କୋଲକାତା: ଆଜି ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ବଡ଼ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍। ଏକ ପ୍ରକାର ଏହି ମ୍ୟାଚ୍ ଦୁଇ ଦଳ ପାଇଁ କ୍ଵାର୍ଟର ଫାଇନାଲ୍ ସାବ୍ୟସ୍ତ ହୋଇଛି। ଅର୍ଥାତ ଯେଉଁ ଟିମ୍ ମ୍ୟାଚ୍ ଜିତିବ ସେ ସେମିରେ ପ୍ରବେଶ କରିବ। ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଓ୍ଵେଷ୍ଟଇଣ୍ଡିଜ। ସମାନ ଏକାଦଶ ସହ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଉଥିବା ବେଳେ ଓ୍ଵେଷ୍ଟଇଣ୍ଡିଜରେ ଗୋଟିଏ ପରିବର୍ତ୍ତନ ହୋଇଛି

ଐତିହାସିକ ଇଡେନ ଗାର୍ଡେନ୍ସ ଆଜି କୌଣସି ଏକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଘରୋଇ ସମର୍ଥକଙ୍କ ଗହଣରେ ଖେଳୁଥିଲେ ହେଁ ବିଜୟ ଦାବିଦାର କହିବା ଭୁଲ ହେବ । ଶକ୍ତି ଓ ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ସମାନ । ପୂର୍ବ ରେକର୍ଡ ଏଠାରେ କୌଣସି ଗୁରୁତ୍ୱ ରଖିବ ନାହିଁ । ତେଣୁ ମ୍ୟାଚ୍ ରୋମାଞ୍ଚର ଶିଖର ଛୁଇଁବ ।

ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ । ୱେଷ୍ଟ ଇଣ୍ଡିଜ ଲିଗ୍ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଥିଲା । ଭାରତ ମଧ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା । ମାତ୍ର ୟୁଏସଏ ଓ ନେଦରଲାଣ୍ଡସ ଭଳି ଦଳ ବିପକ୍ଷରେ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା । ବିଳମ୍ବରେ ହେଉ ପଛେ ଭାରତ ଲୟକୁ ଫେରିଛି ଓ ୱେଷ୍ଟ ଇଣ୍ଡିଜକୁ ହରାଇବା ପାଇଁ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିଛି । ଜିମ୍ବାୱେ ବିପକ୍ଷରେ ଖେଳିଥିବା ଏକାଦଶରେ ଭାରତ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ମାତ୍ର ଇଡେନ ଗାର୍ଡେନ୍ସ ପିଚକୁ ଦେଖି କୁଲଦୀପ ଯାଦବଙ୍କୁ ଡକାଇବା ଚତୁର ରଣନୀତି ସାବ୍ୟସ୍ତ ହୋଇପାରେ ।

ସେହିପରି ୱେଷ୍ଟ ଇଣ୍ଡିଜ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଦଳରେ ଏକାଧିକ ଦୁର୍ଦ୍ଧର୍ଷ ବ୍ୟାଟର ଓ ଅଲରାଉଣ୍ଡର ରହିଛନ୍ତି । ତେଣୁ ଭାରତର ବିଶାଳ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିବାର କ୍ଷମତା ମଧ୍ୟ ଇଣ୍ଡିଜ ଦଳ ନିକଟରେ ରହିଛି । ଡାହାଣହାତୀ ଅଫ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ଟପ ଅର୍ଡର ବାମ ହାତି ବ୍ୟାଟରଙ୍କ ସଂଘର୍ଷ ସମ୍ପ୍ରତି ବିଶ୍ୱକପ୍ର ସବୁଠୁ ଚର୍ଚ୍ଚାର ବିଷୟ ରହିଛି । ତେଣୁ ଅଭିଷେକ ଶର୍ମା, ଇଶାନ କିଷନ, ତିଳକ ବର୍ମା ଆଦି ବ୍ୟାଟର ଓ ୱେଷ୍ଟ ଇଣ୍ଡିଜର ସ୍ପିନର ରଷ୍ଟନ ଚେଜଙ୍କ ମଧ୍ୟରେ ଏକ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ।

ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଶୁଷ୍କ ରହିଥିବା ସାମ୍ବାଦିକ ସମ୍ମିଳନୀରେ ୱେଷ୍ଟ ଇଣ୍ଡିଜ କୋଚ୍ ଡାରେନ ସାମି ପ୍ରକାଶ କରିଛନ୍ତି । ତେଣୁ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ରାତ୍ରିରେ ମ୍ୟାଚ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।

ୱେଷ୍ଟ ଇଣ୍ଡିଜ: ସାଇ ହୋପ୍(ଓ୍ଵିକେଟ୍/ଅଧିନାୟକ), ରୋଷ୍ଟନ ଚେଜ, ସିମରନ ହେଟମାୟର, ରୋଭମ୍ୟାନ ପାଓ୍ଵେଲ, ଶେରଫେନ ରଦରଫୋର୍ଡ, ରୋମାରିଓ ଶେଫାର୍ଡ, ଜାସନ ହୋଲଡର, ମାଥ୍ୟୁ ଫୋର୍ଡେ, ଅକିଲ ହୁସେନ, ଗୁଡାକେଶ ମୋଟି, ଶାମରା ଯୋଶେଫ।