ନୂଆଦିଲ୍ଲୀ: ଖ୍ୟାତନାମା ଅର୍ଥଶାସ୍ତ୍ରୀ ତଥା ଲେଖକ ସୁରଜିତ ଭଲ୍ଲା ଭାରତର ଅର୍ଥନୀତି ସଂସ୍କାର ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, ଭାରତର ସୁଦୃଢ଼ ଅର୍ଥନୈତିକ ସ୍ଥିତି ଭାରତୀୟ ମୁଦ୍ରାକୁ ଅଧିକ ଶକ୍ତିଶାଳୀ କରିପାରିବ । ଏଥିସହିତ ଦେଶରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବାଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ନୀତିଗତ ସଂସ୍କାରର ଆବଶ୍ୟକତା ରହିଛି ।

ସମ୍ୱାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଭଲ୍ଲା କହିଛନ୍ତି, ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଏବଂ ନିୟନ୍ତ୍ରିତ ମୁଦ୍ରାସ୍ଫୀତି ଯୋଗୁଁ ଟଙ୍କାର ସ୍ଥିତି ମଜବୁତ ରହିବା କଥା । ସେ କହିଛନ୍ତି, "ଟଙ୍କାର ସ୍ଥିତି ଏହାର ମୂଲ୍ୟ ବୃଦ୍ଧି ସପକ୍ଷରେ ଅଛି, ଅବମୂଲ୍ୟାୟନ ବା ଡେପ୍ରିସିଏସନ ପାଇଁ ନୁହେଁ ।" ସେ ସ୍ପଷ୍ଟ କହିଛନ୍ତି ଯେ ଦେଶରେ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ୱେ ପୁଞ୍ଜି ନିବେଶର ଅଭାବ ଏକ ମୁଖ୍ୟ ସମସ୍ୟା ପାଲଟିଛି ।

ଭଲ୍ଲା କହିଛନ୍ତି ଯେ ନୀତିଗତ ଅନିଶ୍ଚିତତା ଯୋଗୁଁ ନିବେଶକମାନେ ନିରୁତ୍ସାହିତ ଅଛନ୍ତି । ଫଳରେ ଏହା ଟଙ୍କା ଉପରେ ପ୍ରଭାବ ପକାଉଛି । ତୁରନ୍ତ ନୀତିଗତ ସଂସ୍କାର ଆଣିବାକୁ ଦାବି କରି ଭଲ୍ଲା ସରକାରଙ୍କୁ ଅତୀତରୁ ପ୍ରଭାବିତ ହେଉଥିବା ଟିକସ ବ୍ୟବସ୍ଥାକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ସେ ଏଭଳି ବ୍ୟବସ୍ଥାକୁ ନୀତିଗତ ଭାବେ ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଇଛନ୍ତି । ଏହାଦ୍ୱାରା ନିବେଶକଙ୍କ ଆତ୍ମବିଶ୍ୱାସ ହ୍ରାସ ପାଏ ଏବଂ ବେସରକାରୀ ପୁଞ୍ଜି ନିବେଶ ବାଧାପ୍ରାପ୍ତ ହୁଏ ବୋଲି ସେ ଯୁକ୍ତି ଦେଇଛନ୍ତି ।

ଏହା ସହିତ ସେ ବିଦେଶୀ ନିବେଶକଙ୍କ ଉପରୁ, ବିଶେଷ କରି କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ କମାଇବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଭଲ୍ଲାଙ୍କ ଅନୁସାରେ, ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଅର୍ଥନୀତିଗୁଡ଼ିକ ତୁଳନାରେ ଭାରତରେ ବିଦେଶୀ ନିବେଶକଙ୍କ ପାଇଁ ଟିକସ ହାର ବହୁ ଅଧିକ, ଯାହା ଦେଶକୁ ବିଦେଶୀ ନିବେଶକୁ କମ୍ ଆକର୍ଷଣ କରୁଛି ।

ସେ କହିଛନ୍ତି, "ବିଦେଶୀ ନିବେଶକଙ୍କ ଉପରେ ଆମର ଟ୍ୟାକ୍ସ ରେଟ୍ ବହୁତ ଅଧିକ । ଆପଣ ସେମାନଙ୍କୁ ଆକର୍ଷିତ କରିବାକୁ ଚାହୁଁଛନ୍ତି, ଆମକୁ ସେମାନଙ୍କର ଆବଶ୍ୟକତା ରହିଛି ।" ଗିଫ୍ଟ ସିଟିକୁ ଏକ ଆନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ କ୍ୟାପିଟାଲ ଗେନ୍ସ ଉପରେ ଅଧିକ ଟିକସ ହେତୁ ଏହି ଯୋଜନା ସଫଳତା ପାଇନାହିଁ ।

କୃଷି କ୍ଷେତ୍ର ଉପରେ ଭଲ୍ଲା କହିଛନ୍ତି, ବାଣିଜ୍ୟ କାରବାରକୁ ଅଧିକ ମୁକ୍ତ କରାଯିବା ସହ ପୂର୍ବ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କୃଷି ସଂସ୍କାରଗୁଡ଼ିକୁ ଲାଗୁ କରାଯିବା ଦରକାର । ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ କୃଷି ସଂସ୍କାର ଜରୁରୀ । ଭଲ୍ଲା ଏହା ମଧ୍ୟ କହିଛନ୍ତି ଯେ କ୍ଷୁଦ୍ର ଚାଷୀଙ୍କ ବଦଳରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ କୃଷି କ୍ଷେତ୍ରର ବାଣିଜ୍ୟିକ ସଂସ୍କାରରେ ବାଧା ସୃଷ୍ଟି କରୁଛନ୍ତି ।

ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି ଭଲ୍ଲା କହିଛନ୍ତି, ଭାରତୀୟ ଅର୍ଥନୀତି ବର୍ତ୍ତମାନର ପ୍ରାୟ ୬ ପ୍ରତିଶତ ଅଭିବୃଦ୍ଧି ହାର ତୁଳନାରେ ଅଧିକ ଦ୍ରୁତ ଗତିରେ ବଢ଼ିବା କଥା । ସେ କହିଛନ୍ତି, "ଏହା ଏହାଠାରୁ ବହୁତ ଅଧିକ ହେବା ଉଚିତ... ଆମର ପ୍ରକୃତ ସମ୍ଭାବ୍ୟ ଅଭିବୃଦ୍ଧି ହାର ୮ ପ୍ରତିଶତ ପାଖାପାଖି ଅଟେ ।" ଭାରତ ଅଧିକ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ପାଇଁ ଢାଞ୍ଚାଗତ ସଂସ୍କାର ଆବଶ୍ୟକତା କରୁଛି