ଭୁବନେଶ୍ବର ୧୦।୬: ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆସନ୍ତା ୧୨ ଜୁନ୍‌ରୁ ସମଗ୍ର ରାଜ୍ୟର ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ–ସମୃଦ୍ଧ ଓଡ଼ିଶା ସମାବେଶ’ ଆୟୋଜନ କରିବେ । ଏନେଇ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ନାଗରିକ ସଂପୃକ୍ତି କାର୍ଯ୍ୟକ୍ରମର ଅଂଶ ଭାବେ ଏହି ସମାବେଶ ଆୟୋଜିତ ହେବ । ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି ଅଧିକାରୀ (ଡିଏସ୍‌ଡିଇଓ) ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି)ର ମହାପ୍ରବନ୍ଧକ ମିଳିତ ଭାବେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିବେ।

ସରକାରଙ୍କ ଏସ୍ଓପି ଅନୁଯାୟୀ, ପ୍ରତ୍ୟେକ ବ୍ଲକରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅର୍ଦ୍ଧଦିବସୀୟ ସମାବେଶ ଅନୁଷ୍ଠିତ ହେବ। ଏଥିରେ ଆଇଟିଆଇ, ପଲିଟେକ୍ନିକ୍, ଡିଗ୍ରୀ ଓ ବୈଷୟିକ କଲେଜ ଛାତ୍ରଛାତ୍ରୀ, ଭବିଷ୍ୟତ ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ପ୍ରତିନିଧି, ସଫଳ ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସାମିଲ କରାଯିବ। ପ୍ରତ୍ୟେକ ସମାବେଶରେ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିବେ।

ଏହି ଅବସରରେ ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ, ମୁଦ୍ରା ଋଣ, ସିଜିଟିଏମ୍ଏସ୍ଇ ସମେତ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ବିଷୟରେ ଯୁବପିଢ଼ୀଙ୍କୁ ସଚେତନ କରାଯିବ। ସେହିପରି କୌଶଳ ବିକାଶ, ଉଦ୍ୟୋଗ ସ୍ଥାପନ, ବ୍ୟାଙ୍କ ଋଣ ସୁବିଧା, ବଜାର ସଂଯୋଗ ଏବଂ ଷ୍ଟାର୍ଟଅପ୍ ସୁଯୋଗ ନେଇ ବିସ୍ତୃତ ଆଲୋଚନା ହେବ। ସଫଳ ଉଦ୍ୟୋଗୀ ଓ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଯୁବକମାନେ ନିଜ ଅନୁଭୂତି ବାଣ୍ଟି ଅନ୍ୟମାନଙ୍କୁ ପ୍ରେରଣା ଦେବେ।

Also Read:- ଚନ୍ଦ୍ରିକା ମୃତ୍ୟୁରେ ନୂଆ ଟ୍ବିଷ୍ଟ୍, ସାମ୍ନାକୁ ନଆସି ଲୁଚି ଲୁଚି ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ

ସମାବେଶରେ ବିଶ୍ୱ କୌଶଳ କେନ୍ଦ୍ର, ଆଇଟିଆଇ, ପଲିଟେକ୍ନିକ୍, ଉଚ୍ଚ ବୈଷୟିକ ଶିକ୍ଷା ଓ ଅନ୍ୟାନ୍ୟ କୌଶଳ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ। ଆଗ୍ରହୀ ଯୁବକମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଶିକ୍ଷଣ ସହଭାଗୀ ସଂସ୍ଥାଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର କାଉନ୍ସେଲିଂ ଡେସ୍କ ଖୋଲାଯିବ।

ସରକାର ପ୍ରତ୍ୟେକ ବ୍ଲକରେ ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୧.୨୦ ଲକ୍ଷ ଟଙ୍କା ବ୍ୟୟ ବ୍ୟବସ୍ଥା କରିଛନ୍ତି। ଏଥିରେ ଖାଦ୍ୟ ବ୍ୟବସ୍ଥା, ଏଲ୍ଇଡି ଓ ଅଡିଓ-ଭିଜୁଆଲ୍ ସୁବିଧା, ପ୍ରଚାର ପ୍ରସାର, ସଭାସ୍ଥଳ ପରିଚାଳନା ଏବଂ ଭିଡିଓଗ୍ରାଫି-ଫଟୋଗ୍ରାଫି ଆଦି ଖର୍ଚ୍ଚ ସାମିଲ ରହିଛି। ବର୍ତ୍ତମାନର ଗ୍ରୀଷ୍ମପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଇବା ପାଣି, ବାୟୁ ଚଳାଚଳ ଓ ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବପିଢ଼ୀଙ୍କୁ ସ୍ୱରୋଜଗାର ଓ ଉଦ୍ୟୋଗ କ୍ଷେତ୍ର ସହ ଯୋଡ଼ିବା ସହିତ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏକ ବୃହତ୍ ପଦକ୍ଷେପ ବୋଲି ମନେ କରାଯାଉଛି।