ମୁମ୍ଵାଇ ୧୦।୦୫; ନିର୍ବାଚନ ଫଳ ବାହାରିବା ପରଠାରୁ ତାମିଲନାଡ଼ୁରେ ଜାରି ରହିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ୫ ଦିନର କସରତ ପରେ ଥାଲାପତି ବିଜୟ ଶେଷରେ ସଂଖ୍ୟା ଖେଳରେ ଜିତିଛନ୍ତି । ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍) ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଛନ୍ତି। ଆଜି ସକାଳ ୧୦ଟାରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ ବିଜୟଙ୍କୁ ବୁଧବାର ଅର୍ଥାତ ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।

ଟିଭିକେକୁ ଗତକାଲି ଡିଏମ୍କେ ସହଯୋଗୀ ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି) ଏବଂ ଆଇୟୁଏମ୍ଏଲ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୨୦ରେ ପହଞ୍ଚିଛି। ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜୟ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ମିଶି ଗତକାଲି ଚତୁର୍ଥ ଥର ପାଇଁ ରାଜ୍ୟପାଳଙ୍କୁ ଭେଟି ୧୨୦ ବିଧାୟକଙ୍କ ସମର୍ଥନପତ୍ର ଦେଇଥିଲେ । ରାଜ୍ୟପାଳ ଏହାକୁ ଗ୍ରହଣ କରି ବିଜୟଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ୩ ଥର ବିଜୟଙ୍କୁ ଲୋକଭବନରୁ ଫେରାଇଥିବା ରାଜ୍ୟପାଳ ବିଜୟଙ୍କୁ ଭେଟିବା ପାଇଁ ତାଙ୍କ କେରଳ ଗସ୍ତକୁ ବାତିଲ କରିଥିଲେ। 

ବିଜୟଙ୍କୁ ଭେଟିବା ପାଇଁ ରାଜ୍ୟପାଳ ପ୍ରଥମେ ମନା କରିଦେଇଥିଲେ। ଏଭଳି ଏକ ଘଡ଼ିସନ୍ଧି ସମୟରେ ରାଜ୍ୟପାଳଙ୍କ ଅନୁପସ୍ଥିତି ଆଗକୁ ବଡ଼ ଜଟିଳ ସ୍ଥିତି ଆଣିପାରେ ବୋଲି ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟପାଳ ତାଙ୍କ କେରଳ ଗସ୍ତ ବାତିଲ କରି ବିଜୟଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ତାମିଲନାଡ଼ୁରେ ସରକାର ଗଠନ ପାଇଁ ବାଟ ଫିଟିବା ପରେ ଟିଭିକେ ସମର୍ଥକମାନେ ଚେନ୍ନାଇସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ।

Also Read-ବାହାଘରର ୨୪ ଘଣ୍ଟା ନପୁରୁଣୁ ମା’ ହେଲେ ବୋହୂ ! ଝିଅ ଜନ୍ମ ପରେ ଶାଶୁଘରର ଉଡ଼ିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା