ନୂଆଦିଲ୍ଲୀ: ଅବୈଧ ଟେଲିଫୋନ ଏକ୍ସଚେଞ୍ଜ ମାମଲାରେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ଆଦେଶକୁ ରଦ୍ଦ କରିଦେଇଛନ୍ତି ଯେଉଁଥିରେ ଟ୍ରାୟଲ କୋର୍ଟଙ୍କୁ ଦ୍ରାବିଡ ମୁନିତ୍ର ଖଜଗମ (ଡିଏମକେ) ସାଂସଦ ଦୟାନିଧି ମାରନଙ୍କ ବିରୋଧରେ ଅବୈଧ ଟେଲିଫୋନ ଏକ୍ସଚେଞ୍ଜ ସ୍ଥାପିତ କରିବା ସମ୍ପର୍କିତ ମାମଲାରେ କେନ୍ଦ୍ରୀୟ ଦୂର ସଞ୍ଚାର ସଚିବଙ୍କୁ କୋର୍ଟରେ ସାକ୍ଷୀ ରୂପେ ତଲବ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଷ୍ଟିସ୍ କେ.ଭି. ବିଶ୍ୱନାଥ ଓ ଜଷ୍ଟିସ୍ ଅଋଣା ପଲ୍ଲୀଙ୍କ ପୀଠ ହାଇକୋର୍ଟଙ୍କ ୨୫ ମାର୍ଚ୍ଚ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସିବିଆଇ ପିଟିସନ ଉପରେ ଶୁଣାଣି କାଳରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ପୀଠ କହିଛନ୍ତି ଯେ ଏବେ ଯେତେବେଳେ ଆମେ ଟ୍ରାୟଲ କୋର୍ଟଙ୍କ ଆଦେଶକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛେ ସେତେବେଳେ ଆମେ ପ୍ରତିବାଦୀ (ମାରନ)ଙ୍କୁ ଦୂରସଞ୍ଚାର ସଚିବଙ୍କୁ ଡିଫେନ୍ସ ୱିଟନେସ୍ ଭାବେ ଡକାଇବାକୁ ଅନୁମତି ଦେଉଛୁ। ପୀଠ କହିଛନ୍ତି ଯେ ଏ ବାବଦେ ଆମେ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରୁଛୁ ଓ ଟ୍ରାୟଲ କୋର୍ଟ ଆଦେଶକୁ ଲାଗୁ କରୁଛୁ। ଆମେ ପ୍ରତିବାଦୀଙ୍କୁ ଏହି ବିକଳ୍ପ ଦେଉଛୁ ଯେ ଯଦି ସେ ଚାହିଁବେ ଟେଲିକମ ସଚିବଙ୍କୁ ଡିଫେନ୍ସ ୱିଟନେସ୍ ଭାବେ ଡାକି ପାରିବେ।

ତେବେ ଶୁଣାଣି କାଳରେ ମାରନଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥରା ଦୂରସଞ୍ଚାର ସଚିବଙ୍କୁ ଡିଫେନ୍ସ ୱିଟନେସ୍ ଭାବେ ଉପସ୍ଥାପନ କରିବାକୁ ଆପତ୍ତି କରିଛନ୍ତି। ସେ କହିଛନ୍ତି ଯେ ଯଦି କୋର୍ଟ ଦୂର ସଞ୍ଚାର ସଚିବଙ୍କୁ ସାକ୍ଷ୍ୟ ଭାବେ ତଲବ କରନ୍ତି ତେବେ ଏହା ଅଧିକ ଉଚିତ ହେବ। ଉଲ୍ଲେଖ ଯୋଗ୍ୟଯେ ଦୟାନିଧି ମାରନ ତାଙ୍କ ଭାଇ କଲାନିଧିଙ୍କ ସନ ଟିଭି ନେଟୱାର୍କ ଲାଗି ଉପଯୋଗ ହେଉଥିବା ୭୦୦ରୁ ଅଧିକ ହାଇଏଣ୍ଡ ଲାଇନ ଲଗାଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି।

Also Read: ଦେଶରେ ମାଡ଼ୁଛି H1N1 ଭାଇରସ ଭୟ ! ଜାଣନ୍ତୁ ଏହାର ଲକ୍ଷଣ ଓ ବଞ୍ଚିବାର ଉପାୟ..