ପାଲ୍ଲେକେଲେ: ଇତିହାସ ରଚିଲା ଜିମ୍ବାଓ୍ଵେ। ଟି-୨୦ ବିଶ୍ଵକପ୍ ୨୦୨୬ରେ ସୁପର-୮ରେ ପ୍ରବେଶ କରିଛି ଟିମ୍। ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ମିଳିଛି। ଏଥିସହ ୫ ପଏଣ୍ଟ ପାଇ ସପ୍ତମ ଦଳ ଭାବେ ଚଳିତ ଟି-୨୦ ବିଶ୍ଵକପର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜିମ୍ବାଓ୍ଵେ। ଅନ୍ୟପଟେ ବର୍ଷା ଅଷ୍ଟ୍ରେଲିଆ ଦଳର ସ୍ଵପ୍ନକୁ ଭାଙ୍ଗି ଚୂରମାର କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛି। ଯଦି ଆଜିର ମ୍ୟାଚ୍‌ ଆୟରଲାଣ୍ଡ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆର ସୁପର-୮କୁ ଯିବା ଆଶା ଉଜ୍ଜିବୀତ ରହିଥାନ୍ତା। ​​​​​​​

ସିକନ୍ଦର ରଜାଙ୍କ ନେତୃତ୍ଵାଧୀନ ଜିମ୍ବାଓ୍ଵେ ଟିମ ଟି-୨୦ ବିଶ୍ଵକପ୍ ୨୦୨୬ରେ ଐତିହାସିକ ଉପଲବ୍ଧି ହାସଲ କରିଛି। ଜିମ୍ବାଓ୍ଵେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସୁପର-୮ରେ ପ୍ରବେଶ କରିଛି। ପାଲ୍ଲେକେଲେରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହେବାରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଜିମ୍ବାଓ୍ଵେ। ମଙ୍ଗଳବାର ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗ୍ରୁପ ବିର ମ୍ୟାଚ୍ ବର୍ଷା କାରଣରୁ ଟସ୍ ବି ପଡ଼ି ପାରି ନ ଥିଲା। ଦୁଇ ଦଳକୁ ଏକ ଏକ ପଏଣ୍ଟ ମିଳିଛି। ଜିମ୍ବାଓ୍ଵେ ଗ୍ରୁପ ବିରୁ ସୁପର-୮ରେ ପହଞ୍ଚିବାରେ ଦ୍ଵିତୀୟ ଟିମ୍। ଦଳ ତିନୋଟି ମ୍ୟାଚରୁ ୫ ପଏଣ୍ଟ  ପାଇଛି। ଏହି ଗ୍ରୁପର ସହ ଆୟୋଜକ ଶ୍ରୀଲଙ୍କା  ୩ ମ୍ୟାଚରୁ ୬ ପଏଣ୍ଟ ପାଇ ପୂର୍ବରୁ ସୁପର-୮ରେ ପହଞ୍ଚି ସାରିଛି। ଆୟରଲାଣ୍ଡ ସହିତ ଅଷ୍ଟ୍ରେଲିଆର ମଧ୍ୟ ସୁପର-୮ ଆଶା ଧୂଳିସାତ ହୋଇଛି।

୧୭ ବର୍ଷ ପରେ ଅଷ୍ଟ୍ରେଲିଆ ବିଦା

ଅଷ୍ଟ୍ରେଲିଆ ୧୭ ବର୍ଷ ପରେ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୦୯ ଟି-୨୦ ବିଶ୍ଵକପର ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଥିଲା। ୨୦୨୧ ଟି-୨୦ ବିଶ୍ଵକପର ବିଜେତା ଅଷ୍ଟ୍ରେଲିଆ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ଆୟରଲାଣ୍ଡର ବିଜୟ ଉପରେ ନିର୍ଭର ଥିଲା। ମାତ୍ର ବର୍ଷା କଙ୍ଗାରୁ ଦଳକୁ ବଡ଼ ଝଟକା ଦେଇଛି। ଏହା ପୂର୍ବରୁ ଦଳ ଶ୍ରୀଲଙ୍କା ହାତରୁ ୮ ଓ୍ଵିକେଟ୍ ଏବଂ ଜିମ୍ବାଓ୍ଵେଠୁ ୨୩ ରନରେ ହାରିଥିଲା। ଅଷ୍ଟ୍ରେଲିଆ ଆୟରଲାଣ୍ଡ ବିପକ୍ଷରେ ଏକ ମାତ୍ର ମ୍ୟାଚ୍ ଜିତିଥିଲା।

ଏବେ ଶେଷ ଲିଗ୍ ମ୍ୟାଚରେ ଦଳ ଫେବୃଆରୀ ୨୦ରେ ଓମାନକୁ ଭେଟିବ। ଆହତ ସମସ୍ୟା ଦେଇ ଗତି କରିଥିବା ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ଲାଗୁଥିଲା। ପାଟ୍ କମିନ୍ସ ଓ ଜୋଶ ହେଜେଲଉଡ ପରି ବୋଲର ଆହତ ସମସ୍ୟା ପାଇଁ ଖେଳି ପାରି ନ ଥିଲେ। ଅନ୍ୟପଟେ ଜିମ୍ବାଓ୍ଵେ ନିଜର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟରେ ଜିମ୍ବାଓ୍ଵେର ପ୍ରଦର୍ଶନ ଚମତ୍କାର ରହିଛି। ​​​​​​​