କୋଲକାତା: ବାଂଲାଦେଶର ନିର୍ବାସୀତ ଲେଖିକା ତସଲିମା ନସରୀନ ତାଙ୍କ ଦେଶର ସଂଖ୍ୟାଲଘୁ ଖାସ କରି ହିନ୍ଦୁ ସମୂଦାୟର ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଯେ ବାଂଲାଦେଶରେ ରାଜନୈତିକ ନେତୃତ୍ୱ ବଦଳିଥିବା ସତ୍ତ୍ୱେ ସଂଖ୍ୟାଲଘୁଙ୍କ ପରିସ୍ଥିତିରେ ସେପରି କୌଣସି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁ ନାହିଁ। ତାଙ୍କ ଅନୁସାରେ ଯଦିଓ ଅଲଗା ଅଲଗା ସରକାର ଶାସନକୁ ଆସିଛନ୍ତି ଧାର୍ମିକ କଠୋରତା ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ରହିଛି।

ସେହିପରି ଭାରତରେ ସମାନ ନାଗରିକ ସଂହିତା (ୟୁସିସି)କୁ ନେଇ ତସଲିମା କହିଛନ୍ତି ଯେ ଗତ ୪ ଦଶନ୍ଧୀରୁ ଅଧିକ ସମୟ ହେଲା ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଛି। ସେ କହିଛନ୍ତି ଯେ ଗତ ୪୦ ବର୍ଷ ହେଲା ଏହି ପ୍ରସଙ୍ଗରେ ସେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଧର୍ମ ଆଧାରିତ ବ୍ୟକ୍ତିଗତ ଆଇନ ଅନେକ କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବାରେ ବିଫଳ ହୋଇଛି। ସେହିପରି ବାଂଲାଦେଶର କିଛି ଧାର୍ମିକ ଆଇନ କାରଣରୁ ମହିଳାଙ୍କୁ ସମ୍ପତ୍ତି ଓ ବୈବାହିକ ଅଧିକାର ସମ୍ପର୍କିତ ମାମଲାରେ ସମାନତା ମିଳି ପାରୁ ନାହିଁ। ସେ କହିଛନ୍ତି ଯେ ମହିଳାଙ୍କୁ ସମାନ ଆଇନ ସଂରକ୍ଷଣ ଓ ଅଧିକାର ମିଳିବା କୌଣସି ଗଣତାନ୍ତ୍ରିକ ସମାଜର ମୂଳ ଆବଶ୍ୟକତା ଅଟେ।

ଏହି ଅବସରରେ ତସଲିମା ତାଙ୍କ ଜୀବନର କଠିନ ସମୟକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଧାର୍ମିକ କଠୋରତାର ସମାଲୋଚନା କରିବାରୁ ତାଙ୍କୁ ଦେଶରୁ ନିର୍ବାସୀତ ହେବାକୁ ପଡିଛି। ତାଙ୍କ ବିରୋଧରେ ଫତୱା ଜାରି ହେଲା ଓ ଜୀବନରେ ମାରିଦେବାକୁ ଧମକ ମଧ୍ୟ ମିଳିଲା। ସେ କହିଛନ୍ତି ଯେ ଏପରି ପରିସ୍ଥିତି ସତ୍ତ୍ୱେ ମୁଁ ମୋ ସ୍ୱରକୁ ଦବିବାକୁ ଦେଇ ନାହିଁ। ଆଜି ବି ସେ ମହିଳାଙ୍କ ଅଧିକାର ଅଭିବ୍ୟକ୍ତିର ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଲଗାତାର କହି ଆସୁଛନ୍ତି।

ଲେଖିକା ଅଭିଯୋଗ କରିଛନ୍ତି ଯେ ଏବେକା ସମୟରେ ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ଅତ୍ୟନ୍ତ ଦୟନିୟ। ଦେଶରେ ୟୁନୁସ ଶାସନରେ ହିନ୍ଦୁ ସମୂଦାୟଙ୍କ ଉପରେ ଅତ୍ୟାଚାର ଘଟଣା ବୃଦ୍ଧି ହୋଇଥିଲା। ସେ କହିଛନ୍ତି ଯେ ବାଂଲାଦେଶର ମଦରସା ଓ ମସଜିଦମାନଙ୍କରେ ହିନ୍ଦୁଙ୍କ ବିରୋଧରେ ଘୃଣାର ପରିବେଶ ସୃଷ୍ଟି କରାଯାଉଛି, ଯାହା ସମାଜ ପାଇଁ ବାସ୍ତବିକ୍ ଚିନ୍ତାଜନକ। ତସଲିମା କହିଛନ୍ତି ଯେ ବାଂଲାଦେଶର ଜମାତ-ଏ-ଇସ୍ଲାମୀ ଭଳି ରାଜନୈତିକ ଦଳମାନେ ମହିଳା ସମାନତାର ବିରୋଧୀ। ଏପରି ରାଜନୈତିକ ଦଳମାନେ ଦେଶରେ ଶରିଆ ଆଇନ ପ୍ରଚଳନ କରିବାକୁ ଚାହୁଁଛନ୍ତି। ଏଥିରେ ଯଦି ଏପରି ହୁଏ ତେବେ ଦେଶରେ ସଂଖ୍ୟାଲଘୁ ହିନ୍ଦୁ ସୁରକ୍ଷିତ ରହିବା କଷ୍ଟକର ହୋଇପଡିବ।

ସେ କହିଛନ୍ତି ଯେ ବାଂଲାଦେଶ ଧିରେ ଧିରେ ଏପରି ରାସ୍ତାରେ ଆଗକୁ ବଢୁଛି ଯେଉଁଥିରେ ଗଣତନ୍ତ୍ର ଓ ଆଧୁନିକ ମୂଲ୍ୟ ଜାଗାରେ ମୌଳବାଦୀ ହାବି ହେବାରେ ଲାଗିଛନ୍ତି। ଏଥିରେ ବାଂଲାଦେଶ ସରକାରଙ୍କ ଧ୍ୟାନ କେବଳ କ୍ଷମତାରେ ରହିବା ଉପରେ କେନ୍ଦ୍ରିତ ରହୁଛି, ଏଥିରେ ସମାଜ କିପରି ଆଗକୁ ବଢିବ ସେ ଦିଗରେ ଉଦ୍ୟମ ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ତସଲିମା ନସରୀନ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ରାଜନୈତିକ ଦଳ ଆବାମୀ ଲିଗ୍ ର ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ଶେଖ୍ ହସିନା ବାଂଲାଦେଶ ଫେରିବାକୁ ଚାହୁଁଛନ୍ତି। ହେଲେ ଏବେକା ପରିସ୍ଥିତିରେ ଏହା କେତେଦୂର ସମ୍ଭବ ସେ ସମ୍ପର୍କରେ କହିବା କଷ୍ଟକର। ସେ କହିଛନ୍ତି ଯେ ଶେଖ ହସିନାଙ୍କ ଯେଉଁ ଫେରିବା ଚର୍ଚ୍ଚା ହେଉଛି ସେଥିରେ ତାଙ୍କୁ ସ୍ୱଦେଶ ଫେରିବାର ଅବସର ମିଳି ପାରୁ ନାହିଁ। ହସିନାଙ୍କ ଶବ୍ଦରେ ‘କେହି ବି ଚାହୁଁ ନାହାନ୍ତି ମୁଁ ବାଂଲାଦେଶ ଫେରିଯାଏ’। ତସଲିମା ନସରୀନ ୧୯୯୪ ମସିହାରୁ ନିର୍ବାସୀନ ଜୀବନ ଅତିବାହୀତ କରି ଆସୁଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ସେକ୍ୟୁଲାର ମିସନ ମୁଖ୍ୟ ଉସ୍ମାନ ଗନି ମଲ୍ଲିକଙ୍କ ନିମନ୍ତ୍ରଣ ଯୋଗୁ କୋଲକାତା ଆସିବାକୁ ଅବସର ମିଳିଲା। ପାଖାପାଖି ଦୁଇ ଦଶନ୍ଧୀ ପରେ ସେ କୋଲକାତା ଆସିବା ସାହିତ୍ୟ, ଅଭିବ୍ୟକ୍ତିର ସ୍ୱାଧୀନତା ଓ ସାମାଜିକ ବିମର୍ଷ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ମନେ କରାଯାଉଛି।