ଇସଲାମାବାଦ: ପାକିସ୍ତାନର ସୁପ୍ରିମକୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ବାରିଷ୍ଟର ସଲମାନ ସଫଦରଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ସଫଦରଙ୍କୁ ଇମ୍ରାନଙ୍କ ସ୍ୱାସ୍ଥ୍ୟ ଏବଂ ରହିବା ବ୍ୟବସ୍ଥାର ନିରପେକ୍ଷ ସମୀକ୍ଷା କରିବାର ଦାୟିତ୍ୱ ଦିଆଯାଇଛି। ଇମ୍ରାନ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ପାକିସ୍ତାନର ମୁଖ୍ୟ ବିଚାରପତି ୟାହୟା ଆଫ୍ରିଦି ଜେଲ କର୍ତ୍ତୃପକ୍ଷଙ୍କୁ ସଫଦରଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ସଫଦରଙ୍କୁ ସମ୍ମାନର ସହିତ ବ୍ୟବହାର କରିବାକୁ ଏବଂ ବିଳମ୍ବ ନକରି ତାଙ୍କୁ ଇମ୍ରାନ ଖାନଙ୍କ ସହ ଯୋଗାଯୋଗ କରିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଯଦି କୌଣସି ବିବାଦ ଉପୁଜେ ତେବେ ଜଣେ ସେନା ଅଧିକାରୀଙ୍କୁ ଗସ୍ତ ସମୟରେ ପଠାଯିବ। ମୁଖ୍ୟ ବିଚାରପତି ଜେ.ପି. ଆଫ୍ରିଦି ଏବଂ ବିଚାରପତି ଶାହିଦ ବିଲାଲ ହାସନଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ସଫଦରଙ୍କୁ ଆଦିଆଲା ଜେଲ ପରିଦର୍ଶନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଫଦର ସେଠାରେ ଇମ୍ରାନଙ୍କ ସୁବିଧା, ଚିକିତ୍ସା ଏବଂ ରହିବାର ଅବସ୍ଥା ସଂପର୍କରେ ସମୀକ୍ଷା କରିବେ। କୋର୍ଟ ଇମ୍ରାନଙ୍କ ବାରାକର ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୋର୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ସଲମାନ ସଫଦର ତାଙ୍କ ଅଧିକାର ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ। ସେ କୋର୍ଟକୁ ଜଣାଇଥିଲେ ଯେ, କିଛି ଦିନ ପୂର୍ବରୁ ଇମ୍ରାନଙ୍କ ଆଖି ପରୀକ୍ଷା କରାଯାଇଥିଲା ଏବଂ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡ଼ିଥିଲା ।

ପାକିସ୍ତାନର ଆଟର୍ଣ୍ଣି ଜେନେରାଲ ମନସୁର ଉସମାନ ଆୱାନ କୋର୍ଟକୁ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ୨୪ ଅଗଷ୍ଟ, ୨୦୨୩ର ଆଦେଶ ଅନୁଯାୟୀ, ଏକ ଅନୁପାଳନ ରିପୋର୍ଟ ପୂର୍ବରୁ ଚାମ୍ବରରେ ଦାଖଲ କରାଯାଇଛି। ଇମ୍ରାନ ଖାନଙ୍କୁ ସେହି ସମୟରେ ଜେଲରେ ବନ୍ଦୀ କରାଯାଇଥିଲା । ପିଟିଆଇ ଅଧ୍ୟକ୍ଷା ଗୌହର ଖାନ କୋର୍ଟରେ ଆବେଦନ କରିଥିଲେ ଯେ, ଦଳ ଏବଂ ପରିବାରକୁ ଇମ୍ରାନ ଖାନଙ୍କ ଅସୁସ୍ଥତା ବିଷୟରେ ସୂଚନା ଦିଆଯାଇ ନାହିଁ । ସେ ଦାବି କରିଥିଲେ ଯେ, ତାଙ୍କୁ ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ତୁରନ୍ତ ଅନୁମତି ଦିଆଯାଉ। ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି।