ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଓ ସୁସଂଗଠିତ ଓଡ଼ିଆ ଡାଏସ୍ପୋରା ସଂଗଠନ ପ୍ରବାସୀ ଓଡ଼ିଆ ବିକାଶ ସମିତି (POVS)ର ସଭାପତି ଭାବେ ପୁନଃ ନିର୍ବାଚିତ ହେଲେ ଡ. ସୂର୍ଯ୍ୟ ନାରାୟଣ ମିଶ୍ର । ରବିବାର କାର୍ଯ୍ୟକାରିଣୀ ପରିଷଦ ଓ ପଦାଧିକାରୀ ନିର୍ବାଚନରେ ଜିତିବା ପରେ ତାଙ୍କୁ ପୁଣି ଏହି ପଦରେ ନିଯୁକ୍ତ କରାଯାଇଛି। ତାଙ୍କ ସହ ଇଞ୍ଜିନିୟର ସୁଶାନ୍ତ କୁମାର ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଓ ବିଶ୍ୱଜିତ ବାରିକଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି।

ରବିବାର ଆଇଆଇଟି ନୂଆଦିଲ୍ଲୀ ସ୍ଥିତ ଆଇଆରଡି କନଫରେନ୍ସ ହଲ୍‌ରେ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଓ ସୁସଂଗଠିତ ଭାବେ ସମ୍ପନ୍ନ ହୋଇଥିଲା।ନିର୍ବାଚନ କମିଟିର ସମ୍ମାନନୀୟ ସଦସ୍ୟ ବିଶ୍ୱଜିତ ବେହେରା, ସହ ପ୍ରାଧ୍ୟାପକ, ଶିକ୍ଷା ଓ ଗବେଷଣା ବିଭାଗ, ଏନସିଇଆରଟି (ବାହ୍ୟ ପ୍ରିସାଇଡିଂ ଅଫିସର), ଡା. ପ୍ରଦ୍ୟୁମ୍ନ ପ୍ରଧାନ (ଆଭ୍ୟନ୍ତରୀଣ), ଚିନ୍ମୟ ମହାନ୍ତି (ଆଭ୍ୟନ୍ତରୀଣ), ନିର୍ବାଚନ ପ୍ରକ୍ରିୟାକୁ ନିର୍ଦ୍ଦେଶନା ଓ ପର୍ଯ୍ୟବେକ୍ଷଣ କରିଥିଲେ ।

ନବନିର୍ବାଚିତ ପଦାଧିକାରୀମାନେ ସଂଗଠନର ଲକ୍ଷ୍ୟ ଓ ଦୃଷ୍ଟିକୋଣକୁ ଆଗକୁ ନେବା, ପ୍ରବାସୀ ଓଡ଼ିଆମାନଙ୍କୁ ଏକତ୍ର କରିବା ଓ ଓଡ଼ିଶାର ସାଂସ୍କୃତିକ ମର୍ଯ୍ୟାଦାକୁ ଜାତୀୟ ମଞ୍ଚରେ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଉପସ୍ଥିତ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ବତନ ଆଇ.ପି.ଏସ. ଡ. ସଞ୍ଜୀବ ପାଟଯୋଶୀ, ଡ. ଧିରଜ୍ ସିଂହ, ପ୍ରବୋଧ ସ୍ୱାଇଁ, ଡ. ଶୈଳେନ୍ଦ୍ର ସ୍ୱାଇଁ, ରାଜେଶ ଶର୍ମା, ଅଜିତ ମହାନ୍ତି, ରୀତା ପାତ୍ର, ଡ. ପ୍ରକାଶ ସାହୁ, ସନ୍ତୋଷ ରାଉତ ଓ ସରିତା ମହାପାତ୍ର ସମେତ ଭିଜନ ଓଡ଼ିଶାରେ ସମିତିର ଯୋଗଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଶାରେ ଷ୍ଟାର୍ଟଅପ୍ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ପର୍ଯ୍ୟଟନର ପ୍ରଚାର ସହ ଜନ୍ମଭୂମି- କର୍ମଭୂମି ନାମରେ ସମସ୍ତ ଓଡ଼ିଆଙ୍କୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିରେ ସହଭାଗୀ କରିବା ପରି ବିଷୟ ପ୍ରମୁଖ ବିଷୟରେ ରହିଛି।