ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ୨୦୨୬ ଜିତାଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ମିଳିଲାନି ସ୍ଥାନ । ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟି-୨୦ ଦଳରୁ ବାଦ ଦିଆଯିବା ପରେ ଚର୍ଚ୍ଚା ଜୋର ଧରିଛି । ଆଗାମୀ ଇଂଲଣ୍ଡ ଓ ଆୟରଲାଣ୍ଡ ଗସ୍ତ ପାଇଁ ଦଳରୁ ବାଦ ପଡ଼ିଛନ୍ତି ସୂର୍ଯ୍ୟକୁମାର । ବିସିସିଆଇ (BCCI)ର ଏହି ନିଷ୍ପତ୍ତି ପରେ ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଛନ୍ତି।

ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ନୂଆ ଦଳର ଗ୍ରାଫିକ୍ସକୁ ସେୟାର କରି ସୂର୍ଯ୍ୟ ଲେଖିଛନ୍ତି, ‘ଆଗାମୀ ଆହ୍ୱାନଗୁଡ଼ିକ ପାଇଁ ଏହି ଅତ୍ୟନ୍ତ ଯୋଗ୍ୟ ଗ୍ରୁପ୍ (ଦଳ)କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା।’ ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କର ଏହି ମନୋଭାବକୁ ବେଶ୍ ପ୍ରଶଂସା କରୁଛନ୍ତି।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ପ୍ରେସ କନଫରେନ୍ସରେ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦେବା ଏବଂ ଅଧିନାୟକ ପଦରୁ ହଟାଇବା ପଛର କାରଣ ସ୍ପଷ୍ଟ କରିଛନ୍ତି । ଅଗରକର କହିଛନ୍ତି, ସୂର୍ଯ୍ୟଙ୍କ ସମ୍ପର୍କରେ ଏହି ନିଷ୍ପତ୍ତି ନେବା ଆମ ପାଇଁ ସହଜ ନଥିଲା, ଏହା ବହୁତ କଠିନ ଥିଲା। ସୂର୍ଯ୍ୟଙ୍କ ବର୍ତ୍ତମାନର ଫର୍ମ ଏବଂ ଆଗାମୀ ଦୁଇ ବର୍ଷର କ୍ରିକେଟ ସାଇକେଲକୁ ଦୃଷ୍ଟିରେ ରଖି, ଆଗକୁ ବଢ଼ିବା ପାଇଁ ଏହାହିଁ ସବୁଠାରୁ ଭଲ ଉପାୟ ବୋଲି ଆମେ ଭାବିଲୁ। ଶ୍ରେୟସ ଆୟର ଏହି ସୁଯୋଗ ପାଇଁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ ।

ଅଧିନାୟକ ଭାବରେ ସୂର୍ଯ୍ୟକୁମାରଙ୍କ ରେକର୍ଡ

ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ବାଦ୍ ଦିଆଯିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ଅଧିନାୟକ ଭାବରେ ତାଙ୍କର ରେକର୍ଡ ଅତ୍ୟନ୍ତ ଚମତ୍କାର ଥିଲା। ସୂର୍ଯ୍ୟକୁମାର ମୋଟ ୫୨ଟି ଟି-୨୦ ମ୍ୟାଚରେ ଅଧିନାୟକ ଥିଲେ ଏବଂ ସେଥିରୁ ୪୨ଟି ମ୍ୟାଚ ଜିତିଛନ୍ତି । ୯ଟି ଦ୍ବିପାକ୍ଷିକ ସିରିଜରେ ସେ ସମସ୍ତ ମ୍ୟାଚ୍ ବିଜୟୀ ହୋଇଛନ୍ତି । ଏସିଆ କପ ସବୁ ମ୍ୟାଚ୍ ଜିତି ଭାରତୀୟ ଟିମ୍ ବିଜୟୀ ହୋଇଥିଲା । ଟି-୨୦ ବିଶ୍ବକପରେ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ବିଜୟୀ କରାଇଥିଲେ ସୂର୍ଯ୍ୟକୁମାର ।

କାହିଁକି ବାଦ ପଡ଼ିଲେ ସୂର୍ଯ୍ୟକୁମାର ?

ଏଭଳି ଚମତ୍କାର ରେକର୍ଡର ଅଧିକାରୀ ହୋଇ ସୁଦ୍ଧା ତାଙ୍କୁ ଟି-୨୦ ଦଳରୁ ବାଦ୍ ଦିଆଯାଇଛି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି, ତାଙ୍କର ବ୍ୟାଟିଂ ଫର୍ମ । ଗତ କିଛି ମାସ ହେଲା ସେ କୌଣସି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏପରିକି ଆଇପିଏଲରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ରହିଥିଲା । ସେପଟେ ସୂର୍ଯ୍ୟକୁମାରଙ୍କ ସମକକ୍ଷ ଖେଳାଳି ଖୁବ ଭଲ ପ୍ରଦର୍ଶନ କରି ସିଲେକ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଭାରତୀୟ ଦଳକୁ ଫେରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ ନିଜ ବ୍ୟାଟିଂ ଫର୍ମରେ ସୁଧାର ଆଣିବାକୁ ପଡ଼ିବ ।