ଭେଟିବ । ଦୁଇଟି ବିଜୟ ଜରୁରୀ । ଏହା ସହ ରନ୍ ରେଟ୍ ଅଧିକ ରହିଲେ ଦଳ ସେମି ଫାଇନାଲ ଖେଳିବ ନଚେତ୍ ସୁପର-୮ରୁ ବିଦା ହେବ ଟିମ୍ । ଅର୍ଥାତ ଜିମ୍ବାଓ୍ୱେ ଏବଂ ଇଣ୍ଡିଜ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଲେ ବି ଭାରତ ସମାନ ୪ ପଏଣ୍ଟ ପାଇ ସେମାନଙ୍କଠୁ ନେଟ୍ ରନ୍ ରେଟରେ ଆଗରେ ରହିଲେ ସେମି ଖେଳିବା ନିଶ୍ଚିତ ।

ଦ୍ୱିତୀୟ ବିକଳ୍ପ- ଯଦି ଭାରତ ଗୋଟିଏ ମ୍ୟାଚ୍ ଜିତେ ତଥାପି ସେମି ଫାଇନାଲ ଖେଳିବ । କିନ୍ତୁ ସମ୍ଭାବନା ରହିଛି ମାତ୍ର ୧ ପ୍ରତିଶତ । କେବଳ ଗୋଟିଏ ମ୍ୟାଚ୍ ଜିତିଲେ ଟିମ୍ କୁ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବାକୁ ହେବ । ଦକ୍ଷିଣ ଆଫ୍ରିକା ନିଜର ସବୁ ମୁକାବିଲା ଜିତିବା ପରେ ହିଁ ଭାରତର କ୍ୱାଲିଫାଏ ସମ୍ଭାବନା ବଢିଯିବ । ଏହାସହ ଓ୍ୱେଷ୍ଟ୍ ଇଣ୍ଡିଜ୍ କିମ୍ବା ଜିମ୍ବାଓ୍ୱେ ଟିମ୍ ନିଜ ନିଜର କେବଳ ଗୋଟିଏ ମ୍ୟାଚ୍ ଜିତିବେ । କିମ୍ବା ଉଭୟ ଦଳଙ୍କ ମଧ୍ୟରୁ ଜଣେ ସମସ୍ତ ମ୍ୟାଚ୍ ହାରିବ ଏବଂ ଅନ୍ୟ ଗୋଟିଏ ଦଳ କେବଳ ଗୋଟିଏ ମ୍ୟାଚ୍ ଜିତିବ । ଫଳରେ ଭାରତ ସହ ସମାନ ଦୁଇ ଅଙ୍କ ହୋଇଯିବ ପଏଣ୍ଟ । କିନ୍ତୁ ନେଟ୍ ରନ୍ ରେଟ୍ କୁ ଅପେକ୍ଷା କରିବାକୁ ହେବ । କାରଣ ଯଦି ଭାରତ, ଜିମ୍ବାଓ୍ୱେ ଏବଂ ଇଣ୍ଡିଜ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତନ୍ତି କିମ୍ବା ଭାରତ ସହ ଅନ୍ୟ ଏକ ଦଳ ସମାନ ଦୁଇଟି ପଏଣ୍ଟ ପାଆନ୍ତି ତେବେ ସବୁଠୁ ଅଧିକ ରନ୍ ରେଟ୍ ଥିବା ଦଳ ସେମିକୁ ଉନ୍ନୀତ ହେବ ।