ଚେନ୍ନାଇ: ଚଳିତ ବିଶ୍ଵକପ୍ ସୁପର-୮ରେ ନିଜର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଗର୍ଜି ଉଠିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୪ ଓ୍ଵିକେଟ୍ ହରାଇ ୨୫୬ ରନର ବିଶାଳ ସ୍କୋର କରିଛି। ଟି-୨୦ ବିଶ୍ଵକପ୍ ଇତିହାସରେ ଏହା ଦ୍ଵିତୀୟ ସର୍ବାଧିକ ସ୍କୋର। ଲଗାତାର ନିରାଶ କରୁଥିବା ଅଭିଷେକ ଶର୍ମା ୫୫ ରନ କରିଥିବା ବଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ଓ ତିଳକ ବର୍ମା ୪୪ ରନ ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହା ସହ ଅନ୍ୟ ବ୍ୟାଟରଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଜିମ୍ବାଓ୍ଵେ ଆଗରେ ରହିଛି ୨୫୭ ରନର ବିଜୟ ଲକ୍ଷ୍ୟ। ଟି-୨୦ ବିଶ୍ଵକପରେ ସର୍ବାଧିକ ସ୍କୋରର ରେକର୍ଡ ଶ୍ରୀଲଙ୍କା ନାଁରେ ରହିଛି। ଦଳ ୨୬୦ ରନ ସ୍କୋର କରିଥିଲା। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆଜି ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ। ସଞ୍ଜୁ ସାମସନଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିଥିଲା। ସେ ୧୫ ବଲରୁ ୨୪ ରନ କରି ପ୍ରଥମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଅଭିଷେକ ଓ ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡ଼ି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଇଶାନ ୨୪ ବଲରୁ ୪ ଚୌକା ଓ ୧ ଛକା ସହ ୩୮ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ୩୦ ବଲରୁ ୪ ଚୌକା ଓ ୪ ଛକା ସହ ୫୫ ରନର ଭଲ ଇନିଂସ ଖେଳିଥିଲେ। ​​​​​​​

ଆଜି ମ୍ୟାଚରେ ଟପ୍ ଅର୍ଡରଠୁ ନେଇ ମଧ୍ୟକ୍ରମ ସମସ୍ତ ବ୍ୟାଟର ଲୟରେ ନଜର ଆସିଥିଲେ। ସୂର୍ଯ୍ୟ ମାତ୍ର ୧୩ ବଲରୁ ୩ ଚୌକା ଓ ୨ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବାକି ମୋର୍ଚ୍ଚା ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା। ଉଭୟ ଧୂଆଁଧାର ବ୍ୟାଟିଂ କରି ୮୪ ରନ ଯୋଡ଼ି ଭାରତର ସ୍କୋରକୁ ୪ ଓ୍ଵିକେଟରେ ୨୫୬ ରନରେ ପହଞ୍ଚାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୨ ଚୌକା ଓ ୪ ଛକା ସହ ୫୦ ରନ ଓ ତିଳକ ବର୍ମା ୧୬ ବଲରୁ ୩ ଚୌକା ଓ ୪ ଛକା ସହ ୪୪ ରନ କରି ଅପରାଜିତ ଅଛନ୍ତି।