ନୂଆଦିଲ୍ଲୀ ୧୬।୨: ସୁପ୍ରିମକୋର୍ଟ ଅଟକ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍ ଙ୍କ ବିରୋଧରେ ପ୍ରସ୍ତୁତ ଭିଡିଓ ଟ୍ରାନ୍ସସ୍କ୍ରିପ୍ଟର ସଠିକତା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଆମେ ଏବେ କୁତ୍ରିମ ବୁଦ୍ଧିମତା (ଏଆଇ)ର ଯୁଗରେ ରହୁଛେ, ଏଣୁ ଅନୁବାଦ ଅନୁନ୍ୟ ସଠିକ ହେବା ଦରକାର। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ୍ ପି.ବି.ବରାଳେଙ୍କ ପୀଠ ସରକାରଙ୍କୁ ୱାଙ୍ଗଚୁକ୍ ଙ୍କ ଭାଷଣର ବାସ୍ତବିକ ଅନୁବାଦ ରେକର୍ଡରେ ରଖିବାକୁ କହିଛନ୍ତି, କାରଣ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ କାର୍ଯ୍ୟକର୍ତ୍ତାଙ୍କ ନାମ ସମ୍ପର୍କିତ ବୟାନ ୱାଙ୍ଗଚୁକ୍ କେବ ଦେଇ ନଥିଲେ।

ଅତିରିକ୍ତ ସୋଲିସିଟର ଜେନେରାଲ କେ.ଏମ.ନଟରାଜଙ୍କୁ ସମ୍ବୋଧିତ କରି କୋର୍ଟ କହିଛନ୍ତି ଯେ ଆପଣଙ୍କ ଅନୁବାଦ ୭ରୁ ୮ ମିନିଟ୍ ପର୍ଯ୍ୟନ୍ତ ଚାଲୁଛି, ଯେତେବେଳେ ଭାଷଣ ମାତ୍ର ୩ ମିନିଟ୍ ର ଥିଲା। ଆମେ ଏଆଇ ଯୁଗରେ ରହୁଛେ ଅନୁବାଦର ସଠିକତା ୯୮% ହେବା ଉଚିତ। କୋର୍ଟ କହିଛନ୍ତି ଯେ ଆବେଦନକାରୀ ଯେଉଁ କଥା କହୁଛନ୍ତି ଓ ଆପଣ ଯାହା କହୁଛନ୍ତି ତାହା ଅଲଗା ଅଲଗା। ଏଣୁ ଅଭିଯୋଗକାରୀଙ୍କ ଦ୍ୱାରା କୁହାଯାଇଥିବା ଶବ୍ଦର ବାସ୍ତବିକ୍ ପ୍ରତିଲିପ୍ ଉପସ୍ଥାପନା କରିବା ଦରକାର।

ଏଥିରେ ଶିବଲ କୋର୍ଟରେ ଉପସ୍ଥାପିତ ଅନୁବାଦିତ ସାମଗ୍ରୀର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ‘ୱାଙ୍ଗଚୁକ୍ ତାଙ୍କ ହରତାଳ ଜାରି ରଖିଛନ୍ତି ଓ ନେପାଳର ଉଦାହରଣ ଦେଇ ଯୁବକଙ୍କୁ ଉସକାଇବା ମଧ୍ୟ ଜାରି ରଖିଛନ୍ତି।ଉଭୟ କଥା ଏକସାଙ୍ଗରେ କିପରି ସମ୍ଭବ? ଏହା ବାସ୍ତବିକ ଅନନ୍ୟ ଅଟକ ଆଦେଶ। କୋର୍ଟ ଏକ ଏପରି କଥା ଉପରେ ଭରସା କରୁଛନ୍ତି ଯାହାର କୌଣସି ଅସ୍ତିତ୍ୱ ମଧ୍ୟ ନାହିଁ ଓ କହୁଛନ୍ତି ଏହା ବ୍ୟକ୍ତିନିଷ୍ଠ ସନ୍ତୁଷ୍ଟି ଉପରେ ଆଧାରିତ ’।

ଏହାର ଜବାବରେ ଅତିରିକ୍ତ ସୋଲିସିଟର ଜେନେରାଲ କହିଛନ୍ତି ଯେ ଅନୁବାଦ ପ୍ରସ୍ତୁତ କରିବା ଲାଗି ଏକ ଅନ୍ୟ ବିଭାଗ ରହିଛି ଓ ଆମର ଏଥିରେ ବିଶେଷଜ୍ଞତା ନାହିଁ। ସର୍ବୋଚ୍ଚନ୍ୟାୟାଳୟ ୱାଙ୍ଗଚୁକଙ୍କ ପତ୍ନୀଙ୍କ ଦ୍ୱାରା ରୁଜୁ ହେଭିୟସ କର୍ପସ ଆବେଦନ ଉପରେ ଶୁଣାଣି କରୁଛନ୍ତି, ଯେଉଁଥିରେ ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ) ୧୯୮୦ରେ ତାଙ୍କ ଅଟକ ଅବୈଧ ବୋଲି ଘୋଷଣା କରିବାକୁ ନିବେଦନ କରାଯାଇଛି। ଏହି ଅଧିନିୟମରେ ଅଟକ ଅବଧି ସର୍ବାଧିକ ୧୨ ମାସ। ତେବେ ଏହାକୁ ପୂର୍ବରୁ ମଧ୍ୟ ରଦ୍ଦ କରାଯାଇ ପାରିବ। ଲଦ୍ଦାଖରେ ନିଜର କାର୍ଯ୍ୟପାଇଁ ଜଣାଶୁଣା ଜଳବାୟୁ କାର୍ଯ୍ୟକର୍ତ୍ତା ୱାଙ୍ଗଚୁକ୍ ଙ୍କୁ ଗତବର୍ଷ ଡିସେମ୍ବର ୨୬ ତାରିଖରେ ଗିରଫ କରାଯାଇଥିଲା। ରାଜ୍ୟ ମାନ୍ୟତା ଓ ଷଷ୍ଠ ଅନୁସୂଚୀରେ ରାଜ୍ୟକୁ ସାମିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନୀର ୨ ଦିନ ପରେ ଏହି ଗିରଫଦାରୀ ହୋଇଥିଲା। ବିକ୍ଷୋଭକାଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ଜଣ ଆହତ ହୋଇଥିଲେ। ୱାଙ୍ଗଚୁକ୍ ଏବେ ଯୋଦ୍ଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି।

ଏହା ବି ପଢନ୍ତୁ:-ସୋନମ ୱାଙ୍ଗଚୁକଙ୍କୁ ନେଇ ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର, କହିଲେ-ସ୍ୱାସ୍ଥ୍ୟ ଆଧାରରେ ମୁକ୍ତି ସମ୍ଭବ ନୁହଁ