ନୂଆଦିଲ୍ଲୀ: କୋର୍ଟଙ୍କ ଅବମାନନା ଅଭିଯୋଗରେ ଜଣେ ଏସପିଙ୍କ ବିରୋଧରେ ମାମଲା କରିଥିବା ସେସନ୍ସ ଜଜଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ ।
ଆଇନର ସଠିକ୍ ଜ୍ଞାନ ନ ରଖି 'ବାହୁବଳୀ' ଭଳି ଆଚରଣ ନ କରିବାକୁ ବିହାରର ଜଣେ ସେସନ୍ସ ଜଜ୍‌ଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଣେ ପୁଲିସ ଅଧିକାରୀ ଏଫ୍.ଆଇ.ଆର୍ ରୁଜୁ କରିନଥିଲେ । ସମ୍ପୃକ୍ତ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜରିମାନା ଲଗାଇଥିଲେ । ଏହି ଘଟଣାରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବିଚାରପତିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ସେସନ୍ସ ଜଜ୍‌ଙ୍କ ମୌଳିକ ଆଇନଗତ ଜ୍ଞାନ ଏବଂ କୋର୍ଟ ଭିତରେ ତାଙ୍କର ଆଚରଣକୁ ନେଇ କଠୋର ମନ୍ତବ୍ୟ ଦେଇଥିଲେ । ଶୁଣାଣି ସମୟରେ ବିଚାରପତି ଜୟମାଲ୍ୟ ବାଗଚୀ କହିଥିଲେ ଯେ, ଆଇନ ପ୍ରତି ଆପଣଙ୍କର ବୁଝାମଣା ବାସ୍ତବରେ ଅତ୍ୟନ୍ତ ନିରାଶାଜନକ । ଜଣେ ପୁଲିସ ଅଧୀକ୍ଷକ (SP)ଙ୍କୁ କୋର୍ଟକୁ ଡକାଇ ସେହି ଦିନ ହିଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଅତ୍ୟନ୍ତ ଚିନ୍ତାଜନକ । 

ବିହାରର ସମ୍ପୃକ୍ତ ସେସନ୍ସ ଜଜ୍ ଏକ ମାମଲାରେ ଏଫ୍.ଆଇ.ଆର୍ ରୁଜୁ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୁଲିସ ଅଧିକାରୀ ତାହା ନ କରିବାରୁ ବିଚାରପତି ଏହାକୁ କୋର୍ଟ ବିରୋଧରେ ହୋଇଥିବା ଅପରାଧ ଭାବରେ ଗ୍ରହଣ କରିଥିଲେ । ସମ୍ପୃକ୍ତ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଇଥିଲେ । ସେସନ୍ସ କୋର୍ଟ ଗ୍ରହଣ କରିଥିବା ଏହି ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପରେ, ନିମ୍ନ ଅଦାଲତର ବିଚାରପତି ନିଜର ଆଇନଗତ ଅଧିକାର ପରିସର ମଧ୍ୟରେ କାର୍ଯ୍ୟ କରିଛନ୍ତି କି ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । 

ବିଚାରପତି ବାଗଚୀ ସ୍ପଷ୍ଟ କରିଛନ୍ତି ଯେ, ସେସନ୍ସ ଜଜ୍ ପ୍ରଥମେ 'କୋର୍ଟ ଅବମାନନା'ର ଆଇନଗତ ପରିସର ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୩୮୪ ଓ ସିଆରପିସିର ଧାରା ୩୪୫ ଅନୁଯାୟୀ 'କୋର୍ଟ ସମ୍ମୁଖରେ ଘଟିଥିବା ଅପରାଧ'ର ପ୍ରକୃତ ଅର୍ଥ ବୁଝିବା ଆବଶ୍ୟକ । ଏହି ଆଇନଗତ ବ୍ୟବସ୍ଥା ଅନୁଯାୟୀ, କେବଳ କୋର୍ଟ ପରିସର ଭିତରେ କିମ୍ବା ଚାଲିଥିବା ନ୍ୟାୟିକ ପ୍ରକ୍ରିୟା ସମୟରେ ଯଦି କୌଣସି ନିର୍ଦ୍ଦିଷ୍ଟ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ହିଁ ବିଚାରପତି ତୁରନ୍ତ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।