ଅହମ୍ମଦାବାଦ: ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ। ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ଵ ଚାମ୍ପିଅନ ହୋଇଛି। ଭାରତ ପ୍ରଥମ ଦଳ ଭାବେ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଜିତିଛି। ୨୦୨୪ ଟି-୨୦ ବିଶ୍ଵକପ ଜିତିବା ପରେ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତି ମହାରେକର୍ଡର ଅଧିକାରୀ ହୋଇଛି। ଏହା ସହିତ ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ରେକର୍ଡ କରିଛି ସୂର୍ଯ୍ୟ ବାହିନୀ। ଅନ୍ୟପଟେ ପ୍ରଥମ ଥର ବିଶ୍ଵ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ କୌଣସି ଦଳ ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ବଜାୟ ରଖିବାର ରେକର୍ଡ କରି ନାହାନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି। ଯଶପ୍ରୀତ ବୁମରା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

୨୫୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡର ଆରମ୍ଭ ସେହି ହିସାବରେ ଭଲ ନ ଥୀଲା। ଦଳ ୩୨ ରନ ଭିତରେ ୨ଟି ଓ୍ଵିକେଟ୍ ହରାଇଥିଲା। ଫିନ ଆଲେନ ୯ ରନ ଏବଂ ରଚିନ ରବୀନ୍ଦ୍ରନ ମାତ୍ର ୧  ରନ କରି ନିରାଶ କରିଥିଲେ। ଭାରତୀୟ ବୋଲର ଶାଣିତ ବୋଲିଂ କରି କିଓ୍ଵିର କୌଣସି ବ୍ୟାଟରଙ୍କୁ କ୍ରିଜରେ ସେଟ୍ ହେବାକୁ ଦେଇ ନ ଥିଲେ।  ଗ୍ଲେନ ଫିଲିପ୍ସ ୫ ରନ ଓ ମାର୍କ ଚାମପ୍ୟାନ ୩ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ଏକ ମାତ୍ର ବ୍ୟାଟର ଭାବେ ଅଧିନାୟକ ମିଚେଲ ସାଣ୍ଟନର ୪୩ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ।

ତେବେ ବୁମରା ଘାତକ ବୋଲିଂ କରି କିଓ୍ଵି ବ୍ୟାଟରଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇ ନ ଥିଲେ। ସାଣ୍ଟରନ ୪୩  ରନ କରିବା ସହ ନ୍ୟୁଜିଲାଣ୍ଡ ଇନିଂସ ୧୫୯ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ମ୍ୟାଚକୁ ୯୬ ରନରେ ଜିତି ଚାମ୍ପିଅନ ହେବା ସହ ଇତିହାସ ରଚିଛି।  ବୋଲିଂରେ ଭାରତ ପକ୍ଷରୁ ତାରକା ବୋଲର ଯଶପ୍ରୀତ ବୁମରା ମାତ୍ର ୧୫ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଉପଅଧିନାୟକ ଅକ୍ଷର ପଟେଲ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ବି ଯୋଗଦାନ ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଓ ଅଭିଷେକ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ​​​​​​​

ଭାରତ ଇନିଂସ​​​​​​​

ଆଜିର ମ୍ୟାଚ୍‌ରେ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ ଟସ୍‌ ହାରିବା ପରେ ବି ତାଙ୍କ ମନବଳ ମଜଭୁତ ରହିଥିଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ଫାଇନାଲ ଫାଇଟ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ବିସ୍ଫୋରକ ଷ୍ଟାର୍ଟ ଦେଇଥିଲା। ସବୁଠାରୁ ବଡ଼ କଥା ହେଲା ଲଗାତର ଫ୍ଲପ ଶୋ ଦେଖାଇ ଆସୁଥିବା ଅଭିଷେକ ଶର୍ମା ଧୂଆଁଦାର ବ୍ୟାଟିଂ କରିଥିଲେ। ସେ ମାତ୍ର ୨୧ ବଲ୍‌ରେ ୫୨ ରନ୍‌ ଇନିଂସ ଖେଳିଥିଲେ। ସେପଟେ  ବିଶ୍ୱକପ୍‌ରେ ସଂକଟ ମୋଚନ ସାଜିଥିବା ସଞ୍ଜୁ ସାସମନ ଫାଇନାଲ ଫାଇଟ୍‌ରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ବୁଲେଟ୍ ଟ୍ରେନ୍ ଗତିର ପ୍ରହାର କରିଥିଲେ। ଦୁଇ ଓପନର ମିଶ ବଲ୍‌କୁ ହାୱାରେ ଉଡ଼ାଇଥିଲେ।

ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ଲକି ଫର୍ଗୁସନଙ୍କ ଓଭରରେ ଦୁହେଁ ମିଶି ୨୪ ରନ ସଂଗ୍ରହ କରିଥିଲେ। ଫଳରେ  ଭାରତ ଚତୁର୍ଥ ଓଭରେ ହିଁ ୫୦ ରନ୍ ଅତିକ୍ରମ କରିଥିଲା। ଏହାପରେ ଅଭିଷେକ କିୱି ବୋଲରଙ୍କ ଉପରେ କଡ଼ା ପ୍ରହାର କରି ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ୬ ଓଭର ପରେ ଭାରତର ସ୍କୋର ୯୨ ହୋଇଯାଇଥିଲା। ତେବେ ଅଷ୍ଟମ ଓଭରରେ ଅଭିଷେକ ଶର୍ମା ରଚିନ ରବିନ୍ଦ୍ରଙ୍କ ବଲରେ ଆଉଟ ହେବା ପରେ ଟିମ୍ ଇଣ୍ଡିଆର ପ୍ରଥମ ବିପର୍ଯ୍ୟୟ ଘଟିଥିଲା। ଅଭିଷେକ ଶର୍ମା ୨୧ ବଲରେ ୫୨ ରନ କରି ପାଭିଲିୟନ ଫେରିଥିଲେ।

କିନ୍ତୁ ଟିମ୍ ଇଣ୍ଡିଆ ୮ମ ଓଭରରେ ୧୦୦ ରନ ଅତିକ୍ରମ କରିଥିଲେ। ଏହି ସମୟରେ, ସଞ୍ଜୁ ସାମସନ ୧୧ତମ ଓଭରରେ ତାଙ୍କର ପଚାଶ ପୂରଣ କରିଥିଲେ। ସଞ୍ଜୁ ମାତ୍ର ୩୩ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବିଶ୍ୱକପରେ ତାଙ୍କର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ଥିଲା। ଅଭିଷେକଙ୍କ ଆଉଟ୍ ହେବା ପରେ ଇଶାନ କିଶନ ବି ଆସୁ ଆସୁ ଛକା ଚୌକା ବର୍ଷା କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ୧୫ତମ ଓଭରରେ ୨୦୦ ରନ ଅତିକ୍ରମ କରିଥିଲା। ଇଶାନ ମଧ୍ୟ ଓଭରରେ ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ୧୬ ତମ ଓଭରରେ ସଞ୍ଜୁ ୪୬ ବଲ୍‌ରେ ୮୯ ରନ କରି ଆଉଟ ହେବା ପରେ ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ୱିକେଟ ହରାଇଥିଲା।

୧୬ ତମ ଓଭର ବୋଲିଂ କରିବାକୁ ଆସିଥିବା ଜେମ୍ସ ନୀଶାମ ଟିମ୍ ଇଣ୍ଡିଆର ରନ୍ ଗତିରେ ବ୍ରେକ୍ ଲଗାଇଥିଲେ। କାରଣ ତାଙ୍କର ଏହି ଓଭରେ ଟିମ୍ ଇଣ୍ଡିଆ ସଞ୍ଜୁଙ୍କ ସମେତ ଇଶାନ କିଶନ ଓ ସୂର୍ଯ୍ୟ କୁମାର ଯାଦବଙ୍କ ୱିକେଟ୍ ହରାଇଥିଲା। ଇଶାନ ୫୪ ରନ କରି ନିଶାମଙ୍କ ଶିକାର ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ନଖୋଲି ସେହି ଓଭରରେ ଆଉଟ୍ ହୋଇଯାଇଥିଲେ। ୧୬ ଓଭର ପରେ ଭାରତ ସେତେବେଳେ ଭାରତର ସ୍ଥିତି ୨୦୪/୪ ରହିଥିଲା। କିନ୍ତୁ ତା’ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା ଦାୟିତ୍ୱ ରନ୍ ଗତି ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ।

ହେଲେ ଏଥର ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିପାରି ନଥିଲେ। ୧୯ତମ ଓଭରରେ ତାଙ୍କ ୱିକେଟ ଯାଇଥିଲା। ହାର୍ଦ୍ଦିକ ୧୩ ବଲ୍‌ ଖେଳି ମାତ୍ର ୧୮ ରନ କରିଥିଲେ। ସେତେବେଳେ ଭାରତ ୨୨୬/୫ ରନ୍ କରିଥିଲା। କିନ୍ତୁ ଶିବମ୍ ଦୁବେ ଶେଷ ଓଭରରେ ନିଶାମଙ୍କୁ ପ୍ରହାର କରିଥିଲେ। ଶେଷ ଓଭରରେ ଦୁବେ ୨୪ ରନ୍ କରିଥିଲେ। ଦୁବେ ମାତ୍ର ୮ ବଲରେ ୨୬ ରନର ଯୋଗାଦାନ ଦେଇଥିଲେ। ଯାହା ଭାରତକୁ ନ୍ୟୁଜିଲାଣ୍ଡ ପାଇଁ ୨୫୬ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା। ଭାରତୀୟ ବ୍ୟାଟରମାନେ ଶେଷ ପାଞ୍ଚ ଓଭରରେ ୫୨ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀଶାମ ସର୍ବାଧିକ ୩ଟି ମୂଲ୍ୟବାନ ୱିକେଟ୍ ନେଇଥିବା ବେଳେ ମ୍ୟାଟ୍ ହେନରି ଓ ରଚିନ ରବିନ୍ଦ୍ର ଗୋଟିଏ ଲେଖାଏ ୱିକେଟ ନେଇଥିଲେ। 

​​​​​​​